କନକ ବ୍ୟୁରୋ : ବ୍ରଜରାଜନଗରର ଉପନିର୍ବାଚନ ପାଇଁ କାହାକୁ ମିଳିବ ବିଜେଡି ଟିକେଟ । ଏନେଇ ଆରମ୍ଭ ହୋଇଛି ଅଙ୍କକଷା । ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ବିଜେଡି ଶିବିର ଏବେଠୁ ଚଳଚଞ୍ଚଳ ହୋଇ ଉଠିଛି । ତେବେ ବିଜେଡି ଟିକେଟ ଉପରୁ ଏଯାବତ ସସପେନ୍ସର ପରଦା ହଟିନି । ଆଉ ଏସବୁ ଭିତରେ ବ୍ରଜରାଜନଗର ଉପ-ନିର୍ବାଚନରେ ବିଜେଡି ଟିକେଟକୁ ନେଇ ବଡ ବୟାନ ଦେଇଛନ୍ତି ସ୍ୱର୍ଗତ ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତି ।

Advertisment

ଅଳକା କହିଛନ୍ତି, ନିୟମ ଦୃଷ୍ଟିରେ ସ୍ୱାମୀଙ୍କ ବିୟୋଗ ପରେ ଟିକେଟ ପାଇବାରେ ତାଙ୍କର ଅଧିକାର ରହିଛି । ନିର୍ବାଚନ ଲଢିବା ପାଇଁ ଟିକେଟ ପାଇବାକୁ ସେ ଯୋଗ୍ୟ । ତେଣୁ ତାଙ୍କୁ ଟିକେଟ୍ ମିଳିବ ବୋଲି ଆଶାବାଦୀ ଥିବା ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଦୃଢ ବିଶ୍ୱାସ ଥିବା କହିଛନ୍ତି । ଏଥିସହ ବ୍ରଜରାଜନଗର ଲୋକେ ଚାହୁଁଛନ୍ତି ସେ ନିର୍ବାଚନ ଲଢନ୍ତୁ, ଏନେଇ ପ୍ରତିକ୍ରିୟାରେ କହିଛନ୍ତି ଅଳକା ମହାନ୍ତି ।

୨୦୧୪ ଏବଂ ୨୦୧୯ରେ ସ୍ୱାମୀଙ୍କ ସହ ବୁଲି ପ୍ରଚାର କରିଥିଲେ ଅଳକା । ତେଣୁ ପ୍ରତ୍ୟକ୍ଷ ରାଜନୀତିକୁ ଆସିନଥିଲେ ମଧ୍ୟ ନିର୍ବାଚନକୁ ନେଇ ତାଙ୍କର ଅନୁଭୂତି ଥିବା ନେଇ କହିଛନ୍ତି ଅଳକା । ଲୋକେ ବାରମ୍ବାର ଫୋନ୍ କରି ନିର୍ବାଚନ ଲଢିବା ପାଇଁ କହୁଛନ୍ତି, ତେଣୁ ବିଜେଡି ଟିକେଟରେ ନିର୍ବାଚନ ଲଢିବା ପାଇଁ ଆଶାବାଦୀ ଥିବା କହିଛନ୍ତି ଅଳକା । ତେବେ ଟିକେଟ ପାଇଁ ଏଯାଏଁ କାହାକୁ ଭେଟିନି, ହେଲେ ଟିକେଟ ପାଇବା ତାଙ୍କର ଅଧିକାର ବୋଲି କହିଛନ୍ତି ଅଳକା । କେବଳ ଅଳକା ନୁହଁନ୍ତି ବ୍ରଜରାଜନଗର ଉପ-ନିର୍ବାଚନରେ ବିଜେଟି ଟିକେଟ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଟିକେଟ ରେସରେ ନବଙ୍କ ଝିଅ ଆଗରେ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଯେହେତୁ ବ୍ରଜରାଜନଗରରେ ବିଜେଡି ଟିକେଟରେ କିଶୋର ମହାନ୍ତି ବିଜୟୀ ହୋଇଥିଲେ, ତେଣୁ ପୁଣିଥରେ ଏହି ଆସନ ଅକ୍ତିଆର କରିବାକୁ ଚାହିଁବ ବିଜେଡି । କିନ୍ତୁ ଏହାପୂର୍ବରୁ ଯେପରି ଟିକେଟକୁ ନେଇ ଅସନ୍ତୋଷ ନ ରହିବ ସେଥିପାଇଁ ବିଜେଡି ପକ୍ଷରୁ ମାପିଚୁପି ଗୋଟି ଚାଳନା କରାଯାଉଛି ।