କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଏଥିରେ ବିଜେଡି ପ୍ରାର୍ଥୀନି ଅଳକା ମହାନ୍ତି ୬୭ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ହେଲେ ବିଜେପି ଏଥର ଏହି ଆସନରେ ତୃତୀୟ ସ୍ଥାନକୁ ଖସି ଆସିଛି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇଛନ୍ତି । ସେ କହିଛନ୍ତି କି ଗଣତନ୍ତ୍ରରେ ଜନତାଙ୍କ ରାୟ ହେଉଛି ସବୁଠାରୁ ଉପରେ ।

ହେଲେ ଦଳ କାହିଁକି ଏତେ ନୈରାଶ୍ୟଜନକ ପ୍ରଦର୍ଶନ କଲା ତାହାକୁ ନେଇ ସେ କହିଛନ୍ତି କି, ଆଗାମୀ ଦିନରେ ସଂଗଠନକୁ କିଭଳି ମଜବୁତ କରାଯାଇ ପାରିବ ତା ଉପରେ ମାନସମନ୍ଥନ କରାଯିବ । ଏହାସହ ଜନକଲ୍ୟାଣ ଯୋଜନା ମାଧ୍ୟମରେ କିଭଳି ଲୋକଙ୍କ ଆସ୍ଥାଭାଜନ ହୋଇ ପାରିବୁ ତାହାକୁ ନେଇ ଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ ଉପ ନିର୍ବାଚନରେ ଦଳର କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ପାଇଁ ସେ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ବିଜେଡିର ବିଜୟୀ ପ୍ରାର୍ଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କହିରଖୁ କି ବ୍ରଜରାଜନଗର ଉପନିର୍ବାଚନର ଫଳାଫଳ ସମସ୍ତଙ୍କୁ ଚକିତ କରିଛି । ଏଠାରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ କଂଗ୍ରେସ ଓ ତୃତୀୟ ସ୍ଥାନକୁ ଖସି ଆସିଛି । ଏହାକୁ ନେଇ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ସିଧାସଳଖ ବିଜେଡି ଉପରେ ଦୋଷ ଲଦିଛନ୍ତି । ରାଧାରାଣୀ କହିଛନ୍ତି କି ବିଜେଡି ଲାଂଚ ଦେଇ ଓ ଇଭିଏମରେ ଟାମ୍ପରିଂ କରି ନିର୍ବାଚନ ଜିତିଛି । ସେପଟେ କଂଗ୍ରେସ କିନ୍ତୁ ଦ୍ୱିତୀୟ ସ୍ଥାନରେ ରହି ଖୁସି ଅଛି । ପିସିସି ସଭାପତି ଶରତ ପଟ୍ଟନାୟକ ଏହାକୁ କଂଗ୍ରେସର ଟର୍ଣ୍ଣି ପଏଣ୍ଟ ବୋଲି କହିଛନ୍ତି ।