ବ୍ରଜରାଜନାଗର ଉପନିର୍ବାଚନରେ ପରାଜୟ ନେଇ ମୁହଁ ଖୁଲିଲେ ବିରୋଧୀ, ଜାଣନ୍ତୁ କଣ କହିଲେ କଂଗ୍ରେସ ଓ ବିଜେପି ନେତା

1,073

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନରେ ପୁଣି ଥରେ ବିରୋଧୀଙ୍କୁ ଚକମା ଦେଇ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର କିଶୋର ପଟେଲଙ୍କୁ ପାଖାପାଖି ୬୭ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି ବିଜେଡି ପ୍ରାର୍ଥୀ । ଏସବୁ ଭିତରେ ଏବେ ଆସିଛି ବିଜେପି ପ୍ରାର୍ଥୀ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ବୟାନ । ରାଧାରାଣୀ କହିଛନ୍ତି କି ପରାଜର କାରଣ ଖୋଜିବୁ । ଏହାସହ କାହଁକି ଏତେ କମ୍ ଭୋଟ ମିଳିଲା ତା ଉପରେ ମାନସମନ୍ଥନ କରାଯିବ ବୋଲି ରାଧାରାଣୀ ଗଣମାଧ୍ୟମ ଆଗରେ କହିଛନ୍ତି ।

କେବଳ ସେତିକି ନୁହେଁ ବିଜେଡି ବିରୋଧରେ ରାଧାରାଣୀ ବି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ଶାସକ ଦଳ ଇଭିଏମରେ ହେରଫେର କରିଛି । ଏହାସହ ଶାସକ ଦଳ ଲାଞ୍ଚ ଦେଇ ନିର୍ବାଚନ ଜିତିଥିବା କଥା ରାଧାରାଣୀ କହିଛନ୍ତି । କହିରଖୁ କି ଏହି ଉପନିର୍ବାଚନରେ ବିଜେପି ତୃତୀୟ ସ୍ଥାନରେ ରହିଛି । ରାଧାରାଣୀ ପଣ୍ଡାଙ୍କୁ ମାତ୍ର ୨୨,୬୩୦ ଖଣ୍ଡ ଭୋଟ ମିଳିଛି ।

ସେପଟେ କଂଗ୍ରେସ ପ୍ରାର୍ଥୀ ସମସ୍ତଙ୍କୁ ଚକିତ କରି ଏହି ଉପନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଛି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୨୭,୮୩୧ ଖଣ୍ଡ ଭୋଟ ମିଳିଛି । ଏହାକୁ ନେଇ ରାଜ୍ୟ କଂଗ୍ରେସ ସନ୍ତୁଷ୍ଟ ଥିବା ବେଳେ ଉପ ନିର୍ବାଚନର ଫଳାଫଳ ମୋଡ ବଦଳାଇବ ବୋଲି କହିଛନ୍ତି ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ । ପିସିସି ସଭାପତି କହିଛନ୍ତି କି ଏହା କଂଗ୍ରେସ ପାଇଁ ଏକ ଟର୍ଣ୍ଣି ପଏଣ୍ଟ । ଏହାସହ ରାଜ୍ୟ କଂଗ୍ରେସର ଲଢେଇ ବିଜେପି ସହ ନୁହେଁ ବରଂ ବିଜେଡି ସହ ଏବେ ଆରମ୍ଭ ହେଲା ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ଦଳ ଶୃଙ୍ଖଳିତ ଭାବେ ନିର୍ବାଚନ ଲଢିବାରୁ ଦ୍ୱିତୀୟ ସ୍ଥାନରେ ପହଂଚିପାରିଛି ବୋଲି ସେ କହିଛନ୍ତି ।