ବ୍ରହ୍ମଗିରି ବାଜି ଜିତିବ କିଏ? ସଞ୍ଜୟଙ୍କ ପାଇଁ ସହଜ ହେବନି ବିଜୟ, ବିଜେପିରେ ରହି କରିସ୍ମା କରିବେ କି ଲୁଲୁଙ୍କ ଭାଇ? ଦୁଇ ହେଭିୱେଟଙ୍କ ମୁକାବିଲାରେ କାହାକୁ ଓହ୍ଲାଇବ କଂଗ୍ରେସ

587

କନକ ବ୍ୟୁରୋ : ବ୍ରହ୍ମଗିରିରେ କିଏ ମାରିବ ବାଜି । ପୁରୀ ଜିଲ୍ଲାର ଏହି ସମ୍ମାନଜନକ ଆସନରେ ପ୍ରତିଥର ଜୋରଦାର ଲଢେଇ ଦେଖିବାକୁ ମିଳେ । କିନ୍ତୁ ଚଳିତ ନିର୍ବାଚନୀ ଫାଇଟରେ ଏକ ନିଆରା ଅନୁଭୂତି ପାଇବେ ବ୍ରହ୍ମଗିରି ନିର୍ବାଚନମଣ୍ଡଳବାସୀ । କାରଣ ଲୁଲୁଙ୍କ ଦେହାନ୍ତ ପରେ କଂଗ୍ରେସ ନିର୍ବାଚନ ଯୁଦ୍ଧ ଲଢିବାକୁ ଯାଉଥିବା ବେଳେ ହ୍ୟାଟ୍ରିକ ବିଜୟ ହାସଲ କରିବାକୁ ଅଣ୍ଟା ଭିଡିଛନ୍ତି ସଞ୍ଜୟ ଦାସବର୍ମା । ସେହିଭଳି ଲୁଲୁଙ୍କ ପରିବାରକୁ ଦଳରେ ମିଶାଇ ବିଜେପି ବହ୍ମଗିରିରେ ମେଡେନ ବିଜୟ ହାସଲ କରିବାକୁ ଋଣନୀତି କରିଛି । ବ୍ରହ୍ମଗିରିର ଲଢୁଆ ନେତା ତଥା ୪ଥର ବିଧାୟକ ହୋଇ ବିଜେଡିକୁ ପାଣି ପିଆଉଥିବା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କ ମୃତ୍ୟୁ ପରେ ଏଥର ବ୍ରହ୍ମଗିରିରେ ପୁଣିଥରେ ଷଣ୍ଢ ଲଢେଇ ହେବ ନା କେହି ଏକ ନିର୍ଦିଷ୍ଟ ଦଳ ଏକ ପାଖିଆ ବାଜି ମାରିନେବ, ବିଭାଜିତ କଂଗ୍ରେସ ପୁଣିଥରେ ଏକାଠି ହୋଇ ଲଢିବ ନା ଲୁଲୁ ବ୍ରାଣ୍ଡ୍ ବୋଲି ବିଜେପି କଂଗ୍ରେସ ଭୋଟରଙ୍କୁ ପ୍ରଭାବିତ କରିବାରେ ସଫଳ ହେବ ତାକୁ ନେଇ ବ୍ରହ୍ମଗିରି ଭୋଟରଙ୍କ ହୃଦସ୍ପନ୍ଦନ ଏବେଠୁ ତୀବ୍ର ହେଲାଣି।

ବ୍ରହ୍ମଗିରରେ ବିଜେଡି ଓ ବିଜେପିର ପ୍ରାର୍ଥୀତ୍ବକୁ ନେଇ ଦ୍ୱନ୍ଦ ନ ଥିବା ବେଳେ କଂଗ୍ରେସ ଦୁଇ ପ୍ରମୁଖ ଦଳକୁ ମୁକାବିଲା ପାଇଁ ଜଣେ ଭଲ ପ୍ରାର୍ଥୀ ଖୋଜୁଛି। ପୁରୁଣା କଂଗ୍ରେସକୁ ଯୋଡିବା ପ୍ରକ୍ରିୟା ଆରମ୍ଭ କରିଛିଦଳ । ବ୍ରହ୍ମଗିରି ବ୍ଲକର ୨୫ ପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ୨୧ ଓ ପୁରୀ ସଦର ବ୍ଲକର ୧୧ ପଞ୍ଚାୟତ ମୋଟ ୫୭ ପଞ୍ଚାୟତକୁ ନେଇ ଗଠିତ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ମୋଟ ୨ଲକ୍ଷ ୧୪ ହଜାର ୨୯୪ ଭୋଟର ଏଥର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ।

ରାଜ୍ୟ ରାଜନୀତିରେ ବ୍ରହ୍ମଗିରି ଆସନକୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ । । ଲଗାତର ଦୁଇଥର ବିଧାୟକ ହୋଇଥିବା ତଥା ବିଜେଡିର କ୍ରାଇସିସ୍ ମ୍ୟାନେଜର କୁହାଯାଉଥିବା ବିଧାୟକ ସଂଜୟ ଦାସବର୍ମା, ଲୁଲୁଙ୍କ ପରଲୋକ ପରେ ଏହି ଆସନକୁ ସହଜରେ ଦଖଲ କରିବେ ବୋଲି ଯୋଜନା କରୁଥିଲେ। ତେବେ ବିରୋଧୀମାନେ ଏହାକୁ ସହଜ କରାଇ ନଦେବାକୁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି। ଏହାଛଡା ବ୍ରହ୍ମଗିରି ବ୍ଲକର ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ ବିଜେଡି ଟିକେଟରେ ଲଢିବାକୁ ଲବି ଆରମ୍ଭ କରିଛନ୍ତି । ଯାହା ସଞ୍ଜୟଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ସୂଚନା ମୁତାବକ, ବିଜେଡି ନେତା ସଂଜୟ ଦାସବର୍ମା ଗତ ୨୦୦୪ ନିର୍ବାଚନରେ ବ୍ରହ୍ଗଗିରିରୁ ବିଜେଡି ଟିକେଟରେ ନିର୍ବାଚନ ଲଢିଥିଲେ। ପ୍ୟାରୀମୋହନ ମହାପାତ୍ରଙ୍କ ଆଶୀର୍ବାଦରେ ଶ୍ରୀ ଦାସବର୍ମା ବିଜେଡି ଟିକଟରେ ଲୁଲୁଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସଂଜୟ ପ୍ରଥମ ଥରରେ ନିଜର ସ୍ଥିତି ଜାହିର କରିଥଲେ। ଲୁଲୁଙ୍କୁ ଡେବ୍ୟୁ ନିର୍ବାଚନରେ ଦେଇଥିଲେ କଡା ଟକ୍କର । ୨୦୦୪ ନିର୍ବାଚନ ହାରିଯାଇଥିଲେ ବି ଶ୍ରୀ ଦାସ ବର୍ମା ଲଢେଇକୁ ଆରପାର କରିଥିଲେ। ୨୦୦୪ରେ ଲୁଲୁ ୭୦,୪୯୩ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ଦାସବର୍ମା ୬୫,୨୧୩ ଖଣ୍ଡ ଭୋଟ ପାଇ ସ୍ଥିତି ମଜବୁତ କରିଥିଲେ। ମାତ୍ର ୨୦୦୯ରେ ପୁଣିଥରେ ବିଜେଡି ସଂଜୟଙ୍କୁ ଭରସା କରି ଟିକେଟ ଦେଇଥିଲା। ଏଥର ସେ କୌଣସି ସୁଯୋଗକୁ ହାତଛଡା କରିନଥିଲେ। ୨୦୦୪ର ବିପରୀତ ଫଳ ୨୦୦୯ରେ ଫଳିଥିଲା। ଅର୍ଥାତ ସଂଜୟ ୭୦,୫୩୩ ଖଣ୍ଡ ଭୋଟ ପାଇଥିବା ବେଲେ ଲୁଲୁ ୬୫, ୬୪୭ ଖଣ୍ଡ ଭୋଟ ପାଇଥିଲେ। ଆଉ ପ୍ରଥମ ଥର ପାଇଁ ରାଜନୀତି ମୈଦାନରେ ଫେଲ ମାରିଥିଲେ ଲୁଲୁ ।

ଆଉ ଏହାପରେ କମବ୍ୟାକ୍ କରିପାରିନଥିଲେ ବ୍ରହ୍ମଗିରିର ଏହି ଟାଣୁଆ ନେତା । ଲଗାତାର ୩ ଥର ବିଧାୟକ ଓ ମନ୍ତ୍ରୀ ଥିବା ଲୁଲୁ ୨୦୧୪ରେ ମଧ୍ୟ ସମଦଶା ଭୋଗିଥିଲେ । କଡା ଟକ୍କର ହୋଇଥିଲେ ମଧ୍ୟ ବହ୍ମଗିରିରେ ବାଜି ମାରିନେଇଥିଲେ ସଞ୍ଜୟ । ପାୱାର କରିଡରର ଟାଣୁଆ ନେତା ସଂଜୟ ୭୮, ୬୭୫ ଖଣ୍ଡ ଭୋଟ ପାଇଥିବା ବେଳେ ଲୁଲୁ ୭୭, ୩୩୪ ଖଣ୍ଡ ଭୋଟ ପୁଣିଥରେ ପରାସ୍ତ ହୋଇଥିଲେ।

ତେବେ ୨୦୧୬ରେ ନଭେମ୍ବରରେ ଲୁଲୁଙ୍କ ପରଲୋକ ପରେ ବ୍ରହ୍ମଗିରି କଂଗ୍ରେସ ଅନିଶ୍ଚିତତା ଭିତରକୁ ଚାଲିଯାଇଥିଲା। ଲୁଲୁଙ୍କ ଝିଅ ଉପାସନା ମହାପାତ୍ର ଓ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କଂଗ୍ରେସର ହାତ ଛାଡି ବିଜେପିରେ ଯୋଗଦେଇଥିଲେ। ଲଳିତେନ୍ଦୁ ବିଜେପିରେ ଯୋଗଦେବା ପରେ କଂଗ୍ରେସ ଦୁଇ ଭାଗ ହୋଇଥିଲା। କିଛି ମୂଳ ଆଦର୍ଶବାଦୀ କଂଗ୍ରସ ଦଳରେ ରହିଥିଲେ। ଆଉ କିଛି ଲଳିତେନ୍ଦୁଙ୍କ ସହିତ ବିଜେପି ଆଡକୁ ଢଳିଥିଲେ। ତେବେ ଲୁଲୁଙ୍କ ଭଳି ଲଳିତେନ୍ଦୁଙ୍କ ଗ୍ରହଣୀୟତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏଠାରେ କଂଗ୍ରେସ ଭୋଟ ଦୁଇ ଭାଗ ହୋଇଥିଲା। ଆସନ୍ତା ନିର୍ବାଚନ ପାଇଁ ବିଜେଡିରୁ ଏକମାତ୍ର ଦାବିଦାର ଭାବେ ବିଧାୟକ ଶ୍ରୀ ଦାସବର୍ମା ରହିଥିବା ବେଳେ ବିଜେପିରୁ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମଧ୍ୟ ଏକମାତ୍ର ଦାବିଦାର ଅଛନ୍ତି। ତେବେ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଦେବ ତରାଇ ମଧ୍ୟ ଆଶାୟୀ ରହିଛନ୍ତି।
ଅନ୍ୟପଟେ ଲୁଲୁଙ୍କ ଅନ୍ତେ ଦିଗହରା ହୋଇପଡିଥିବା କଂଗ୍ରେସ ଏବେ ପୁଣିଥରେ ଅଣ୍ଟା ସଳଖି ଛିଡା ହେବାକୁ ପ୍ରୟାସ କରୁଛି । କଂଗ୍ରେସରୁ ଇଂ ସେଖ୍ ସକିଲ ଉଦ୍ଦିନ(ଗୋପୀ), ଆଇନଜୀବୀ ଉମାକାନ୍ତ ବରାଳ ଓ ଶିକ୍ଷାବିତ୍ ବାବନାମ୍ବାର ବାରିକ ପ୍ରମୁଖ ଆଶାୟୀ ରହିଛନ୍ତି।

ତେବେ ପୂର୍ବରୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଏଠାରେ ଲଢେଇ ଦେଖିବାକୁ ମିଳୁଥିବା ବେଳେ ଲୁଲୁଙ୍କ ଅବର୍ତ୍ତମାନରେ ବିଜେପି ଏହି ରେସରେ ସାମିଲ ହୋଇଛି ଆଉ ବ୍ୟାକଫୁଟକ ଠେଲି ହୋଇଯାଇଛି କଂଗ୍ରେସ । ଖାସକରି ଲୁଲୁଙ୍କ ପରିବାର ବିଜେପିରେ ମିଶିଥିବାରୁ ଏହି ଆସନରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।