ଓଡ଼ିଶାରୁ ବ୍ରେନ ମ୍ୟାଲେରିଆ ପାଇଁ ବାହାରିଲା ଔଷଧ, ଜୀବଜନ୍ତୁଙ୍କ ଉପରେ ପରୀକ୍ଷଣ ସଫଳ । ଖୁବଶୀଘ୍ର ହେବ ମାନବ ପରୀକ୍ଷଣ ।

75

କନକ ବ୍ୟୁରୋ : ମ୍ୟାଲେରିଆ ରୋଗର ନିରାକରଣ ଲାଗି ଓଡ଼ିଶାରୁ ବାହାରିଲା ଔଷଧ। ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଅରୁଣ ନାଗରାଜ ଓ ତାଙ୍କ ଟିମ୍‌ ବ୍ରେନ୍‌ ମ୍ୟାଲେରିଆର ନିରାକରଣ ପାଇଁ ଔଷଧ ଉଦ୍ଭାବନ କରିଛନ୍ତି। ଉକ୍ତ ଔଷଧକୁ ଇତିମଧ୍ୟରେ ଜୀବଜନ୍ତୁଙ୍କ ଉପରେ ପରୀକ୍ଷଣ କରାଯାଇଛି ଏବଂ ଶତ ପ୍ରତିଶତ ସଫଳତା ମଧ୍ୟ ମିଳିଛି। ତେଣୁ ଏହାର ଖୁବ୍‌ଶୀଘ୍ର ମାନବ ପରୀକ୍ଷଣ କରାଯିବ ବୋଲି ଆଇଏଲଏସ୍‌ ପକ୍ଷରୁ କୁହାଯାଇଛି। ଏହି ଔଷଧ ସମ୍ପର୍କରେ ଅନ୍ତର୍ଜାତୀୟ ସପ୍ତାହିକ ବୈଜ୍ଞାନିକ ପତ୍ରିକା ‘ନେଚର୍‌’ରେ ପ୍ରକାଶ ପାଇଥିବା ଜଣାପଡ଼ିଛି।

ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ମ୍ୟାଲେରିଆ ପ୍ରବଣ ହେବା ସହ ‌ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଆଇଏଲଏସ୍‌ର ପୂର୍ବତନ ନିର୍ଦ୍ଦେଶକ ଅଜୟ କୁମାର ପରିଡ଼ା ତାଙ୍କ ସମୟରେ ମ୍ୟାଲେରିଆ ଔଷଧ ଉଦ୍ଭାବନ ସମ୍ପର୍କିତ ଗବେଷଣାକୁ ଗୁରୁତ୍ବ ଦେଇଥିଲେ। ବୈଜ୍ଞାନିକମାନଙ୍କୁ ଏକ୍ଷେତ୍ରରେ କାମ କରିବାକୁ ପ୍ରୋତ୍ସାହିତ କରିବା ସହ ପରାମର୍ଶ ମଧ୍ୟ ଦେଉଥିଲେ। ପରିଣାମ ସ୍ବରୂପ ବୈଜ୍ଞାନିକଙ୍କ କଠିନ ପରିଶ୍ରମ ପରେ ମ୍ୟାଲେରିଆ ଔଷଧ ଉଦ୍ଭାବନ କରିବାରେ ସଫଳ ହୋଇଛି ଆଇଏଲଏସ୍‌। ଗବେଷଣାରୁ ବାହାରିଥିବା ଔଷଧର ଦୁଇଟି ପେଟେଣ୍ଟ୍‌ ପ୍ରସ୍ତୁତ କରିବା ଦିଗରେ ଆଇଏଲଏସ୍‌ ଏବେ ପଦକ୍ଷେପ ନେବାକୁ ଯାଉଛି।

କେବଳ ମ୍ୟାଲେରିଆ ନୁହେଁ, ଏଠାକାର ବୈଜ୍ଞାନିକମାନେ ଜନଜାତିଙ୍କୁ ହେଉଥିବା ରୋଗ ଚିହ୍ନଟ ଏବଂ ନିରାକରଣ ଉପରେ ଗବେଷଣା ଜାରି ରଖିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ମେଡିକାଲ, ଗବେଷଣା ସଂସ୍ଥା, ବିଭିନ୍ନ କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନର ମିଳିତ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛି। ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଜନଜାତିର ଲୋକେ ବସବାସ କରୁଥିଲେ ମଧ୍ୟ ସେମାନଙ୍କ ନିକଟରେ ଉପଯୁକ୍ତ ଚିକିତ୍ସା ସୁବିଧା ପହଞ୍ଚିପାରୁନି। ଠିକ୍‌ ସମୟରେ ଚିକିତ୍ସା ସୁବିଧା ଉପଲବ୍ଧ ହେଉ ନ ଥିବାରୁ ସାମାନ୍ୟ ରୋଗ ମହାମାରୀର ରୂପ ନେଉଛି। ଫଳରେ ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଅନେକ ଜନଜାତିଙ୍କ କ୍ଷେତ୍ରରେ ବଂଶଗତ ରୋଗ ମଧ୍ୟ ବ୍ୟାପୁଥିବା ଦେଖିବାକୁ ମିଳୁଛି। ପରବର୍ତୀ ସମୟରେ ତାହା ମହାମାରୀର ରୂପ ନେଉଛି। ମ୍ୟାଲେରିଆ, ଥାଲାସେମିଆ, ସିକିଲସେଲ ପରି ରୋଗ ଜନଜାତିଙ୍କଠାରେ ଅଧିକ ଦେଖିବାକୁ ମିଳୁଛି। କ’ଣ ପାଇଁ ରୋଗ ମହାମାରୀ ରୂପ ନେଉଛି ତାହା ଉପରେ ଆଇଏଲଏସ୍‌ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି।