ବ୍ରହ୍ମବିଭ୍ରାଟ : ଆସିଲା ରିପୋର୍ଟ ହେଲେ ଖୋଲିବନି ରହସ୍ୟ, ଲୋକେ ଜାଣିବେନି କାହିଁକି ବିଳମ୍ବରେ ହେଲା ବ୍ରହ୍ମବଦଳ । ଜାଣନ୍ତୁ ସେହିଦିନ ରାତିର ପୂରା ଘଟଣା

68

କନକ ବ୍ୟୁରୋ : ରହସ୍ୟରେ ରହିଯିବ ବ୍ରହ୍ମବିଭ୍ରାଟ ଘଟଣା । ୨୦୧୫ରେ ମହାପ୍ରଭୁଙ୍କ ବ୍ରହ୍ମବିଭ୍ରାଟ ଘଟଣା ପୂରା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ଏହାର ରିପୋର୍ଟ ସାର୍ବଜନୀନ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି । ଶ୍ରୀମନ୍ଦିର ଗୁପ୍ତ ନୀତି ଏହି ରିପୋର୍ଟରେ ଉଲ୍ଲେଖ ଥିବାରୁ ଏହାକୁ ସାର୍ବଜନୀନ କରାଯିବ ନାହିଁ । ଏପରିକି ଆରଟିଆଇରେ ଏ ସର୍ମ୍ପକରେ ତଥ୍ୟ ମାଗିଲେ ମଧ୍ୟ ମିଳିବ ନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ଏକଥା ସ୍ପଷ୍ଟ କରୁଛି ଯେ, ନବକଳେବର ସମୟରେ ବ୍ରହ୍ମବିଭ୍ରାଟ ହୋଇଥିଲା । ଏହାସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଯେଉଁ ୧୦ରୁ ୧୫ ଜଣ ସେବାୟତ ଏଥିରେ ସାମିଲ ଅଛନ୍ତି ସେମାନଙ୍କୁ ୩ ମାସ ମଧ୍ୟରେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ଆଇନ ୨୧ (ଖ) ଅନୁଯାୟୀ ଶୃ୍ଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ । ଆଉ ଶ୍ରୀମନ୍ଦିର ପରିଚାଳନା କମିଟିର ଏହି ନିଷ୍ପତି ସହ ବ୍ରହ୍ମବିଭ୍ରାଟ ରିପୋର୍ଟ ସବୁଦିନ ପାଇଁ ରହସ୍ୟ ମଧ୍ୟକୁ ଚାଲି ଯାଇଛି ।

nabakalevar, delay in ritualsବ୍ରହ୍ମ ପରିବର୍ତ୍ତନରେ କାହିଁକି ହୋଇଥିଲା ବିଭ୍ରାଟ ? କ’ଣ ପାଇଁ ହୋଇଥିଲା ଠାକୁରଙ୍କ ନୀତିରେ ବିଭ୍ରାଟ୍ ? ନିଶାର୍ଦ୍ଧରେ ନହୋଇ ଦିନରେ କାହିଁକି ହୋଇଥିଲା ବ୍ରହ୍ମ ପରିବର୍ତ୍ତନ? ଏଭଳି ଅନେକ ପ୍ରଶ୍ନ ଜଗନ୍ନାଥପ୍ରେମୀଙ୍କୁ ଆନ୍ଦୋଳିତ କରିଥିଲା । ତେବେ ଶ୍ରୀମନ୍ଦିର ଭିତରେ ସେଦିନ ରାତିରେ କଣ ଘଟିଥିଲା ତାହା ଉପରେ ଥରେ ନଜର ପକାନ୍ତୁ ।

ଜୁନ ୧୫ ତାରିଖ ରାତି : ବଡ଼ ଦେଉଳରେ ଚାରି ଠାକୁରଙ୍କ ଘଟ ପରିବର୍ତ୍ତନର ଦିନ । ୧୯ ବର୍ଷ ପରେ ହେଉଥାଏ ଶ୍ରୀଜୀଉଙ୍କ ଏହି ମହାଜାଗତିକ ଲୀଳା । ଆରମ୍ଭ ହେଲା ନବକଳେବର ମହାପର୍ବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରିତିନୀତି । ପୂରା ବଡଦାଣ୍ଡରେ ଦେଖାଗଲା ଭାବବିହ୍ୱଳ ପରିବେଶ । ଚର୍ଚ୍ଚା ହେଲା ନୀତି ୫ ଘଂଟା ବିଳମ୍ବରେ ଚାଲିଛି । ହେଲେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସେବାୟତ ଏ ନେଇ କିଛି ସ୍ପଷ୍ଟ କଲେ ନାହିଁ । ରାତି ବଢି ଚାଲିଲା । ମାତ୍ର ଶ୍ରୀମନ୍ଦିର ଭିତରେ କଣ ଚାଲିଛି କାହା ପାଖରେ କିଛି ଖବର ନଥାଏ ।

ରାତି ପ୍ରାୟ ୨ଟା : ସିଂହଦ୍ୱାରର ଗୋଟିଏ କବାଟ ବନ୍ଦ କରାଯିବା ସହ, ବାଇସି ପାହାଚକୁ ଖାଲି କରାଗଲା । ଆଉ ଆରମ୍ଭ ହୋଇଥିଲା ନ୍ୟାସ ଯଜ୍ଞର ପୂର୍ଣ୍ଣାହୁତି ପ୍ରକ୍ରିୟା । ଗଜପତି ମହାରାଜ ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କଲେ । ପ୍ରାୟ ଅଧ ଘଣ୍ଟା ମନ୍ଦିର ଭିତରେ ରହିବା ପରେ ରାତି ୨ଟା ୫୦ରେ ଯଜ୍ଞକୁ ପୂର୍ଣ୍ଣାହୁତି ଦେଇ ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

lord jagannathରାତି ୩ଟା ୧୫ : ଶ୍ରୀମନ୍ଦିରର ସମସ୍ତ ଦ୍ୱାର ବନ୍ଦ କରାଗଲା । ଆରମ୍ଭ ହେଲା ଗୁପ୍ତ ନୀତି ପ୍ରକ୍ରିୟା । ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଅନ୍ଧକାର କରାଗଲା । ଆଖପାଖ ଅଂଚଳର ଆଲୁଅ ଲିଭିବାକୁ ଲାଗିଲା । କାରଣ ଥିଲା ମହାପ୍ରଭ୍ରଙ୍କ ଘଟ ପରିବର୍ତ୍ତନ ଅନ୍ଧକାର ଭିତରେ ହେବ । ବଡ଼ଦାଣ୍ଡରେ ସାରା ରାତି ଉଜାଗର ରହି ଉକ୍ରଣ୍ଠିତ ହୋଇ ରହିଥାନ୍ତି ଶ୍ରଦ୍ଧାଳୁ । ସମୟ ଗଡ଼ି ଚାଲିଲା ।

ଜୁନ ୧୬ ତାରିଖ ସକାଳ : ରାତି ପାହିଗଲା । ମନ୍ଦିର ଭିତରେ କ’ଣ ହୋଇଛି ଜଣା ପଡୁନଥିଲା । ସେପଟେ ଶ୍ରୀଜୀଉମାନଙ୍କ ଘଟ ପରିବର୍ତ୍ତନ ହୋଇନାହିଁ ବୋଲି କେତେକ ମହଲରେ ଆଲୋଚନା ଚାଲିଲା । ହେଲେ ପ୍ରକୃତ କଥା ସାମନାକୁ ଆସିଲା ନାହିଁ । ରହସ୍ୟ ଆହୁରି ବଢି ଚାଲିଲା । ବିଭିନ୍ନ ପ୍ରକାର ସନ୍ଦେହ ସୃଷ୍ଟି ହେଲା ଶ୍ରଦ୍ଧାଳୁଙ୍କ ମନରେ ।

ଜୁନ ୧୬ ତାରିଖ ଦିନ ପ୍ରାୟ ସାଢେ ୧୨ଟା : ଶ୍ରୀମନ୍ଦିରର ତକ୍ରାଳୀନ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଏକ ସମ୍ବାଦିକ ସମ୍ମିଳନୀରେ କହିଲେ ବିଗ୍ରହଙ୍କ ନିର୍ମାଣରେ ବିଳମ୍ବ ଯୋଗୁଁ ନୀତି ବିଳମ୍ବ ହୋଇଛି । ତେବେ ଘଟ ପରିବର୍ତ୍ତନ ହୋଇଛି କି ନାହିଁ ସେ ବିଷୟରେ ମନ୍ଦିର ପ୍ରଶାସନ କିଛି ଜାଣି ନାହିଁ ବୋଲି ପ୍ରକାଶ କଲେ । ଏହା ବନ୍ଦ ଶ୍ରୀମନ୍ଦିରର ରହସ୍ୟକୁ ଆହୁରି ବଢାଇ ଦେଲା ।

jagannath-templeପରେ ପରେ ଯେଉଁ ଖବର ଆସିଲା, ତାହା କୋଟି କୋଟି ଲୋକଙ୍କ ଭାବାବେଗକୁ ଚହଲାଇ ଦେବା ଭଳି ଖବର । ଗୁପ୍ତ ନୀତି ଓ ଘଟ ପରିବର୍ତନ ବେଳେ ସେବାୟତଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଓ ବିଭ୍ରାଟର କଥା ଆସିଲା ସାମନାକୁ । ପରିସ୍ଥିତି କିପରି ସାଂଘାତିକ ରୂପ ନେଇଥିଲା ବର୍ଣନା କରିଥିଲେ ବରିଷ୍ଠ ସେବାୟତ ହଲଧର ମହାପାତ୍ର ।

ମୁଁ ବ୍ରହ୍ମଂକୁ ଛୁଇଁଛି କହି ବିବାଦକୁ ଆହୁରି ତେଜି ଦେଇଥିଲେ ବରିଷ୍ଠ ସେବାୟତ କାଶୀନାଥ ଦାସମହାପାତ୍ର । ବ୍ରହ୍ମକୁ ଛୁଇଁବା ଓ ଫଟୋ ଉଠାଇବା ନେଇ ସେବାୟତଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିବା ନେଇ ଜୋର ଧରିଲା ଚର୍ଚ୍ଚା । ଶ୍ରୀମନ୍ଦିରରେ ଘଟ ପରିବର୍ତ୍ତନକୁ ନେଇ ଯେଉଁ ବିଭ୍ରାଟ୍ ହେଲା, ତାହା ପୂର୍ବରୁ କେବେ ହୋଇନଥିଲା । ପ୍ରାଥମିକ ପର‌୍ୟ୍ୟାୟରେ ଏହି ବିଭ୍ରାଟ ଯୋଗୁଁ ଦୁଇ ଜଣ ସେବାୟତ, କାଶିନାଥ ଦାସମହାପାତ୍ର ଏବଂ ଜୟକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବିତ କରାଯାଇଥିଲା । ଆଉ ଏହାପରେ ବ୍ରହ୍ମବିଭ୍ରାଟ କାହିଁକି ହେଲା ତାହା ଜାଣିବା ପାଇଁ ଗଠନ ହୋଇଥିଲା କମିଟି । ଆଉ କମିଟିର ରିପୋର୍ଟରେ କିଛି ସେବାୟତଙ୍କ ପାଇଁ ଏଭଳି ଅବସ୍ଥା ସୃଷ୍ଟି ହେଲା ବୋଲି ଜଣାପଡିଛି ।

ଏସବୁ ବାଦ୍ ଆଜି ବସିଥିବା ପରିଚାଳନା କମିଟି ବୈଠକରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ମଧ୍ୟ ନିଆଯାଇଛି । ଶ୍ରୀମନ୍ଦିରରେ ସଂସ୍କାର ପାଇଁ ଅକ୍ଟୋବର ପହିଲାରୁ ଧାଡି ଦର୍ଶନ ଆରମ୍ଭ ହେବ ବୋଲି ନିଷ୍ପତି ହୋଇଛି । ଏହାଛଡା ଶ୍ରୀମନ୍ଦିର ବାହାରେ ୪ଟି ଦାନ ବାକ୍ସ ରହିବାକୁ ଥିବା ବେଳେ ମନ୍ଦିର ଭିତରକାଠ ଓ ବାହାରକାଠ ପାଖରେ ୨ଟି ଦାନ ବାକ୍ସ ରହିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।