କନକ ବ୍ୟୁରୋ : କିଏ ହେବ ବ୍ରଜରାଜନଗର ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ । ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବୟାନକୁ ନେଇ ଚର୍ଚ୍ଚା । କିଶୋର ମହାନ୍ତିଙ୍କ ଆକସ୍ମିକ ମୃତ୍ୟ ପରେ ଖାଲି ପଡ଼ିଛିି ବ୍ରଜରାଜନଗର ବିଧାନସଭା ଆସନ । ଏହାରି ଭିତରେ ଏକ ସଭାରେ ଲଖନପୁର ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଖୁଲମ ଖୁଲା ଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳୀ ଦାସଙ୍କୁ ବ୍ରଜରାଜନଗରର ବିଧାୟକ ଭାବରେ ଲୋକେ ଦେଖିବାକୁ ଚାହୁଁଥିବା କହିଛନ୍ତି । ଏହି ବୟାନ ରାଜନୀତି ମହଲରେ ଖୋରାକ ଯୋଗାଇଛି । ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଦଳ କାହାକୁ ପ୍ରାର୍ଥୀ କରିବ ସେ ନିଷ୍ପତି ବିଜେଡ଼ି ସୁପ୍ରିମୋ ନେବେ ।
ଲଖନପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୌତମ ପ୍ରଧାନଙ୍କ ଏହି ବୟାନକୁ ନେଇ ଏବେ ସମଗ୍ର ଝାରସୁଗୁଡା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ବ୍ରଜରାଜନଗର ବିଧାନସଭା ଅଧିନରେ ଆସୁଥିବା ଲଖନପୁର ବ୍ଲକରେ କିଛି ଦିନ ତଳେ ଏକ ଆମ୍ବୁଲାନ୍ସ ଲୋକାର୍ପଣର କାର୍ଯ୍ୟକ୍ରମ ଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳୀ ଦାସ ଯୋଗ ଦେଇଥିଲେ । ଏହି ସଭାରେ ଅନ୍ୟ ଅତିଥୀଙ୍କ ମଧ୍ୟରେ ଲଖନପୁର ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୌତମ ପ୍ରଧାନ ଯୋଗଦେଇ ଏହି ବୟାନ ରଖିଥିଲେ । ଏହା ପରେ ସମଗ୍ର ଝାରସୁଗୁଡା ଜିଲ୍ଲାରେ ଏହି ବୟାନକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଲାଗିରହିଛି ।
ଅନ୍ୟ ପଟେ ଗୌତମ ପ୍ରଧାନଙ୍କ ଏହି ବୟାନ ପରେ କିଶୋରଙ୍କ ଅନୁଗାମୀ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । କିଶୋରଙ୍କ ପରେ ତାଙ୍କ ପରିବାରର ଜଣେ ବ୍ୟକ୍ତି ବ୍ରଜରାଜନଗର ବିଧାନସଭାର ବିଜେଡି ପ୍ରାର୍ଥୀ ହୋଇ ବିଧାୟକ ହେବେ ବୋଲି ଭାବି ନେଇଥିଲେ । କାଳେ କିଛି ରାଜନୀତି କରି କିଶୋରଙ୍କ ପରିବାର ବଦଳରେ ଅନ୍ୟ କାହାକୁ ବିଧାୟକ ଟିକେଟ ଦିଆଯିବ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ତେବେ ଏନେଇ ଦଳ ଯାହାକୁ ପ୍ରାର୍ଥୀ କରିବ ସେ ହିଁ ବ୍ରଜରାଜନଗର ବିଧାନସଭାର ପ୍ରାର୍ଥୀ ହେବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ବ୍ରଜରାଜନଗର ବିଧାନସଭା ଆସନ ଗଠନ ହେବା ପରେ ଦ୍ୱିତୀୟ ଥର ପାଇଁ ବ୍ରଜରାଜନଗର ଦେଖିବ ଉପନିର୍ବାଚନ । ତେବେ ଉପନିର୍ବାଚନ ପୂର୍ବରୁ ରାଜନୈତିକ ଉଷ୍ମତା ବେଶ ବାରି ହୋଇପଡ଼ିଛି ।