କନକ ବ୍ୟୁରୋ: ଦିନକୁ ଦିନ ଓଡିଶା ଆଇଟିରେ ହବରେ ପରିଣତ ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ କମ୍ପାନୀ ରାଜ୍ୟରେ ସେମାନଙ୍କ ବ୍ରାଞ୍ଚ ପ୍ରତିଷ୍ଠା ପାଇଁ ଆଗକୁ ଆସୁଛନ୍ତି । ନିକଟରେ ଅନେକ କମ୍ପାନୀର କାର୍ଯ୍ୟାଳୟ ଭୁବନେଶ୍ୱରେ ଖୋଲୁଥିବା ବେଳେ ଏହି ତାଲିକାରେ ଯୋଡି ହୋଇଛି ଆଉ ଗୋଟିଏ କମ୍ପାନୀ । ବେଙ୍ଗାଲୁରୁର ପ୍ରସିଦ୍ଧ ସଫ୍ଟୱେର କମ୍ପାନୀ ଏଲଫାନଜୋ ଟେକ୍ନୋଲୋଜି ରାଜଧାନୀରେ ତାର ବ୍ରାଞ୍ଚ ଆରମ୍ଭ କରିଛି । ଏଲଫାନଜୋର ବିଭିନ୍ନ ସ୍ଥାନରେ ତିନିଟି ବ୍ରାଞ୍ଚ ଥିବା ବେଳେ ବର୍ତ୍ତମାନ ଭୁବନେଶ୍ୱରରେ ଏହା ଲୋକଙ୍କୁ ସେବା ପ୍ରଦାନ କରିବ । ରାଜଧାନୀ ଗୋଠପାଟଣା ନିକଟସ୍ଥ ଏସଟିପିଆ ଇଲାଇଟ ଟାୱାରରେ ତାର ବ୍ରାଞ୍ଚ ଖୋଲିଛି । ଉଦଘାଟନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଯୋଗଦେଇଥିବା ବେଳେ ରାଜ୍ୟରେ ଆଗାମୀ ଦିନରେ ଏହା ବିଭିନ୍ନ ପ୍ରକାରର ସଫ୍ଟୱେର ସେବା ଯୋଗାଇବ ।
ବିଶେଷ କରି ଆଇଟି, ଜିଏସଡିଏମ, ପ୍ରଡକ୍ଟ ଡେଭଲପମେଣ୍ଟଭଳି ସେବା ପ୍ରଦାନ କରିବାକୁ ଯାଉଛି । ଏବେ ୨୦ ଜଣ କର୍ମଚାରୀଙ୍କୁ ନେଇ କାମ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟା ୧୫୦ରେ ପହଞ୍ଚିବ ବୋଲି କମ୍ପାନୀର ଅଧିକାରୀ କହିଛନ୍ତି । ରାଜ୍ୟରେ ପ୍ରତିଭାର ଅଭାବ ନଥିବା ବେଳେ ଦିନକୁ ଦିନ ବିଭିନ୍ନ କମ୍ପାନୀ ଏଠାରେ ସେମାନଙ୍କ ବ୍ରାଞ୍ଚ ପ୍ରତିଷ୍ଠା କରିବା ସେମାନଙ୍କ ପାଇଁ ସୁଯୋଗ ଆଣିଦେଇଛି । ଭୁବନେଶ୍ୱର ବାତାବରଣ ଦିନକୁ ଦିନ ପରିବର୍ତ୍ତନ ହେଉଥିବା କାରଣରୁ ଅନେକ ନାମୀଦାମୀ କମ୍ପାନୀ ଏଠାକୁ ଆସୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସହଯୋଗ ମିଳିବା ଫଳରେ ସେମାନ ଅତି ସହଜରେ ସେମାନଙ୍କ କାମକୁ ଆଗେଇ ନେଇପାରୁଛନ୍ତି ।
ରାଜ୍ୟରେ ଗୋଟିଏ ପରେ ଗୋଟିଏ କମ୍ପାନୀ ଖୋଲିବା ଯୁବପିଢୀଙ୍କ ପାଇଁ ଭଲ ଖବର । ଏଲଫାନଜୋ ଭଳି କମ୍ପାନୀ ରାଜ୍ୟରେ ବ୍ରାଞ୍ଚ ଖୋଲି ନିଯୁକ୍ତି ସୁଯୋଗର ନୂଆ ରାସ୍ତା ଖୋଲିବା ରାଜ୍ୟ ପାଇଁ ମଧ୍ୟ ଖୁସିର ବିଷୟ ।
Follow Us