ଭାରି ପଡିଲା କି ନରମ ହିନ୍ଦୁତ୍ୱ ଆଭିମୁଖ୍ୟ? କଂଗ୍ରେସ ଶିବିରରେ ମାନସ ମନ୍ଥନ, ବଦଳିବ କି ଦଳର ଏଜେଣ୍ଡା?

176

କନକ ବ୍ୟୁରୋ: ୩ ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଦଳ ଭିତରେ ଓ ବାହାରେ ଜୋରଦାର ବିତର୍କ ଆରମ୍ଭ ହୋଇଛି । ଦେଶର ବିଜେପିକୁ ମାତ ଦେବା ପାଇଁ ହିନ୍ଦୁତ୍ୱକୁ ନେଇ ନରମ ଆଭିମୁଖ୍ୟ ଦେଖାଇ ଆସୁଥିଲା କଂଗ୍ରେସ । ପ୍ରଚାର ବେଳେ ରାହୁଲ ଗାନ୍ଧି ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ଚିତ୍ର ବାରମ୍ବାର ସାମ୍ନାକୁ ଆସୁଥିଲା । କୁହାଯାଉଛି, ଦଳର ଏହି ଆଭିମୁଖ୍ୟ ଭୋଟରଙ୍କ ଉପରେ ବିଶେଷ କିଛି ପ୍ରଭାବ ପକାଇଲା ନାହିଁ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦଳର ଖରାପ ପ୍ରଦର୍ଶନ ପାଇଁ ଏହାକୁ ଦାୟୀ କରିଛନ୍ତି କିଛି ବରିଷ୍ଠ ନେତା ।

ଏପଟେ ଓଡ଼ିଶାରେ ଦଳ ସଂକୀର୍ତ୍ତନ ଯାତ୍ରା ଓ ତୁଳସୀ ଯାତ୍ରା କରି ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଓ ରତ୍ନଭଣ୍ଡାର ଗଣତି ମଣତି ଦାବିକୁ ଜୋରଦାର କରିଥିଲା । ୩ ରାଜ୍ୟର ଫଳାଫଳ ଆସିବା ପରେ ଏଭଳି ପ୍ରସଙ୍ଗ ବୁମେରାଂ ହୋଇପାରେ ବୋଲି ମତ ଦେଇଛନ୍ତି ରାଜନୈତିକ ସମୀକ୍ଷକ ।

କର୍ଣ୍ଣାଟକରେ ଡି.କେ ଶିବକୁମାର ଓ ତେଲେଙ୍ଗାନାରେ କେ. ରେବନ୍ତ ରେଡି ଯେଭଳି ଭାବେ ଦଳକୁ ଏକ ନମ୍ବର କରି କ୍ଷମତା ହାସଲ କରିଛନ୍ତି, ସେହିଭଳି ଫଳାଫଳ ଆଶା ରଖିଛନ୍ତି ଓଡ଼ିଶା କଂଗ୍ରେସ ନେତା । ୯ରୁ ୯୦ ମିସନ ସଫଳ ହେବ ବୋଲି କହିଛନ୍ତି ପିସିସି ସଭାପତି । ବର୍ତମାନର ସ୍ଥିତିକୁ ଦେଖିଲେ, ଓଡ଼ିଶା ରାଜନୀତିରେ କଂଗ୍ରେସ ଦେଖୁଥିବା ସ୍ୱପ୍ନ ସାକାର ହେବ ତ? ସବୁଠୁ ବଡ଼ ପ୍ରଶ୍ନ ହେଉଛି – କିଏ ହେବ ଓଡ଼ିଶାର ରେବନ୍ତ ରେଡ୍ଡି?