ଟ୍ରିପଲ ମର୍ଡର ଘଟଣାରେ ନୂଆ ଟ୍ୱିଷ୍ଟ । ଆଜି ଘର ପାଖ କୂଅରୁ ବାପାର ମୃତଦେହ ଉଦ୍ଧାର

132

କନକ ବ୍ୟୁରୋ : ଝାରସୁଗୁଡା ବ୍ରଜରାଜନଗର ତ୍ରିପଲ ମର୍ଡର ଘଟଣା । ମିଳିଲା ସ୍ୱାମୀଙ୍କ ମୃତଦେହ । ଦୁଇ ଦିନରେ ଗୋଟିଏ ପରିବାରର ଚାରି ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ସମାନ ସ୍ଥାନରୁ ଉଦ୍ଧାର କରାଯାଇଛି । ଗତକାଲି ମାଆ ଓ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ସ୍ୱାମୀଙ୍କ ମୃତଦେହ ମିଳିଛି । କୂଅ ଭିତରୁ ମୃତଦେହ ଜବତ କରାଯାଇଛି ।

ଝାରସୁଗୁଡା ବ୍ରଜରାଜନଗରରେ ଥିବା ଗଙ୍ଗାନଗର ଫାଟକ ପଦାରେ ଗତକାଲି ମାଆ ଓ ଦୁଇ ଝିଅଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ଏବେ ସ୍ୱାମୀଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ନାରାୟଣ ପୋଦାରଙ୍କୁ ଅଭିଯୁକ୍ତ ବୋଲି କୁହାଯାଉଥିଲା । ହେଲେ ଆଜି ନାରାୟଣଙ୍କ ମୃତଦେହ ଉଦ୍ଧାର ହେବା ଘଟଣାକୁ ରହସ୍ୟ ଘେରକୁ ନେଇଛି । ଏହି ଘଟଣାରେ ପୁଲିସ ମୃତ ମହିଳାଙ୍କ ଦିଅରଙ୍କୁ ଅଟକ ରଖିଛି ।

ପୋଦ୍ଦାର ପରିବାର ୬ ମାସ ପୂର୍ବରୁ ସେହି ପଡ଼ାର ଅନ୍ୟ ଜଣଙ୍କ ଘରେ ରହୁଥିଲେ । ନାରାୟଣ ଜଣେ ଦିନ ମଜୁରିଆ । ତାଙ୍କ ସାନଭାଇ କଳାକାହ୍ନୁ ମଧ୍ୟ ସେହି ପାଖରେ ରହୁଥିଲେ। କିଛିମାସ ପୂର୍ବରୁ କଳାକାହ୍ନୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ସୋନି । ଏହି ମାମଲାରେ କଳାକାହ୍ନୁ ଜେଲ ଗଲାପରେ ନାରାୟଣ ୫ ମାସ ହେବ ପୂର୍ବ ଘର ଛାଡ଼ି ଅନ୍ୟତ୍ର ଘରଭଡ଼ା ନେଇ ପରିବାର ସହ ରହୁଥିଲେ । ପଡ଼ୋଶୀ ସୁରଜ ଖାଲକୋଙ୍କ କହିବା ଅନୁସାରେ, ନାରାୟଣ ଓ ସୋନିଙ୍କ ଭିତରେ ଭଲ ସଂପର୍କ ଥିଲା । କେବେ ଝଗଡ଼ା ହେବାର ଶୁଣିନାହାନ୍ତି ।

ମଙ୍ଗଳବାର ରାତିରେ ବିଦ୍ୟୁତ୍‌ ନଥିବାରୁ ରାତି ୧୧ଟା ପର୍ଯ୍ୟନ୍ତ ମରାମତି ଚାଲିଥିଲା । ନାରାୟଣ ବି ସେଠାରେ ଥିଲେ । କିନ୍ତୁ ସକାଳେ କ୍ଷୀରବାଲା ଡାକିବାରୁ ସୋନି କବାଟ ଖୋଲି ନଥିଲେ । ସକାଳ ୮ଟା ପର୍ଯ୍ୟନ୍ତ କବାଟ ବନ୍ଦ ରହିବାରୁ ପଡ଼ୋଶୀମାନେ ଘର ମାଲିକଙ୍କୁ କହିଥିଲେ । ଘର ମାଲିକ ସେଠାରେ ପହଞ୍ଚିବା ସହ ବ୍ରଜରାଜନଗର ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିଥିଲା । ଘରେ ମା’ ଓ ୨ଶିଶୁଙ୍କ ଶୋଇଥିବା ଅବସ୍ଥାରେ ଶବ ମିଳିଥିଲା ।