କେନ୍ଦ୍ରାପଡାରେ ଚିନ୍ତା ବଢାଇଲାଣି ବ୍ରାହ୍ମଣୀ ପାଣି : ଗାଁରେ ପଶିଲା ବନ୍ୟା ପାଣି, ବୁଡିଲାଣି ମନ୍ଦିର, ଏଟିଏମ୍; ସେପଟେ ପୁରୀରେ ଭାର୍ଗବୀ ନଦୀରେ ବନ୍ୟା ପରେ ଶାସନ ଦାମୋଦରପୁରରେ ଲହଡି ମାରୁଛି ବନ୍ୟା ପାଣି

165

କନକ ବ୍ୟୁରୋ : କେନ୍ଦ୍ରାପଡାରେ ବନ୍ୟା ସ୍ଥିତି ସଂଗୀନ । ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକର ଅଧିକାଂଶ ସ୍ଥାନରେ ପାଣି ପଶି ରହିଛି । ବନ୍ୟା ଦାଉରୁ ଭଗବାନ ବି ରକ୍ଷା ପାଇ ନାହାନ୍ତି । ମନ୍ଦିର ଭିତରେ ପାଣି ପଶିଯାଇଛି । ମନ୍ଦିରର ଅଧା ପାଣିରେ ବୁଡି ରହିଛି । ପଟାମୁଣ୍ଡାଇର ଦାଣ୍ଡି ସାହି, ଅନ୍ଧାର, ପେଣ୍ଠପାଳ , ସିଂହଗାଁ ପରି ଅଂଚଳରେ ମଧ୍ୟ ବନ୍ୟା ପାଣି ପସି ରହିଛି । ପାଣିରେ ଅଧା ବୁଡି ଯାଇଛି ଏଟିଏମ୍ । ପାଣି ଭିତରେ ଏବେ ପୁରା ଗାଁ ରହିବା ପରେ ପୁରା ଅଂଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ବନ୍ୟା ପାଣିରେ କୋଠାର ତଳମହଲା ବୁଡି ରହିିଥିବା ବେଳେ ଲୋକେ ଉପର ମହଲାରେ ରହୁଛନ୍ତି ।

ଚାରିଆଡେ ପାଣି । ସତେ ଯମିତି ଗାଁକୁ ମାଡି ଆସିଛି ନଦୀ କି ସମୁଦ୍ର । ହେଲେ ଏହା କେଉଁ ନଦୀ କି ସମୁଦ୍ରର ଦୃଶ୍ୟ ନୁହେଁ । ଏହା ହେଉଛି ରାସ୍ତା ଓ ଚାଷ ଜମିର ଦୃଶ୍ୟ । ଭାର୍ଗବୀ ନଦୀରେ ବନ୍ୟା ଆସିବାରୁ ଶାଖା ନଦୀ କାଂଚି ବି ଫୁଲି ଉଠିଛି । ଆଉ ପୁରୀ ସଦର ବ୍ଲକ ଶାସନ ଦାମୋଦରପୁର ପଂଚାୟତର ରସ୍ତା ଓ ଧାନ ଜମିରେ ଲହିଡି ଭାଙ୍ଗୁଛି ସେହି କାଂଚି ନଦୀର ବନ୍ୟା ଜଳ । ୧୫ ଦିନ ହେବ ପାଣି ଘେରରେ ଅଛି ପଂଚାୟତର ୫ଟି ଗାଁ । ରାସ୍ତାଘାଟ ଜଳମଗ୍ନ ହୋଇଥିବାରୁ ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ ଏକ ଡଙ୍ଗା ଯୋଗାଇ ଦିଆଯାଇଛି । ଯାହାକୁ ଭରସା କରି ଲୋକେ ଜୀବନ ଯାପନ କରିଛନ୍ତି । ହେଲେ ଏହି ସମସ୍ୟା ଦୀର୍ଘ ବର୍ଷର । ତେଣୁ କାଂଚି ନଦୀ ଉପରେ ପୋଲଟିଏ ହେଲେ ଯାତାୟତ ସ୍ୱାଭାବିକ ହୋଇପାରନ୍ତା ବୋଲି ଲୋକେ ଦାବି କରିଛନ୍ତି ।