ଗଂଜାମରେ ଦଣ୍ଡଯାତ୍ରାର ଧୂମ୍ ! ଇଶ୍ୱରଙ୍କ ଆଶିଷ ପାଇଁ ଶରୀରକୁ କଷ୍ଟ ଦେଉଛନ୍ତି ମାନସିକଧାରୀ

37

କନକ ବ୍ୟୁରୋ: ହଜାର ହଜାର ବର୍ଷଧରି ଗଞ୍ଜାମ ଜିଲ୍ଳାରେ ପାଳିତ ହୋଇଆସୁଛି ଦଣ୍ଡଯାତ୍ରା । ମାନସିକଧାରୀମାନେ ଶରୀରକୁ କଷ୍ଟ ଦେଇ ଇଶ୍ୱର ପ୍ରାପ୍ତି ପାଇଁ ଏହି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି । ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛନ୍ତି ଦଣ୍ଡୁଆ । ଦଣ୍ଡ ଯାତ୍ରାର ଅରମ୍ଭରୁ ଶେଷ ଯାଏଁ ଦଣ୍ଡୁଆମାନେ ଶରୀରକୁ କଷ୍ଟ ଦେଇ ଭଗବାନଙ୍କ ନିକଟରେ ନିଜକୁ ସମର୍ପଣ କରିଥାନ୍ତି । ଏହି ଦଣ୍ଡଯାତ୍ରା ପରମ୍ପରା ଗଞ୍ଜାମ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ ।

ପ୍ରଚଣ୍ଡ ରୌଦ୍ର ତାପରେ ମାଟିରେ ଗଡ଼ୁଛନ୍ତି ମାନସିକଧାରୀ । ଦେହରେ ଗେରୁଆ ବସ୍ତ୍ର ଧାରଣ କରି ଗଂଜାମ ଜିଲ୍ଲାର ଗାଁରୁ ସହର ସବୁଠି ବୁଲୁଛନ୍ତି ଦଣ୍ଡୁଆ । ଇଶ୍ୱରଙ୍କ ଆଶିସ ପାଇଁ ମେରୁ ସଙ୍କରାନ୍ତିର ୧୩ ଦିନ ପୂର୍ବରୁ ନିଜ ଗାଁ ମନ୍ଦିରରୁ ବାହାରିଥାନ୍ତି ଦଣ୍ଡୁଆ । ମାନସିକଧାରୀ ମାନେ ଗୋଟିଏ ଥର ଖାଦ୍ୟ ଖାଉଥିବା ବେଳେ ୧୬ ଦଣ୍ଡ ଭୋଗିଥାନ୍ତି । ଦିନ ୧୨ଟାରେ ଧୂଳିଦଣ୍ଡ, ଅପରାହ୍ନରେ ପାଣି ଦଣ୍ଡ, ସଂଧ୍ୟାରେ ଆଳତୀ ଏବଂ ରାତିରେ ଅଗ୍ନିଦଣ୍ଡ କରିଥାନ୍ତି ମାନସିକଧାରୀ । ଦଣ୍ଡୁଆମାନେ ବିଭିନ୍ନ କୃଷି ସମ୍ବନ୍ଦୀୟ ଦଣ୍ଡ ପରିବେଶଣ କରିଥାନ୍ତି ।

ଦଣ୍ଡନାଚରେ ହର ପାର୍ବତୀ ଓ ଚମ୍ପା ଗୋଷେଇଁକୁ ପୂଜା କରାଯାଏ । କୁହାଯାଏ, ମାନସିକ ପୂରଣ ହେବା ପରେ ଦଣ୍ଡନାଚ କରିଥାନ୍ତି ମାନସିକଧାରୀ । ଚୌତ୍ର ମାସରେ ପ୍ରାୟ ଏକ ମାସ ଧରି ଦଣ୍ଡଯାତ୍ରା କରାଯାଏ ।