ବ୍ରଜରାଜନଗର ଉପନିର୍ବାଚନ : ପରାଜୟ ପରେ ବି କଂଗ୍ରେସ ଭିତରେ ଖୁସିର ଲହର, ଦ୍ୱିତୀୟ ସ୍ଥାନରେ ରହିବା ପରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା

329

କନକ ବ୍ୟୁରୋ : ଶୁକ୍ରବାର ବ୍ରଜରାଜନଗର ଉପନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଫଳାଫଳ ମୁତାବକ ପୁଣିଥରେ ବିଜେଡି ଏହି ଆସନରେ ୬୭ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀନି ଅଳକା ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର କିଶୋର ପଟେଲଙ୍କୁ ପରାଜିତ କରିଛନ୍ତି । ଗୋଟିଏ ପଟେ ବିପୁଳ ପରିମାଣର ଭୋଟରେ ବିଜୟୀ ହୋଇ ବିଜେଡି ଉତ୍ସବ ପାଳନ କରୁଥିବା େବେଳ ଦ୍ୱିତୀୟ ସ୍ଥାନରେ ରହିବାକୁ ନେଇ କଂଗ୍ରେସ ବି ଖୁସି ଅଛି । କାରଣ ବ୍ରଜରାଜନଗର ଆସନରୁ ପୂର୍ବରୁ ବିଧାୟିକା ଥିବା ରାଧାରାଣୀ ପଣ୍ଡା ଚଳିତ ନିର୍ବାଚନରେ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିଲେ ବି ସେ ତୃତୀୟ ସ୍ଥାନରେ ରହିଛନ୍ତି ।

ଏହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି କି ଏହି ଉପ ନିର୍ବାଚନର ଫଳାଫଳ କଂଗ୍ରେସର ମୋଡ ବଦଳାଇବ । ଶରତ ପଟ୍ଟନାୟକ ଏହି ଫଳାଫଳକୁ କଂଗ୍ରେସର ଟର୍ଣ୍ଣିପଏଣ୍ଟ ବୋଲି କହିବା ସହ ଏବେ ବିଜେଡି ସହ କଂଗ୍ରେସର ଲଢେଇ ହେବ ବୋଲି ସେ ଗଣମାଧ୍ୟମ ଆଗରେ କହିଛନ୍ତି । ଦଳ ଶୃଙ୍ଖଳିତ ଭାବେ ନିର୍ବାଚନ ଲଢିବାରୁ ଦ୍ୱିତୀୟ ସ୍ଥାନରେ ପହଂଚିପାରିଛି ବୋଲି ସେ କହିଛନ୍ତି ।

କହିରଖୁ କି ରାଜ୍ୟ କଂଗ୍ରେସର ଏବେ ନୂଆ ସଭାପତି ହୋଇଛନ୍ତି ଶରତ ପଟ୍ଟନାୟକ । ସେ ପିସିସିର ମଙ୍ଗ ଧରୁ ଧରୁ ଏକ ଉପନିର୍ବାଚନରେ ବିଜେପି ଠାରୁ ଅଧିକ ଭୋଟ ପାଇବା ତାଙ୍କ ସଫଳତାକୁ ଦର୍ଶାଉଛି । ୬୭ ହଜାରରୁ ଅଧିକ ଭୋଟରେ ବିଜେଡି ପ୍ରାର୍ଥୀଙ୍କ ଠାରୁ କଂଗ୍ରେସ ପ୍ରାର୍ଥୀ ପରାଜିତ ହୋଇଥିଲେ ବି ବିଜେପି ଠାରୁ ଆଗରେ ରହିବା କଂଗ୍ରେସ ପାଇଁ ଏକ ଚ୍ୟାଲେଞ୍ଜ ବୋଲି କହିଛନ୍ତି ପିସିସି ସଭାପତି । କାରଣ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚନ ଲଢି ତୃତୀୟ ସ୍ଥାନରେ ରହିଥିଲା । ହେଲେ ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଏକ ଉପ ନିର୍ବାଚନରେ ଦଳ ବିଜେପି ଠାରୁ ଅଧିକ ଭୋଟ ପାଇଥିବାରୁ ଏହାଦଳ ପାଇଁ ଶୁଭଙ୍କର ବୋଲି କୁହାଯାଉଛି ।