ପିଚୁ ରାସ୍ତାରେ ଷ୍ଟିଲ ରଡ ପିଟି ବାହାର କରୁଛନ୍ତି ସଙ୍ଗୀତ : ଛନ୍ଦହୀନ ବେସୁରା ଜୀବନକୁ ଜିଇଁବାକୁ ଏମିତି ପନ୍ଥା ଆପଣାଇଛନ୍ତି ଦିବ୍ୟାଙ୍ଗ

143

କନକ ବ୍ୟୁରୋ : ବିଶାଳ ସଂସାରରେ ଜୀବନ ଜୀବିକାର ତାଳଲୟ ଭାଙ୍ଗିଗଲେ ମଣିଷର ଜୀବନ ଦୁର୍ବିଶୟ ହୋଇଯାଏ । ସଂସାରରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି । ଯେଉଁମାନେ ଜନ୍ମରୁ ହେଉ ଅବା ଖୁବ କମ ବୟସରୁ ତାଳହୀନ, ଛନ୍ଦ ହୀନ ଭାବେ ଦୁଃଖୀ ଜୀବନ ବିତାଇଥାନ୍ତି । କିନ୍ତୁ କିଛି ଏଭଳି ବି ବ୍ୟକ୍ତି ଅଛନ୍ତି ଯିଏ ନିଜ ଦୁଃଖୀ ଜୀବନରେ ମଧ୍ୟ ଅଶିଖା ସଙ୍ଗୀତର ତାଳ ଦ୍ୱାରା ଆନନ୍ଦ ଭରିବାକୁ ଚେଷ୍ଟା କରନ୍ତି ।

ତାଙ୍କ ସଙ୍ଗୀତ ହୁଏତ କାହାକୁ ଭଲ ଲାଗିନପାରେ । ତଥାପି ସେ ସଙ୍ଗୀତ ସୃଷ୍ଟି କରନ୍ତି ଅନ୍ୟ ପାଇଁ, ନିଜକୁ ବଂଚାଇ ରଖିବା ପାଇଁ । କୁହାଯାଏ ସଙ୍ଗୀତ ଆନନ୍ଦର ମୂର୍ଚ୍ଛନା କେବଳ ସଂଗୀତଜ୍ଞଙ୍କ ପାଖରେ ରହିଥାଏ । କିନ୍ତୁ ମଙ୍ଗୁଳୁ ସଙ୍ଗୀତକୁ ପାଇଛନ୍ତି ହାତରେ ଧରିଥିବା ଷ୍ଟିଲରଡ ଓ ପିଚୁରାସ୍ତାରୁ । ୭୧ ବର୍ଷିୟ ମଙ୍ଗୁଳୁ ସାହୁ, ୧୦ ବର୍ଷ ବୟସରୁ ରୋଗାକ୍ରାନ୍ତ ହୋଇ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି ।

ଦୀର୍ଘ ୩୦ ବର୍ଷ ହେବ ମଙ୍ଗୁଳୁ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡର ଏକ ଶୌଚାଳୟରେ ରହୁଛନ୍ତି । କିନ୍ତୁ ଏଯାଏଁ ତାଙ୍କ ଉପରେ ପ୍ରଶାସନର ନଜର ପଡିନାହିଁ । ଅଜଣା ଅଚିହ୍ନା ଲୋକଙ୍କ ଦାନରେ ପେଟ ପୁରୁଥିବା ବେଳେ ସରକାରଙ୍କ ପକ୍ଷରୁ ମାସକୁ ୫ଶହ ଟଙ୍କାର ଭିନ୍ନକ୍ଷମ ଭତା ମିଳୁଛି । ଏଥିରେ କ’ଣ ଜଣଙ୍କର ଆବଶ୍ୟକତା ମେଂଟିବ ? ବୟସର ଅପରାହ୍ନରେ ମଙ୍ଗୁଳୁଙ୍କ ଭଳି ବ୍ୟକ୍ତିଙ୍କ ଥଇଥାନ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ଲୋକ ଦାବି କରିଛନ୍ତି ।