ସର୍ବହରା କରିଦେଲା ଇନ୍ଦ୍ରାବତୀ ପ୍ରକଳ୍ପ । ୧୭୫ ଏକର ଜମି ମାଲିକ ଏବେ ମୁଲିଆ ସାଜି କରୁଛନ୍ତି କାମ।

217

କନକ ବ୍ୟୁରୋ: ସର୍ବହରା କରିଦେଲା ଇନ୍ଦ୍ରାବତୀ ପ୍ରକଳ୍ପ । ୧୭୫ ଏକରରୁ ଅଧିକ ଜମିର ମାଲିକ ଏବେ ମୂଲିଆ। ଦିନେ ଯାହା ଘରେ ଶହ ଶହ ଶ୍ରମିକ କାମ କରୁଥିଲେ ବର୍ତ୍ତମାନ ସେ ନିଜେ ଅନ୍ୟ ଘରେ ମୂଲିଆ । ଏ ହେଉଛି ନବରଙ୍ଗପୁର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଃଖ । ଏଭଳି ଜଣେ ବିସ୍ଥାପିତ ହେଉଛନ୍ତି ନବରଙ୍ଗପୁର ଇନ୍ଦ୍ରାବତୀ ସହର ଫଟାଗୁଡାର ଗ୍ରାମର ବ୍ରଜ ସୁନ୍ଦର ବିଷୋୟୀ । ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ ସମୟରେ ୧୭୫ ଏକର ପୈତୃକ ସମ୍ପତ୍ତି ହରାଇ ଉପଯୁକ୍ତ କ୍ଷତିପୂରଣ ନପାଇ ବର୍ତ୍ତମାନ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି ବ୍ରଜ ସୁନ୍ଦର ।

ଦିନେ ୧୭୫ ଏକର ଜମିର ମାଲିକ ଥିଲେ ବ୍ରଜ ସୁନ୍ଦର ବିଶୋଇ । ଶହ ଶହ ମୁଲିଆଙ୍କୁ କାମ ଯୋଗାଇ ଦେଇଥିଲେ । କିନ୍ତୁ ଇନ୍ଦ୍ରାବତୀ ପ୍ରକଳ୍ପ ହେବା ପରେ ବ୍ରଜ ଜୀବନରେ ଘୋଟି ଆସିଲା ଅନ୍ଧାର । ପ୍ରକଳ୍ପ ପାଇଁ ଜମି ହରାଇ ଶ୍ରମିକ ସାଜିଲେ ବ୍ରଜ ସୁନ୍ଦର । ଏବେ ସ୍ତ୍ରୀଙ୍କ ସହ ମିଶି ବ୍ରଜ ପର ଘରେ ମୁଲ ଲାଗୁଥିବା ବେଳେ ପୁଅମାନେ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି ।

ବ୍ରଜ ସୁନ୍ଦରଙ୍କ ପୈତୃକ ଜମି ନବରଙ୍ଗପୁର ଜିଲ୍ଲାରୁ କୋରାପୁଟ ଯାଏଁ ଥିଲା । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ ମୁଣ୍ଡିଗୁମ୍ମା ଗାଁରେ ୯୩ ଏକର,ମୁଣ୍ଡାଗୁଡାରେ ୬ ଏକର ଏବଂ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଆମ୍ବଗୁଡା ଗାଁରେ ୮୦ ଏକର ଜମି ଥିଲା । ଏସବୁ ଜମି ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ହରାଇଛନ୍ତି ବ୍ରଜ ସୁନ୍ଦର । ଆଉ ଏହି ଜମି ବାବଦକୁ ସରକାରଙ୍କ ପକ୍ଷରୁ ମିଳିଛି ପ୍ରାୟ ୨ ଲକ୍ଷ ୭୧ ହଜାର ଟଙ୍କା । ଯାହା ଜୀବନ ଯାକ ଚଳିବା ପାଇଁ ସମୁଦ୍ରକୁ ସଂଖେ ବୋଲି କହିଛନ୍ତି ବ୍ରଜ ସୁନ୍ଦର । ପ୍ରକଳ୍ପ ପାଇଁ ସର୍ବହରା ହୋଇଥିବା ବ୍ରଜ ବିଶୋଇ ମୁଲିଆ ସାଜିଥିବା ବେଳେ ଦାଦନ ସାଜିଛନ୍ତି ତାଙ୍କ ପୁଅ ।

ବିସ୍ଥାପିତ ନୀତି ପାଳନ କରୁନାହାନ୍ତି ସରକାର । ୪୦ ବର୍ଷ ତଳେ ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ ବେଳେ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନାହାନ୍ତି, କି ବିସ୍ଥାପିତଙ୍କୁ କୌଣସି ସୁବିଧା ସୁଯୋଗ ଯୋଗାଇ ଦେଉନଥିବା ବୁଡି ଅଂଚଳ ବିକାଶ ପରିଷଦ ଅଭିଯୋଗ କରିଛି । ସେପଟେ ବିସ୍ଥାପିତଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପୁଣି ପ୍ରତିଶ୍ରୁତି ଦେଇଛନ୍ତି ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ।