ଉପର ଘରେ ବନ୍ଧା ପଡ଼ିଛନ୍ତି ଡ଼ାକ୍ତରଙ୍କ ପତ୍ନୀ : ବାହାରୁ ତାଲା ପକାଇ ତଳ ଘରେ ବସିଛନ୍ତି ଶ୍ୱଶୁର

ବାଲକୋନୀରୁ ଦଉଡ଼ି ସାହାଯ୍ୟରେ ଉପରକୁ ଖାଦ୍ୟ ପଠାଉଛନ୍ତି ଝିଅର ବାପା

1,513

କନକ ବ୍ୟୁରୋ : ଉପର ଘରେ ବନ୍ଧା ପଡ଼ିଛନ୍ତି ଡ଼ାକ୍ତରଙ୍କ ପତ୍ନୀ । ହେଲେ ବାହାରୁ ତାଲା ପକାଇ ତଳ ଘରେ ବସିଛନ୍ତି ଶ୍ୱଶୁର । ଏଭଳି ଅଭାବନୀୟ ଚିତ୍ର ଆସିଛି ବ୍ରହ୍ମପୁର ଖୋଡ଼ାସିଂ ବାଂଛାନିଧି ନଗରରୁ । ଅଭିଯୋଗ ଅନୁସାରେ ଡ଼ାକ୍ତର ଶାନ୍ତିଭୁଷଣ ପାଠୀଙ୍କ ପତ୍ନୀ ନିବେଦିତା ସାହୁଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ତାଙ୍କ ଶ୍ୱଶୁର । ତିନି ମହଲା ଘରର ଉପରେ ବୋହୂ ରହିଥିବାବେଳେ ମଝି ମହଲାରେ ଅଛନ୍ତି ଶାଶୂ ଓ ଶ୍ୱଶୁର । ତଳଘରେ ଜଣେ ଭଡାଟିଆ ରହୁଛନ୍ତି ।

ଆଜି ସକାଳୁ ଉପର ଘରକୁ ଥିବା ସିଡ଼ିରେ ଶ୍ୱଶୁର ତାଲା ପକାଇ ଦେଇଥିଲେ । ଫଳରେ ବାଲକୋନୀରୁ ଦଉଡ଼ି ସାହାଯ୍ୟରେ ଉପରକୁ ଖାଦ୍ୟ ପଠାଇଛନ୍ତି ଝିଅର ବାପା । ଗତକାଲି ଶାଶୁ ଘରେ ରହିବାକୁ ଦାବି କରି ଧାରଣା ଦେଇଥିଲେ ବୋହୁ ନିବେଦିତା ସାହୁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ବେଶ ଉଚ୍ଚ ଶିକ୍ଷିତ ପରିବାର ହୋଇଥିଲେ ମଧ୍ୟ ବିବାହ ଦିନରୁ ବୋହୂ ନିବେଦିତାଙ୍କ ନିର୍ଯାତନା ଦେଇଆସୁଥିଲେ ଶାଶୂଘର ଲୋକ । ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ।

ଗତମାସ ୨୩ ତାରିଖରେ ନିଜେ ଏସପିଙ୍କୁ ଭେଟି ଶାଶୂଘରେ ନିର୍ଯାତନା କଥା କହିଥିଲେ । କିଭଳି ଶ୍ୱଶୁର ତାଙ୍କୁ ପରିବାର ଲୋକଙ୍କ ଆଗରେ ଉଠବସ କରାନ୍ତି ସେନେଇ ଅଭିଯୋଗ କରିଥିଲେ । ଗତକାଲି ସେ ଶାଶୂଘରକୁ ଫେରିବା ଦାବିରେ ସେହିଠାରେ ଧାରଣା ଦେଇଥିଲେ । ବିଳମ୍ବିତ ରାତିରେ ଘରକୁ ପ୍ରବେଶ କରିଥିବାବେଳେ ଆଜି ସକାଳୁ ଦେଖିଲା ବେଳକୁ ସିଡିରେ ତାଲା ପଡିଥିଲା ।