କନକ ବ୍ୟୁରୋ : ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର କରୋନା ସମୟରେ ଆସିଥିବା ୮ ଟି ବଡ ସିନେମାର ରେକର୍ଡ ଭାଙ୍ଗି ଦେଇଛି । ବ୍ରହ୍ମାସ୍ତ୍ରର ପ୍ରଥମ ଦିନ କଲେକସନ ଆପଣଙ୍କୁ ଚକିତ କରିଦେଇପାରେ । ଏହି ସିନେମାର ପ୍ରଥମ ଦିନ କଲେକସନ ଭାରତରେ ୩୬ କୋଟି ଟଙ୍କା ହୋଇଥିବା ବେଳେ ମୋଟ ୭୫ କୋଟି ଟଙ୍କା କଲେକସନ ହୋଇଛି । ଏଭଳି ଭାବେ କରୋନା ପରେ ରିଲିଜ ହୋଇଥିବା ସମସ୍ତ ୮ ଟି ବଡ ସିନେମାର ରେକର୍ଡ ଭାଙ୍ଗିଛି ବ୍ରହ୍ମାସ୍ତ୍ର ।

Advertisment

କରୋନା ପରେ ୨୦୨୧ ଅକ୍ଟୋବର ମାସରେ ପ୍ରଥମଥର ପାଇଁ ସିନେମା ହଲ ଖୋଲିଥିଲା । ଏହାପରେ ପାଖାପାଖି ୨୭ ଟି ସିନେମା ଥିଏଟରରେ ରିଲିଜ ହୋଇଛି । ଏଥିରେ ଅକ୍ଷୟ କୁମାର, ଅମୀର ଖାନ,ଙ୍କ ଭଳି ବଡ ଷ୍ଟାର କାଷ୍ଟର ୮ ଟି ସିନେମା ଥିଏଟରକୁ ଆସିଛି । ହେଲେ ପ୍ରଥମ ଦିନରେ ବ୍ରହ୍ମାସ୍ତ୍ର ଯେତେ ଟଙ୍କା କଲେକସନ କରିପାରିଛି ତାହା ଅନ୍ୟ ସିନେମାର ପ୍ରଯୋଜକମାନେ କରିପାରି ନଥିଲେ ।

ଯଦି ଆମେ ସେହି ବଡ ଷ୍ଟାରକାଷ୍ଟର ୮ ଟି ସିନେମା କଥା କହିବା ତେବେ ୧୬୦ କୋଟି ବଜେଟରେ ପ୍ରସ୍ତୁତ ହୋଇଥିବା ସୂର୍ଯ୍ୟବଂଶୀ ପ୍ରଥମ ଦିନ ୩୪ କୋଟି, ୧୭୫ କୋଟି ବଜେଟର ସମ୍ରାଟ ପୃଥୀରାଜ ୧୨.୭୦ କୋଟି, ୧୬୦ କୋଟି ବଜେଟର ଗଙ୍ଗୁବାଇ କାଠିଆବାଡି ୧୮.୪୭ କୋଟି, ୧୨ କୋଟି ବଜେଟର ଦ କାଶ୍ମୀର ଫାଇଲ ୭.୫୫ କୋଟି, ୧୫୦ କୋଟି ବଜେଟର ସମଶେର ୧୧.୫୦ କୋଟି, ୭୦ କୋଟି ବଜେଟର ଭୁଲ ଭୂଲେୟା ୨୦.୧୧ କୋଟି, ୧୮୦ କୋଟି ବଜେଟର ଲାଲ୍ ସିଂ ଚଡ୍ଡା ୨୨ କୋଟି, ୭୦ କୋଟି ବଜେଟର ରକ୍ଷା ବନ୍ଧନ ପ୍ରଥମ ଦିନରେ ୧୦.୨୦ କୋଟି ଟଙ୍କା କଲେକସନ କରିବାରେ ସଫଳ ହୋଇଥିଲା । ହେଲେ ବ୍ରହ୍ମାସ୍ତ୍ର ବଜେଟ ଟିକେ ଉଚ୍ଚା ରହିଛି । ଏହି ସିନେମା ନିର୍ମାଣରେ ୪୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କଥା କୁହାଯାଉଥିବା ବେଳେ ଏହା ପ୍ରଥମ ଦିନରେ ୭୫ କୋଟି ଟଙ୍କା କଲେକସନ କରିଛି ।