ପଶ୍ଚିମ ଓଡ଼ିଶାରେ ବଡ଼ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରିବ ଏସ୍‌ ଏନ୍ ମହାନ୍ତି ଗ୍ରୁପ୍ : ପ୍ରବୋଧ ମହାନ୍ତିଙ୍କ ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ

52

ରାଜ୍ୟର ଅଗ୍ରଣୀ ଖଣି ଓ ଧାତବ କଂପାନି ହେଉଛି ଏସ୍‌ ଏନ୍ ମହାନ୍ତି ଗ୍ରୁପ୍ । ଇସ୍ପାତ, ବିଦ୍ୟୁତ ଶକ୍ତି, ସୌର ଶକ୍ତି ଏବଂ ଉଦ୍ୟାନ କୃଷି ଆଦି କ୍ଷେତ୍ରରେ ଏହି ସଂସ୍ଥା ସକ୍ରିୟ ରହିଛି। ଖଣି କ୍ଷେତ୍ର ଉପରେ କୋଭିଡ୍‌ ମହାମାରୀର ପ୍ରଭାବ ଏବଂ ନିଜ ସଂସ୍ଥାର ଭବିଷ୍ୟତ ଯୋଜନା ଆଦି ଅନେକ ବିଷୟରେ ଏସ୍‌ ଏନ୍ ମହାନ୍ତି ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ପ୍ରବୋଧ ମହାନ୍ତି ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି।

ଏସ୍‌ ଏନ୍ ମହାନ୍ତି ଓଡ଼ିଶା ଖଣି କ୍ଷେତ୍ରର ଏକ ଅଗ୍ରଣୀ ସଂସ୍ଥା। ମହାମାରୀ ସମୟରେ ଖଣି କାର୍ଯ୍ୟ କିଭଳି ପ୍ରଭାବିତ ହୋଇଥିଲା?
ଏସ୍‌ ଏନ୍ ମହାନ୍ତି ଗ୍ରୁପ୍ ଖଣି, ଇସ୍ପାତ, ବିଦ୍ୟୁତ ଶକ୍ତି, ସ୍ବଚ୍ଛ ଶକ୍ତି ଏବଂ ଉଦ୍ୟାନ କୃଷି କ୍ଷେତ୍ରରେ ସକ୍ରିୟ ରହିଛି। କୋଭିଡ୍-୧୯ ମହାମାରୀ ଦ୍ବାରା ଓଡ଼ିଶାର ଖଣି କ୍ଷେତ୍ର ପ୍ରଭାବିତ ହୋଇଥିଲା ଏବଂ ୨୦୨୦ର ଏପ୍ରିଲ୍, ମେ’ ଓ ଜୁନ୍‌ରେ ତାହା ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା।

ଆପଣଙ୍କ ସଂସ୍ଥା କିଭଳି ପ୍ରଭାବିତ ହୋଇଥିଲା?
କୋଭିଡ୍-୧୯ ମହାମାରୀ ପ୍ରଭାବ ଯୋଗୁଁ ଶ୍ରମିକମାନେ ନିଜ ଜନ୍ମସ୍ଥାନକୁ ଫେରିଯିବା କାରଣରୁ ପ୍ରାରମ୍ଭିକ କିଛି ମାସ ଆମର ଖଣି କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଲକ୍‌ଡାଉନ୍‌ରେ ଟ୍ରକ୍‌ ଅଭାବ ଦେଖାଦେବାରୁ ଲୁହାପଥର ପରିବହନ ମଧ୍ୟ ପ୍ରଭାବିତ ହୋଇଥିଲା। ତେଣୁ କ୍ଷମତାର ୩୦% ହାରରେ ଆମେ ପରିଚାଳନା ଜାରି ରଖିଥିଲୁ। କିନ୍ତୁ ଏବେ ଅନେକ ପରିବର୍ତନ ହୋଇଛି ଏବଂ ଖଣି କାର୍ଯ୍ୟ ସ୍ବାଭାବିକ ସ୍ଥିତିକୁ ଫେରିପାରିଛି।

ଓଡ଼ିଶାରେ ଭାଲ୍ୟୁ ଆଡିସନ୍‌ (ମୂଲ୍ୟ ଯୋଗ କରିବା) ପାଇଁ ଆପଣଙ୍କ ସଂସ୍ଥା କ’ଣ କରୁଛି?
ମୂଲ୍ୟ ଯୋଗ କରିବା ବିଷୟରେ ୨୦୦୪ରୁ ଆମ ଗ୍ରୁପ୍ ଚିନ୍ତା କରିଥିଲା। ‌ସେହିବର୍ଷ ସୁନ୍ଦରଗଡ଼ ଜିଲ୍ଲାର ବଣାଇଠାରେ ଆମେ ୨୦୦ ଟିପିଡି ସ୍ପଞ୍ଜ ଆଇରନ କାରଖାନା ସ୍ଥାପନ କରିଥିଲୁ। ସେହି ପରିସରରେ ଏକ ୦.୨୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବା ଲାଗି ଆମେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଥିଲୁ। ଏହାର ପରିଣାମ ସ୍ବରୂପ ବଣାଇରେ ଥିବା ଆମ ସମନ୍ବିତ କମ୍ପ୍ଲେକ୍ସରେ ଏବେ ୪୦୦ ଟିପିଡି ସ୍ପଞ୍ଜ ଆଇରନ୍, ୧୨ ମେଗାୱାଟ୍ କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ୍ ଏବଂ ୦.୧୦ ନିୟୁତ ଟନ୍‌ର ଷ୍ଟିଲ୍ ବିଲେଟ୍‌ ଉତ୍ପାଦନ କାରଖାନା ରହିଛି।

ରାଜ୍ୟର ସାମାଜିକ ଅର୍ଥନୈତିକ ବିକାଶରେ ଆପଣଙ୍କ ସଂସ୍ଥା କିଭଳି ସହାୟକ ହୋଇଛି?
ଆମ ଖଣିରେ ଆଖପାଖ ଗ୍ରାମର ପ୍ରତି ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ନିଯୁକ୍ତି ଦେଇଛୁ। ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଅଧୀନରେ ସ୍ଥାନୀୟ ଗ୍ରାମବାସୀଙ୍କୁ ଶିକ୍ଷା, ଯୋଗାଯୋଗ, ଚିତ୍ତବିନୋଦନ, କ୍ରୀଡ଼ା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦରକାର ଭିତ୍ତିଭୂମି ଯୋଗାଇ ଦେଉଛୁ।

ଇସ୍ପାତ ଉତ୍ପାଦ ବର୍ଗକୁ ବ୍ୟାପକ କରିବାର‌ ଯୋଜନା ଅଛି କି?
ବଣାଇ କାରଖାନାର ଇସ୍ପାତ ଉତ୍ପାଦନ କ୍ଷମତାକୁ ବଢ଼ାଇବା ପାଇଁ ଆମର ଯୋଜନା ଅଛି। ନିକଟ ଭବିଷ୍ୟତରେ ଆମେ ଏକ ରୋଲିଂ ମିଲ୍ ଯୋଡ଼ିବୁ ଏବଂ ଆମର ବିଲେଟ୍ ଉତ୍ପାଦନ କ୍ଷମତା ବଢ଼ାଇବୁ। ଏହି ପରିସରରେ ଏକ ଲୁହାପଥର ପେଲେଟ୍‌ ତିଆରି କାରଖାନା ମଧ୍ୟ ସ୍ଥାପନ କରିବୁ।

ସୌର ଶକ୍ତି କ୍ଷେତ୍ର ପାଇଁ କ’ଣ ଯୋଜନା ରହିଛି?
୨୦୧୧ରେ ଆମେ କଟକର ତ୍ରିସୁଳିଆ ନିକଟରେ ଏକ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରିଥିଲୁ, ଯାହାର କ୍ଷମତା ଏବେ ୧ ମେଗାୱାଟ୍ ରହିଛି। ଯେହେତୁ ରାଜ୍ୟର ପଶ୍ଚିମାଞ୍ଚଳରେ ସୌର ବିକିରଣ ଭଲ ରହୁଛି ତେଣୁ ସେଠାରେ ଏକ ୧୦ ଗେମାୱାଟ୍‌ର ବୃହତ ସୌର ଶକ୍ତି ପ୍ଲାଣ୍ଟ୍‌ ସ୍ଥାପନ କରିବା ଲାଗି ଆମେ ଜମି ସନ୍ଧାନ କରୁଛୁ।

ସିଏସ୍‌ଆର୍‌ରେ କେଉଁ କାର୍ଯ୍ୟକୁ ଅଗ୍ରାଧିକାର ଦେଉଛନ୍ତି?
ଆମ ଖଣି ଆଖପାଖର ଗ୍ରାମଗୁଡ଼ିକୁ ଟାଉନ୍‌ସିପ୍ ସହ ଯୋଡ଼ିବା ଲାଗି କଙ୍କ୍ରିଟ୍‌ ରାସ୍ତା ତିଆରି କରାଯାଇଛି ଏବଂ ନିକଟସ୍ଥ ହସ୍ପିଟାଲ୍ ପର୍ଯ୍ୟନ୍ତ ରୋଗୀଙ୍କୁ ପହଞ୍ଚାଇବା ଲାଗି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଏବଂ ଅଧିକରୁ ଅଧିକ ଗ୍ରାମକୁ କଙ୍କ୍ରିଟ୍ ସଡ଼କ ସହ ଯୋଡ଼ିବା ପାଇଁ ଆମର ଯୋଜନା ରହିଛି।

ଲୁହାପଥର ବଜାର ମୂଲ୍ୟକୁ ନେଇ ଆପଣଙ୍କ ପୂର୍ବାନୁମାନ କ’ଣ ରହିବ?
ଲୁହା ପଥର ବଜାର ଏବେ ୨୦୦୮-୧୦ ମସିହା ଭଳି ଉଚ୍ଚ ସ୍ତରରେ ରହିଛି। ଦେଶବିଦେଶରେ ଇସ୍ପାତ ଚାହିଦା ଅଧିକ ରହିବା ଏବଂ ଲୁହାପଥର ଯୋଗାଣ କମ୍ ରହିବା କାରଣରୁ ଦର ଅଧିକ ରହିଛି। ନିଲାମ ହୋଇଥିବା ଖଣିଗୁଡ଼ିକରୁ ପର୍ଯ୍ୟାପ୍ତ ଉତ୍ପାଦନ ହେବା ପରେ ଲୁହାପଥର ଦରରେ ସ୍ଥିରତା ଫେରିବ।

ସରକାରଙ୍କ ଠାରୁ ଖଣି ଶିଳ୍ପ କିଭଳି ସହାୟତା ଆଶା କରୁଛି?
ଖଣିରୁ ଖଣିଜ ପଦାର୍ଥକୁ ବାହାର କରିବା ଏବଂ ପରିବହନ କରିବା ହେଉଛି ପ୍ରମୁଖ ସମସ୍ୟା। ପୁରୁଣା ସଡ଼କଗୁଡ଼ିକର ମରାମତି, ଖଣିଜ ପରିବହନ ପାଇଁ ଉତ୍ସର୍ଗୀକୃତ ସଡ଼କ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ସଡ଼କ ପଥରେ ରହିଥିବା ଚାପ କମ୍ କରିବା ଲାଗି ରେଳପଥ ସଂଯୋଗରେ ଉନ୍ନତି ଆଣିବାକୁ ପଡ଼ିବ।

‘ସମ୍ବାଦ’ର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ଜାତୀୟ ଦୃଶ୍ୟପଟ୍ଟରେ ଓଡ଼ିଶାର ବ୍ରାଣ୍ଡ୍‌ଗୁଡ଼ିକୁ ପ୍ରଦର୍ଶିତ କରିବାର ଏକ ସ୍ବତନ୍ତ୍ର ସୁଯୋଗ ପ୍ରଦାନ କରୁଛି ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ଅଭିଯାନ। ଏହା ଉଦୀୟମାନ ଏବଂ ପ୍ରତିଷ୍ଠିତ ବ୍ରାଣ୍ଡ୍‌ଗୁଡ଼ିକୁ ସେମାନଙ୍କ ଉତ୍ପାଦ ଆଦିକୁ ଜାତୀୟସ୍ତରରେ ପ୍ରଦର୍ଶିତ ଏବଂ ଲୋକପ୍ରିୟ କରିବା ଲାଗି ଏକ ମଞ୍ଚ ପ୍ରଦାନ କରୁଛି। ଓଡ଼ିଶାର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ’ର ଏହି ଅଭିଯାନର ସଫଳତା ପାଇଁ ମୁଁ ଶୁଭକାମନା ପ୍ରଦାନ କରୁଛି।

Comments are closed.