ଦେଶ ବିଦେଶରେ ଚମକୁଛି ବ୍ରହ୍ମପୁରର ପାଟ । ହେଲେ ପାଉଣା ନ ପାଇ କାନ୍ଦୁଛି ବୁଣାକାର

275

କନକ ବ୍ୟୁରୋ : ରେଶମ ସହର ଭାବେ ବ୍ରହ୍ମପୁର ସହରକୁ ସ୍ୱତନ୍ତ୍ର ପରିଚୟ ଦେଇଛି ରେଶମ ପାଟବସ୍ତ୍ର । ପ୍ରାୟ ୨ଶହ ବର୍ଷ ତଳେ ମହୁରୀ ରାଜା ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରି ବୁଲିବାକୁ ଯାଇଥିବା ବେଳେ ସେଠାରେ ପ୍ରସ୍ତୁତ ରେଶମ ପାଟବସ୍ତ୍ର ପ୍ରତି ଆକୃଷ୍ଟ ହୋଇଥିଲେ । ଫେରିବା ବେଳେ ସେଠାରୁ କିଛି ଦେବାଙ୍ଗ ସଂପ୍ରଦାୟର ବୁଣାକାରଙ୍କୁ ଆଣି ପୁରୁଣା ବ୍ରହ୍ମପୁରରେ ଥାଇଥାନ କରିଥିଲେ । ପରେ ସେମାନେ ବାଲୁଙ୍କେଶ୍ୱର ପେଟା, ପାଟରାସାହି, ଡେରାସାହି ଗୋବର୍ଦ୍ଧନପେଟା ଆଦି ଅଂଚଳରେ ରହି ବୁଣାବୁଣି କରୁଛନ୍ତି । ହେଲେ ପାଟଶାଢି ବୁଣିବା କଷ୍ଟସାଧ୍ୟ ଓ ସମୟ ସାପେକ୍ଷ ହୋଇଥିବାରୁ ନିଜ କୌଳିକ ବୃତି ପ୍ରତି ମୁହଁ ମୋଡୁଛନ୍ତି ଯୁବପିଢି ।

ବୁଣାକାରମାନେ ପାରମ୍ପାରିକ ପଦ୍ଧତିରେ ତନ୍ତ ସାହାଯ୍ୟରେ ପୁରୁଷଙ୍କ ପାଇଁ ଯୋଡ ଏବଂ ମହିଳାଙ୍କ ପାଇଁ ପାଟଶାଢୀ ପ୍ରସ୍ତୁତ କରୁଛନ୍ତି । ଗୋଟିଏ ଶାଢି ବୁଣିବା ପାଇଁ ପ୍ରାୟ ୧୦ ଦିନ ଲାଗେ । ଗୋଟିଏ ପରିବାରର ୩ରୁ ୪ ଜଣ ସଦସ୍ୟ କାମରେ ଲାଗିଥାନ୍ତି । ୧୯୫୭ରେ ୩୧୬ଜଣ ବୁଣାକାରଙ୍କୁ ନେଇ ଗଠନ ହୋଇଥିଲା ବ୍ରହ୍ମପୁର ପାଟଶାଢୀ ହ୍ୟାଣ୍ଡଲୁମ ୱେଲଫେୟାର ଆସୋସିଏସନ୍ । ଏବେ ୧୦୦ଜଣ ସଦସ୍ୟ ଥିବା ବେଳେ ମାତ୍ର ୫୦ଜଣ ସଦସ୍ୟ ବୁଣା କାମ କରୁଛନ୍ତି । ବୁଣାକାରଙ୍କୁ ରେଶମ ସୂତା ଓ ରଙ୍ଗ ଭଳିି କଂଚାମାଲ ସହିତ ଶାଢିର ବିକ୍ରିବଟା ପାଇଁ ୨୦୦୩ରୁ ୩ଟି ସୋସାଇଟି କାମ କରୁଛି । କଂଚାମାଲରେ ୧୫ପ୍ରତିଶତ ସବସିଡି ଛାଡ ଓ ବ୍ୟବସାୟୀଙ୍କ ପାଇଁ ୧୦ ପ୍ରତିଶତ ରିହାତି ସୁବିଧା ରହିଛି ।

ପାଟଶାଢିର ମୁଲ୍ୟ ୧୦ହଜାର ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଯୋଡ଼ର ମୂଲ୍ୟ ସାଢ଼େ ୭ ରୁ ୮ ହଜାର ରହିଛି । ଗ୍ରାହକଙ୍କ ଚାହିଦାକୁ ଦେଖି ୨୦୧୭ରେ ଜିଲ୍ଲା ପ୍ରଶାସନ ଉଦ୍ୟମରେ ପାଟଶାଢି ବିକ୍ରି ପାଇଁ ଅନଲାଇନ ମାର୍କେଟିଂ ବ୍ୟବସ୍ଥା ହୋଇଛି । ଫଳରେ ବ୍ରହ୍ମପୁରୀ ପାଟ ଦେଶ ଓ ବିଦେଶରେ ବେଶ୍ ପରିଚିତ ହୋଇପାରିଛି । ତଥାପି ବର୍ତମାନର ଯୁବପିଢି ରେଶମ ପାଟ ବୁଣିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ତେଣୁ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଅତ୍ୟାଧୁନିକ କର୍ମାଶାଳା କରାଯିବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ କର୍ତୃପକ୍ଷ ।

ରେଶମ ପାଟଶାଢିର ଚାହିଦା ବଢୁଥିବା ବେଳେ ବୁଣାକାରଙ୍କ ସଂଖ୍ୟା କମିବାରୁ ଆବଶ୍ୟକ ପାଟ ଯୋଗାଇବା ସମ୍ଭବ ହେଉନାହିଁ । ଏସବୁ ଦିଗ ପ୍ରତି ସରକାର ଦୃଷ୍ଟି ନଦେଲେ ଆଗାମୀ କିଛି ବର୍ଷ ମଧ୍ୟରେ ସହରର ପରିଚୟ ହଜିଯିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।