ବ୍ରଜରାଜନଗର ପାଇଁ ବଳ କଷାକଷି । ମୈଦାନକୁ ଓହ୍ଲାଇବେ କି ବିଜେପି-କଂଗ୍ରେସର ହେଭିୱେଟ୍ ? ପ୍ରଥମ ବିଜୟ ସ୍ୱାଦ ଚାଖିବାକୁ ବିଜେଡିର ବ୍ଲୁ-ପ୍ରିଣ୍ଟ୍ ।

ବିଜେଡି ଜନ୍ମ ହେବା ପରଠାରୁ ଏଠାରୁ କେବେ ବି ବିଜୟର ସ୍ୱାଦ ଚାଖିନାହିଁ । ପ୍ରଥମ ବିଜୟ ସ୍ୱାଦ ଚାଖିବାକୁ ବିଜେଡିର ବ୍ଲୁ-ପ୍ରିଣ୍ଟ ।

143

କନକ ବ୍ୟୁରୋ: ଝାରସୁଗୁଡ଼ା ଜିଲ୍ଲାର ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ମଧ୍ୟରୁ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଏକଦା କଂଗ୍ରେସ ଓ ବାମପନ୍ଥୀ ଦଳର ଏକ ଅଭେଦ୍ୟ ଦୁର୍ଗ ରହିଥିଲା । କିନ୍ତୁ ୨୦୧୪ରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୫୦ ହଜାର ୭୩୬ ଖଣ୍ଡ ଭୋଟରେ ବିଜୟୀ ହୋଇ ଏହି ଦୁର୍ଗ ଭାଙ୍ଗିବାକୁ ସଫଳ ହୋଇଥିଲେ । ସେହିପରି ୧୯୬୧ ମସିହା ଠାରୁ ୨୦୧୪ ମସିହା ମଧ୍ୟରେ ଏହି ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହୋଇଥିବା ୧୩ ଗୋଟି ବିଧାନସଭା ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟି ୬ ଥର, କଂଗ୍ରେସ ଓ ଓଡ଼ିଶା ଜନ କଂଗ୍ରେସ ୬ ଥର ଏବଂ ବିଜେପି ଥରେ ଏହି ଆସନ ଦଖଲ କରିଛି । କିନ୍ତୁ ବିଜେଡି ଜନ୍ମ ହେବା ପରଠାରୁ ଏଠାରୁ କେବେ ବି ବିଜୟର ସ୍ୱାଦ ଚାଖିନାହିଁ ।

୨୦୦୦ ମସିହାରେ ଏଠାରେ ବିଜେପି ୧୦ ହଜାର ଭୋଟରେ ପରାଜୟ ବରଣ କରିଥିବା ବେଳେ ୨୦୦୪ରେ ଏହାର ହାର କମିଯାଇ ୧୧ ଶହକୁ ଓ ୨୦୦୯ରେ ୧୭ ଶହକୁ ଚାଲି ଆସିଥିଲା। ୨୦୧୪ ନିର୍ବାଚନ ପୂର୍ବରୁ ଅନୁପ ସାଏ କଂଗ୍ରେସ ଦଳରୁ ଇସ୍ତଫା ଦେଇ ଶାସକ ବିଜେଡ଼ି ଦଳରେ ଯୋଗଦେଇ ଏଠାରୁ ବିଜେଡ଼ି ଟିକେଟରେ ପ୍ରତିଦ୍ବନ୍ଦିତା କରିଥିଲେ । ତାଙ୍କୁ ଟକ୍କର ଦେଇ ବିଜେପି ରାଧାରାଣୀ ପଣ୍ଡାଙ୍କୁ ପ୍ରୀର୍ଥୀ କରାଇଥିଲା ଏବଂ ସେ ବିଜେଡି ପ୍ରାର୍ଥୀ ଅନୁପ ସାଏଙ୍କୁ ୬ ହଜାର ୭ ଶହ ଭୋଟରେ ପରାସ୍ତ କରିଥିଲେ।

ଆଗାମୀ ୨୦୧୯ ନିର୍ବାଚନରେ ରାଧାରାଣୀ ପଣ୍ଡା ତାଙ୍କ ଆସନ ବଜାୟ ରଖିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଥିବା ବେଳେ ଅନୁପ ସାଏ ଏହି ଆସନରେ ପୁଣି ଥରେ ବିଜୟୀ ହେବାକୁ ଅଣ୍ଟା ଭିଡ଼ିଛନ୍ତି । ବିଜେପିରେ ପ୍ରଥମ ଥର ବିଧାୟିକା ହୋଇ ଶ୍ରୀମତୀ ପଣ୍ଡା ବିଧାନସଭାରେ ମଧ୍ୟ ସରକାରଙ୍କୁ ବାରମ୍ବାର ଅସୁବିଧାରେ ପକାଇ ନିଜର ସ୍ଥିତି ସୁଦୃଢ଼ କରିପାରିଛନ୍ତି। ଆଗାମୀ ନିର୍ବାଚନରେ ଶ୍ରୀମତୀ ପଣ୍ଡାଙ୍କୁ ବିଜେପି ଟିକେଟ ମିଳିବାରେ ସେପରି କୌଣସି ଅସୁବିଧା ନାହିଁ ।

ସେପଟେ କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିବା ପରେ ଅନୁପ ସାଏ ଏଠାରେ ବିଜେଡ଼ିକୁ ସଂଗଠିତ କରିଛନ୍ତି । ନିର୍ବାଚନ ମଣ୍ଡଳୀରେ ଘନଘନ ଗସ୍ତ କରୁଛନ୍ତି। ବିଜେଡ଼ି ଟିକେଟ ନେଇ ପୂର୍ବ ବିଧାୟକ ଅନୁପ ସାଏ ଆଶାବାଦୀ ଥିବାବେଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତିଙ୍କୁ ମଧ୍ୟ ଏଠାରେ ଟିକେଟ ମିଳିବା ନେଇ ଆଲୋଚନା ହେଉଛି।

ବିଜେପି ଓ ବିଜେଡ଼ି ତୁଳନାରେ କଂଗ୍ରେସ ସଂଗଠନ ଏଠାରେ ଦୁର୍ବଳ ହୋଇ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି । କିନ୍ତୁ କଂଗ୍ରେସ ଟିକେଟ ପାଇବା ପାଇଁ ପୂର୍ବତନ ବାଚସ୍ପତି କିଶୋର ପଟେଲ ନିଶ୍ଚିତ ଥିବା ବେଳେ ଗଣ୍ଡୱାନା ଗୋଣ୍ଡ ସମାଜର ନେତା ମହେନ୍ଦ୍ର ନାୟକ ଏଠାରୁ କଂଗ୍ରେସ ଟିକେଟ ପାଇବା ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ତିନି ଦଳର ହେଭିୱେଟଙ୍କ ମଧ୍ୟରେ ଆଗାମୀ ନିର୍ବାଚନରେ କଡ଼ା ଲଢ଼େଇ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।