ଗରିବ ହିତାଧିକାରୀଙ୍କୁ ଶୋଷଣ: ଘରେ ଜଳୁଛି ବିପିଏଲ ବିଜୁଳି, ମାସକୁ ଆସୁଛି ୩୦ ହଜାରରୁ ଅଧିକ ଟଙ୍କାର ବିଲ୍ 

167

କନକ ବ୍ୟୁରୋ: ଇଲେକ୍ଟିକ ବିଲ୍ ଆଳରେ ହିତାଧିକାରୀଙ୍କୁ ଶୋଷଣ କରୁଛି ବିଦ୍ୟୁତ୍ ବିଭାଗ । ସେବା ଯୋଗାଇଦେବା ନାଁରେ ମନଇଚ୍ଛା ଚାଲିଛି ରୀତିମତ ଲୁଟ୍ । ହିତାଧିକାରୀଙ୍କ ଉପରେ ଚାଲିଛି ଜୁଲମ୍ । ଏପରି ମନମାନି ଓ ଶୋଷଣରେ ଅସହ୍ୟ ହୋଇପଡ଼ିଲେଣି ଉଦଳା ବ୍ଲକ ଚୈତନ୍ୟଗଡ଼ି ଗାଁର ହିତାଧିକାରୀ ।

ଗାଁରେ ବିପିଏଲ ବିଜୁଳି ସଂଯୋଗ ହୋଇଛି । ଗରିବ ଲୋକ ବିଜୁଳି ଜାଳି ଆଗରୁ ୨ରୁ ୩ ଶହ ଟଙ୍କାର ବିଲ୍ ଦେଉଥିଲେ । ହେଲେ ୪ ମାସ ହେଲା ଯେଉଁ ବିଲ୍ ଆସୁଛି ତାକୁ ଦେଖି ଲୋକେ ଜଳକା ହୋଇଯାଉଛନ୍ତି । ମାସକୁ ୩ ହଜାରରୁ ୩୦ ହଜାର ଟଙ୍କାର ବିଲ୍ ଆସୁଛି । ଉଦଳା ବ୍ଲକ ଚୈତନ୍ୟଗଡ଼ି ଗାଁର ୮୦ ପରିବାର ବିଦ୍ୟୁତ୍ ବିତରଣାକାରୀ ସଂସ୍ଥାର ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଗାଁର ରାତାଇ ମୁର୍ମୁ ନାମକ ବିପିଏଲ ହିତାଧିକାରୀଙ୍କ ନାଁରେ ଆସିଛି ୩୦ ହଜାରରୁ ଅଧିକ ଟଙ୍କାର ବିଲ । ଯାହାକୁ ନେଇ ହିତାଧିକାରୀ ଚିନ୍ତାରେ ପଡିଯାଇଛନ୍ତି ।

ଏତେ ପରିମାଣର ବିଲ୍ ଆସୁଥିବାରୁ ଟଙ୍କା ଦେବାକୁ ସକ୍ଷମ ନୁହନ୍ତି ହିତାଧିକାରୀ । ସେପଟେ ବିଲ୍ ପୈଠ କରିବାକୁ ଚାପ ପକାଉଛି ବିଦ୍ୟୁତ୍ ବିଭାଗ । ବିଲ୍ ନଦେଲେ, ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି  ଚେତାବନୀ ଦେଉଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଏତେ ପରିମାଣର ବିଲ ବାବଦରେ ପଚାରିଲେ ବିଭାଗୀୟ କର୍ମଚାରୀ କହୁଛନ୍ତି ଘରେ ସଂଯୋଗ ହୋଇଥିବା ମିଟର ବୋଧେ ଖରାପ ଅଛି । ନଚେତ୍ ପୁରୁଣା ବିଲ୍ ଟଙ୍କା ବାକି ଅଛି । ସେପଟେ ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀ ଗଣମାଧ୍ୟମରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ ଥିବା ବେଳେ ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି ।

ବିଦ୍ୟୁତ ବିଭାଗର ଏପରି ଶୋଷଣର ଶିକାର ହେଉଥିବା ଅସହାୟ ହିତାଧିକାରୀ ଆଗକୁ ବିଜୁଳି ଜାଳିବା ବନ୍ଦ କରିଦୋବକୁ ଚିନ୍ତା କରୁଛନ୍ତି । ଏତେ ଟଙ୍କାର ବିଲ ଦେବାକୁ ସାମର୍ଥ୍ୟ ନଥିବାରୁ ପୁଣି ଅନ୍ଧାରୀ ଜାବନ ଜିଇଁବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।