ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବ: ସାମିଲ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

43

କନକ ବ୍ୟୁରୋ: ତିନି ଦିନ ହେଲା ଓଡିଶାରେ ଅଛନ୍ତି ମହାମହିମ ରାଷ୍ଟ୍ରପତି । ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଦେଶର ପ୍ରଥମ ନାଗରିକ କହିଛନ୍ତି, ସମାବର୍ତନ ଉତ୍ସବ ଛାତ୍ରଛାତ୍ରୀଙ୍କ ସାଧନା ଓ ସଫଳତାରୁ ସ୍ୱୀକୃତିର ପର୍ବ । କଟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ବ୍ରହ୍ମକୁମାରୀଙ୍କ ସ୍ୱର୍ଣ୍ଣ ଜୟନ୍ତୀରେ ସମାରୋହରେ ବକ୍ତବ୍ୟ ରଖି ଆଧ୍ୟାତ୍ମିକ ମାର୍ଗ ସଂପର୍କରେ ପରାମର୍ଶ ହେଇଛନ୍ତି ମହାମହିମ ।

ବ୍ରହ୍ମପୁରର ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଉତ୍ସବର ମାହୋଲ । ଓଡିଶାର ଅନ୍ୟତମ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଭଂଜବିହାରର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ନୂଆ ଉତ୍ସାହ ।

ଗୋଟିଏ ପଟେ ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତନ ଉତ୍ସବ ଆଉ ସେହି ଉତ୍ସବରେ ସାମିଲ ହୋଇଛନ୍ତି ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ । ଏଭଳି ସୁଯୋଗ କେତେ ଛାତ୍ରଛାତ୍ରୀଙ୍କ ଭାଗ୍ୟରୁ ଜୁଟେ ।

ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ସମାବର୍ତନ ଉତ୍ସବ କେବଳ ପ୍ରମାଣ ପତ୍ର ପାଇବାର ଉତ୍ସବ ନୁହେଁ । ଏହା ତୁମ ମାନଙ୍କର ସାଧନାର ପର୍ବ ଓ ସଫଳତାରୁ ସ୍ୱୀକୃତିର ପର୍ବ । ଏହାଛଡା ମହିଳା ସଶକ୍ତୀକରଣ, ସ୍ୱାଧୀନତାସଂଗ୍ରାମୀଙ୍କ ବିରତ୍ୱର ଗାଥାକୁ ମନେ ପକାଇଥିଲେ ମହାମହିମ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ଦେଇ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ।

ବ୍ରହ୍ମପୁରରୁ ରାଷ୍ଟ୍ରପତି ଭୁବନେଶ୍ୱର ଫେରିଆସି ରାଜଭବନରେ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେଇଥିଲେ । ଅପରାହ୍ଣରେ କଟକ ଗସ୍ତ କରି ଇନଡୋର ଷ୍ଟାଡିୟମରେ ଆୟୋଜିତ ଓଡିଶା ବ୍ରହ୍ମକୁମାରୀଙ୍କ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହୋଇଥିଲେ ।

ବ୍ରହ୍ମକୁମାରୀଙ୍କ ସ୍ୱର୍ଣ୍ଣ ଜୟନ୍ତୀରେ ରାଷ୍ଟ୍ରପତି ଆଧ୍ୟାତ୍ମିକ ମାର୍ଗ ସଂପର୍କରେ ବକ୍ତବ୍ୟ ରଖି ଉପସ୍ଥିତ ସମସ୍ତଙ୍କୁ ଚମକ୍ରୃତ କରି ଦେଇଥିଲେ । ଜୀବନ, ଜିବିକା ଓ ଆଧ୍ୟାତ୍ମିକତା ମଧ୍ୟରେ ସମନ୍ୱୟ ରଖିବାକୁ ପରାମର୍ଶ ଦେଇଥିଲେ । ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ଜୀବ ରୁପୀ ଆତ୍ମାର ଲକ୍ଷ୍ୟ କଣ ହେବା ଉଚିତ ବୁଝାଇବା ସହ ସମାଜ ସେବା ଉପରେ ଗୁରୁତ୍ୱ ଦେଇଥିଲେ । ବର୍ତମାନ ଯୁଦ୍ଧରେ ତ୍ରସ୍ତ ବିଶ୍ୱକୁ କେବଳ ଆଧ୍ୟାତ୍ମିକ ମାର୍ଗ ହିଁ ଶାନ୍ତିର ରାସ୍ତା ଦେଖାଇ ପାରିବ ବୋଲି କହିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଅନ୍ତିମ ଦିନରେ ସମ୍ବଲପୁୂର ଗସ୍ତରେ ଯାଇ ବିଭିନ୍ନ କାଯ ର୍୍ୟକ୍ରମରେ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି ।