ଶକ୍ତି ବିଭାଗ ପାଖରେ ପହଞ୍ଚିଲା ବସ ଦୁର୍ଘଟଣାର ତଦନ୍ତ ରିପୋର୍ଟ । ଦଶ ଜଣଙ୍କ ମୃତ୍ୟୁ ପାଇଁ କିଏ ରହିବ ଦାୟୀ ? କାହା ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ ? ସରକାରଙ୍କ ଆକ୍ସନକୁ ଅପେକ୍ଷା

399

କନକ ବ୍ୟୁରୋ: ବ୍ରହ୍ମପୁର ବସରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣା । ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଅଧିକ୍ଷଣ ଯନ୍ତ୍ରୀ, ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ରିପୋର୍ଟ ହସ୍ତଗତ ହେବା ପରେ ତ୍ରୁଟି ଅନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିବା ବେଳେ ଇତି ମଧ୍ୟରେ ତଦନ୍ତ ରିପୋର୍ଟ ବିଦ୍ୟୁତ ବିଭାଗରେ ପହଞ୍ଚିଥିବା ଖବର ମିଳିଛି ।

ସେପଟେ ମେନ୍ଦ୍ରାଜପୁର ଦୁର୍ଘଟଣା ନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ହେବ ବୋଲି ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ । କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ? ଦୁର୍ଘଟଣା ପାଇଁ ଦାୟୀ କିଏ ? ବିଦ୍ୟୁତ ବିଭାଗର ଚରମ ଅବହେଳା ପାଇଁ ଅକାଳରେ ୧୦ଟି ଜୀବନ ଚାଲିଗଲା କି? ଏ ସବୁ ପ୍ରଶ୍ନ କାଲି ଠାରୁ ଉଠୁଥିବା ବେଳେ ଘଟଣା ପଛର ପ୍ରକୃତ କାରଣ କଣ ସେନେଇ ଆଲୋଚନା ହେବ । ଆଉ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ବିଦ୍ୟୁତ ତାର ଲାଗି ମଝି ରାସ୍ତାରେ ୧୦ ଜଣ ଆଖି ବୁଜିଥିବା ବେଳେ ୧୮ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଅନ୍ୟ ପଟେ ଏଭଳି ଏକ ଦୁର୍ଘଟଣାକୁ ନେଇ ସାରା ରାଜ୍ୟ ଶୋକରେ ବୁଡି ରହିଥିବା ବେଳେ, ଏହି ଅଘଟଣ ପାଇଁ କିଏ ଦାୟୀ, ସେନେଇ ଚାଲିଛି କାରଣ ଖୋଜା । ଏହି ଛାତିଥରା ଘଟଣାକୁ ନେଇ କାଠଗଡାକୁ ଟାଣିହୋଇଯାଇଛନ୍ତି ବସର ଡ୍ରାଇଭର, ପୂର୍ତ ବିଭାଗ ଏବଂ ବିଦ୍ୟୁତ ବିଭାଗ । କିଏ ଦାୟୀ, ଆଉ କାହାର ଭୁଲ ପାଇଁ ଏତେ ବଡ ଅଘଟଣ ଘଟିଗଲା, ସେନେଇ ଉଠୁଛି ବଡ ପ୍ରଶ୍ନ ।

କାଠଗଡାର ପ୍ରଥମ ଦୋଷୀ, ବିଦ୍ୟୁତ ବିଭାଗ !

ଗଞ୍ଜାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଯାତ୍ରୀବାହୀ ବସ ଆସିବା ପଛରେ ସାମ୍ନାକୁ ଆସିଛି ବିଜୁଳି ବିଭାଗର ଚରମ ଅବହେଳା । ରାସ୍ତାଠାରୁ ୬.୧ମିଟର ଉଚ୍ଚତାରେ ବିଦ୍ୟୁତ ତାର ଟାଣିବାକୁ ନିୟମ ରହିଥିବା ବେଳେ ମାତ୍ର ୩.୧୪ମିଟର ଉଚ୍ଚତାରେ ଟଣା ଯାଇଥିଲା ୧୧କେଭିର ବିଦ୍ୟୁତ ତାର । ଯେଉଁଥିପାଇଁ ଘଟିଥିଲା ଏଭଳି ଲୋମଟାଙ୍କୁରା ଦୁର୍ଘଟଣା । ଏନେଇ ହୁଏତ ତଦନ୍ତ ଚାଲିବ ଆଉ କାର୍ୟ୍ୟାନୁଷ୍ଠାନ ବି ହେବ । ହେଲେ ଅବହେଳା ପାଇଁ ଯେଉଁମାନଙ୍କ ଜୀବନ ଚାଲିଗଲା ତାର ଭରଣା କିନ୍ତୁ ଅସମ୍ଭବ ।

କାଠଗଡାର ଦ୍ୱିତୀୟ ଦୋଷୀ, ବସ୍ ଡ୍ରାଇଭର !

ଯଦିଓ ରାସ୍ତାରେ ବିଦ୍ୟୁତ ତାର ଝୁଲିପଡିଥିଲା, ବସର ଡ୍ରାଇଭର ଏହାକୁ ଦେଖିପାରିଲେନି କେମିତି । ଆଉ କୁହାଯାଉଛି ପ୍ରଥମେ ଯେତେବେଳେ ଏହି ରାସ୍ତା ଦେଇ ପରିବାର ଲୋକଙ୍କୁ ଆଣିବାକୁ ବସଟି ଯାଇଥିଲା, ସେତେବେଳେ ମଧ୍ୟ ଝୁଲି ରହିଥିବା ଏହି ମୃତ୍ୟୁର ତାରରେ ସଂସ୍ପର୍ଶରେ ଆସିଥିଲା ବସ୍ । କିନ୍ତୁ ସେତେବେଳେ କରେଂଟ ନଥିବା କାରଣରୁ କୌଣସି ଅଘଟଣ ଘଟିନଥିଲା । ଆଉ ଯଦି ଏକଥା ସତ, ତେବେ କେମିତି ଜାଣିଶୁଣି ପୁଣି ସେଇ ଭୁଲ କଲେ ବସ୍ ଡ୍ରାଇଭର । ଯେତେବେଳେ ତାରଟି ଝୁଲି ରହିଥିଲା, ବସର ଡ୍ରାଇଭର ସଚେତନ ହେଲେନି କେମିତି । ଏହି ଦୁର୍ଘଟଣାରେ କେଉଁଠି ନା କେଉଁଠି ନିଜର ସାମାନ୍ୟ ଭୁଲ ପାଇଁ ବସର ଡ୍ରାଇଭର ମଧ୍ୟ କାଠଗଡାକୁ ଟାଣି ହୋଇଛନ୍ତି ।

କାଠଗଡାର ତୃତୀୟ ଦୋଷୀ, ପୂର୍ତ ବିଭାଗ !

ଦୁର୍ଘଟଣା ନେଇ ସମସ୍ତ ଦୋଷ ଯେ କେବଳ ବିଦ୍ୟୁତ ବିଭାଗର ତାହା କହିଲେ ଭୁଲ୍ ହୋଇଯିବ । ଏଭଳି ଅଘଟଣ ପାଇଁ କେଉଁଠି ନା କେଉଁଠି ଦାୟୀ ପୂର୍ତ ବିଭାଗ । କାରଣ କିଛି ଦିନ ଏଠାରେ ରାସ୍ତା କାମ କରାଯାଇଥିଲା । ରାସ୍ତା କାମ କଲାବେଳେ କିଛି ଫୁଟ୍ ମଧ୍ୟ ପୋତାଯାଇଥିଲା । ଫଳରେ ରାସ୍ତାର ଉଚ୍ଚତା ମଧ୍ୟ ବୃଦ୍ଧି ପାଇଥିଲା । ତେବେ ଏନେଇ ବିଦ୍ୟୁତ ବିଭାଗକୁ ଅବଗତ କରାଇବାର ଥିଲା । ଯଦି ରାସ୍ତାର ଉଚ୍ଚତା ବୃଦ୍ଧି ପାଇଛି, ସେହି ଅନୁସାରେ ବିଦ୍ୟୁତ ତାରର ଉଚ୍ଚତା ମଧ୍ୟ ବଢାଇବାର ଥିଲା । ଆଉ ସବୁଠୁ ବଡ କଥା ହେଉଛି ବିଦ୍ୟୁତ ଖୁଂଟଟି ରାସ୍ତା ଉପରେ ମଧ୍ୟ ରହିଥିଲା । ଏନେଇ ବିଦ୍ୟୁତ ବିଭାଗକୁ ଅବଗତ କରାଇଥିଲେ, ହୁଏତ ଖୁଂଟକୁ ସ୍ଥାନାନ୍ତର କରାଯାଇପାରିଥାନ୍ତା । ତେବେ ଏ ସମସ୍ତ ଦିଗର ତଦନ୍ତ ରିପୋର୍ଟକୁ ନେଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା ।