କନକ ବ୍ୟୁରୋ: ଦକ୍ଷତା ବିକାଶ କ୍ଷେତ୍ରରେ ବିଶ୍ୱରେ ନା  କରିଥିବା ବ୍ରହ୍ମପୁର ସରକାରୀ ଆଇଟିଆଇ ଏବେ ଆଉ ଦୁଇପାଦ ଆଗରେ । ଆଇଟିଆଇ ଛାତ୍ରଛାତ୍ରୀଙ୍କ କୁଶଳୀ କଳାକୃତି ଦେଶ ବିଦେଶରେ ପହଞ୍ଚିବା ପରେ ଏବେ ନାମୀଦାମୀ କମ୍ପାନୀ ଗୁଡିକ ନିଯୁକ୍ତି ଦେବା ପାଇଁ ଆଗେଇ ଆସିଛନ୍ତି । ଏହି ପରିପେକ୍ଷୀରେ ଦୁଇ ବର୍ଷ ହେଲା ଆରମ୍ଭ ହୋଇଛି ଏକ ପ୍ରକ୍ରିୟା । ଏଥିରେ ହଜାର ହଜାର ଛାତ୍ରଛାତ୍ରୀ ଦେଶ ଓ ବିଦେଶରେ ନିଯୁକ୍ତି ପାଉଛନ୍ତି ।
Advertisment
ବ୍ରହ୍ମପୁର ସରକାରୀ ଶିଲ୍ପ ତାଲିମ ଅନୁଷ୍ଠାନ । କିଛି ବର୍ଷ ହେଲା ଅଧ୍ୟକ୍ଷଙ୍କ ପ୍ରେରଣା, ପ୍ରଶିକ୍ଷକଙ୍କ ତତ୍ୱାବଧାନ ଓ ଛାତ୍ରଛାତ୍ରୀଙ୍କ ଅକ୍ଳାନ୍ତ ପରିଶ୍ରମ ଲାଗି ଦକ୍ଷତା ବିକାଶ କ୍ଷେତ୍ରରେ ନିଜର କୁଶଳୀ କଳାକୃତି ପ୍ରଦର୍ଶନ କରି ବ୍ରହ୍ମପୁର ଠାରୁ ବିଦେଶ ପର୍ଯ୍ୟନ୍ତ ସବୁଠି ପ୍ରଶଂସା ପାଇଆସିଛି । ନଷ୍ଟରୁ ଶ୍ରେଷ୍ଠ ଓ ନଷ୍ଟରୁ ଅର୍ଥ ଭଳି କାର୍ଯ୍ୟକ୍ରମରେ ବିଭିନ୍ନ କଳାକୃତି ପ୍ରସ୍ତୁତ କରି ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛି । ତେବେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ଉଷା ପାଢୀ ଓ  ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗ ନିର୍ଦ୍ଦେଶକ ରେଘୁ ଜିଙ୍କ ସମେତ ଦେଶ ବିଦେଶର ୧୮ଗୋଟି ନାମୀଦାମୀ କମ୍ପାନୀର ପ୍ରତିନିଧିମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ୨୦୨୩-୨୪ ଶିକ୍ଷାବର୍ଷ ଲାଗି ୧୫୬୬ ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ସେଥି ମଧ୍ୟରେ ଅଛନ୍ତି ୪୦୪ଜଣ ଛାତ୍ରୀ ।
ଫେବୃଆରୀ ୨ତାରିଖ ଠାରୁ ୨୩ତାରିଖ ପର୍ଯ୍ୟନ୍ତ ଚାଲିଥିବା ଟ୍ୟାଲେଣ୍ଟ ଲକିଂ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀ ଅଂଶଗ୍ରହଣ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଜନସନ, ଟାଟା,  ଆଇଟିସି, ଟାଇଟନ ଭଳି ୧୮ଟି ଦେଶୀ ଓ ବିଦେଶୀ କମ୍ପାନୀ ଏଥିରେ ଭାଗ ନେଇ ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଚୟନ କରି ନିଯୁକ୍ତି ପ୍ରଦାନ କରିଛନ୍ତି । ତେବେ ନିଯୁକ୍ତି ପାଇଥିବା ୧୮ବର୍ଷରୁ କମ ବୟସ ଛାତ୍ରଛାତ୍ରୀ ପ୍ରଥମେ ପ୍ରଶିକ୍ଷଣ ନେଇ ପ୍ରାପ୍ତ ବୟସ୍କ ହେବା ପରେ କାର୍ଯ୍ୟରେ ଯୋଗ ଦେବା ପାଇଁ ସ୍ଥିର ହୋଇଛି । ବ୍ରହ୍ମପୁର ସରକାରୀ ଆଇଟିଆଇର ପ୍ରୟାସ ଏବେ ଅନ୍ୟ ଅନୁଷ୍ଠାନ ମାନଙ୍କ ପାଇଁ ପ୍ରେରଣା  ପାଲଟିଛି ।