କନକ ବ୍ୟୁରୋ : ସରିଲା ପୌର ନିର୍ବାଚନ । ଏବେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଘୋଷଣା ହେବ ଉପ-ନିର୍ବାଚନ ତାରିଖ । ଏହା ପୂର୍ବରୁ କିଏ ହେବେ ବିଧାୟକ ପ୍ରାର୍ଥୀ ସେ ନେଇ ଚର୍ଚ୍ଚା ବଢିଛି । ନିକଟରେ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବ୍ରଜରାଜନଗର ପାଇଁ ବିଧାୟକ ପ୍ରାର୍ଥୀ କରିବାକୁ ଦାବି ହୋଇଥିଲା । ଆଉ ଏବେ ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀଙ୍କ ବୟାନ ରାଜନୈତିକ ତାତି ବଢାଇଛି ।
ତାରିଖ ଘୋଷଣା ହୋଇନି, ତାତି ବଢିଲାଣି । ବ୍ରଜରାଜନଗର ଉପ-ନିର୍ବାଚନ ବଢାଇଲା ଚିନ୍ତା । ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡି ଟିକେଟ ଉପରେ ରହିଛି କିଶୋର ମହାନ୍ତିଙ୍କ ପରିବାରର ନଜର । ରହିବା ସ୍ୱାଭାବିକ, କାରଣ ଅତୀତରେ ଏଭଳି ସ୍ଥିତିରେ ପରିବାର ଭିତରୁ ହିଁ ଉତରାଧିକାରୀ ବାଛିଥିଲେ ନବୀନ । ସେ ବିଜେପୁରରେ ରୀତା ସାହୁଙ୍କ କଥା କୁହାଯାଉ, ଅବା ପିପିଲିରେ ରୁଦ୍ର ମହାରଥୀ କିମ୍ବା ତିର୍ତୋଲ ପାଇଁ ବିଜୟ ଶଙ୍କର ଦାଶ । ସବୁବେଳେ ଦିବଙ୍ଗତ ନେତାଙ୍କ ପରିବାରକୁ ହିଁ ଟିକେଟ ଦେଇଥିଲେ ବିଜେଡି ସୁପ୍ରିମୋ । ସେହି କ୍ରମରେ କିଶୋର ମହାନ୍ତିଙ୍କ ପତ୍ନୀ ମଧ୍ୟ ନିଜ ଦାବିଦାର ଉପସ୍ଥାପନ କରିଛନ୍ତି ।
ବଡ କଥା ହେଉଛି, ଏହି ଆସନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଦିପାଳି ଦାସଙ୍କ ନାଁକୁ ପ୍ରସ୍ତାବ ଆକାରରେ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ ଲଖନପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ । କହିଥିଲେ, ଦିପାଳି ହିଁ ଏହି ଆସନ ପାଇଁ ଯୋଗ୍ୟ । କିଶୋର ମହାନ୍ତିଙ୍କ ପତ୍ନୀ ବନାମ ନବ ଦାସଙ୍କ ଝିଅ । କାହାକୁ ଟିକେଟ ଦେବ ବିଜେଡି? ଝାରସୁଗୁଡା ଜିଲ୍ଲା ରାଜନୀତିକୁ ନିୟନ୍ତ୍ରଣ କରୁଥିବା ନବ ଦାସ କିନ୍ତୁ ଏହି ମାମଲାରେ ମାପିଚୁପି ବୟାନ ଦେଇଛନ୍ତି, ଆଉ ସବୁକିଛି ଛାଡି ଦେଇଛନ୍ତି ଦଳ ସୁପ୍ରିମୋଙ୍କ ଉପରେ ।
ବିଜେଡି ରାଜନୀତିରେ ଗୋଟିଏ ପରିବାରରୁ ଦୁଇଟି ଟିକେଟ ଦିଆଯିବା ନଜିର୍ ବହୁତ୍ କମ୍ । ଆଉ ପରିବର୍ତିତ ସ୍ଥିତିରେ ବିଜେଡିର ଆଭିମୁଖ୍ୟ କଣ ରହିବ, ତାଉପରେ ନଜର । କାରଣ, କିଶୋର ମହାନ୍ତିଙ୍କ ଅଧୁରା ସ୍ୱପ୍ନ ପୁରା କରିବାକୁ ଲକ୍ଷ୍ୟ ରଖିଥିବା ଦର୍ଶାଇ, ସୋସିଆଲ ମିଡିଆରେ ଅଳକାଙ୍କ ପାଇଁ ଅନେକ ପୋଷ୍ଟ ଘୁରି ବୁଲିଲାଣି ।