କନକ ବ୍ୟୁରୋ : ସୁରଟରେ ଓଡିଆ ପୁଅଙ୍କ ମହାନତା । ମୃତ୍ୟୁ ପୂର୍ବରୁ ଅଙ୍ଗଦାନ କରି ୫ଟି ବ୍ୟକ୍ତିଙ୍କୁ ଦେଲେ ନୂଆ ଜୀବନ । ସୂରଟର ଏକ ସୁତାକଳରେ କାମ କରୁଥିବା ଗଂଜାମ ବେଲଗୁଣ୍ଠା ବ୍ଲକ ଅଲାଡି ଗାଁର ସୁଶୀଲ ସାହୁଙ୍କ ଅଙ୍ଗ ଦାନ ନିଷ୍ପତି ୫ଜଣ ରୋଗୀଙ୍କୁ ନୂଆ ଜୀବନ ଦେଇଛି । ୫ ଦିନ ତଳେ ସୁଶୀଲ ସୁତାକଳରେ କାମ କରୁଥିବା ସମୟରେ ଉଚ୍ଚ ରକ୍ତଚାପ ଯୋଗୁଁ ତଳେ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଗତ ୨୭ ତାରିଖରେ ସୁଶୀଲଙ୍କ ବ୍ରେନଡେଡ୍ ହୋଇଯାଇଥିବା କହିଲେ ଚିକିତ୍ସା କରୁଥିବା ଡାକ୍ତର ।

Advertisment

ତାଙ୍କୁ ୩୬ ଘଂଟା ନିରୀକ୍ଷଣରେ ରଖାଯାଇଥିଲା । ସ୍ୱାସ୍ଥ୍ୟରେ ଉନ୍ନତି ନ ଆସିବାରୁ ସୁଶୀଲଙ୍କ ଅଙ୍ଗଦାନ ନିଷ୍ପତି ନେଇଥିଲେ ପରିବାର ଲୋକେ । ଡାକ୍ତରଙ୍କ ପରାମର୍ଶରେ ହାର୍ଟ, ଲିଭର, କିଡନୀ, ଦୁଇଟି ଆଖି ଦାନ କରାଯାଇଛି । ସୁଶୀଲଙ୍କ ହାର୍ଟକୁ ସୁରଟରୁ ଚେନ୍ନାଇ ୧ ହଜାର ୬୧୦ କିମି ଦୂରତାକୁ ମାତ୍ର ୨୧୧ ମିନିଟରେ ଆଣି ଜଣେ ୪୭ ବର୍ଷ ରୋଗୀଙ୍କ ଦେହରେ ସଫଳ ପ୍ରତ୍ୟାରୋପଣ କରାଯାଇଛି । ସେହିଭଳି ଲିଭର ଓ ଦୁଇଟି କିଡନୀକୁ ଅହମ୍ମାବାଦ ହସ୍ପିଟାଲର ଦୁଇ ଜଣ ରୋଗୀଙ୍କ ଦେହରେ ପ୍ରତ୍ୟାରୋପଣ କରାଯାଇଛି । ଦୁଇଟି ଆଖି ମଧ୍ୟ ଦାନ କରିଛନ୍ତି ସୁଶୀଲ । ଫଳରେ ୫ ଜଣଙ୍କୁ ନୂଆ ଜୀବନ ମିଳିଛି । ପୂର୍ବରୁ ଗଂଜାମର ସୁରଜ ବେହେରା ନାମକ ଜଣେ ଯୁବକ ସୁରଟରେ ଅଙ୍ଗଦାନ କରି ଚର୍ଚ୍ଚାକୁ ଆସିଥିଲେ ।

ଏହା ପୂର୍ବରୁ ୨୦୧୯ ଅକ୍ଟୋବର ୨୯ ତାରିଖରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଲାଲସିଂ ଗ୍ରାମର ସୁରଜ ବେହେରା ମାତ୍ର ୨୩ ବର୍ଷ ବୟସରେ ୬ଟି ଗୁରୁତ୍ବପୂର୍ଣ୍ଣ ଅଙ୍ଗଦାନ କରିଥିଲେ। ଏହାପରେ ୨୦୨୦ ଫେବ୍ରୁଆରି ୪ ତାରିଖରେ ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ର ଦୁର୍ଘଟଣାରେ ଗୁରୁତର ହେବା ପରେ ତାଙ୍କ ପରିବାରର ସମ୍ମତି କ୍ରମେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌କୁ ତାଙ୍କର ୬ଟି ଅଙ୍ଗ ଦାନ କରାଯାଇଥିଲା। ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ‘ସୁରଜ ସମ୍ମାନ’ରେ ସମ୍ମାନିତ କରିଆସୁଛନ୍ତି।