କନକ ବ୍ୟୁରୋ: ବିପିଏଲ ହିତାଧିକାରୀ, ହେଲେ ବିଦ୍ୟୁତ ବିଲ ୫୨ ହଜାର ଟଙ୍କା । ଶୁଣିଲା ବେଳକୁ ମୁଣ୍ଡ ଘୁରି ଯାଉଛି । କେମିତି ଦେବେ ସେଇ ଚିନ୍ତାରେ ପରିବାର । ଆଉ କିଛି ବାଟ ନପାଇ  ଟିପି ଏସଓଡିଏଲ  ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ପିଲାଛୁଆଙ୍କୁ ଧରି ଧାରଣାରେ ବସିଛନ୍ତି ହିତାଧିକାରୀ  । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ ।

Advertisment

 ମାଲକାନଗିରି ସଦର ମେଡିକାଲ କଲୋନୀର ବାସିନ୍ଦା ଚକ୍ରଧର ସୁନାନି । ୫ ବର୍ଷ ପୂର୍ବରୁ ବିପିଏଲ ହିତାଧିକାରୀ ହିସାବରେ  ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ  ଦିଆଯାଇଥିଲା । କିନ୍ତୁ ମାସକୁ ମାସ ବିଲ ଆସିନଥିଲା । ଏନେଇ ଚକ୍ରଧର ଯାଇ ଦାୟିତ୍ୱରେ ଥିବା ଇଞ୍ଜିନିୟରଙ୍କୁ କହିଥିଲେ । କିନ୍ତୁ ଏନେଇ ସେ କୌଣସି ପଦକ୍ଷେପ ଦେଇନଥିଲେ । ଏଭଳି ପାଖାପାଖି ୫ ବର୍ଷ ଚାଲିଯାଇଥିଲା । ଶେଷର ଅନୁରୋଧ କରିବା ପରେ ତାଙ୍କୁ ଆଧାର କାର୍ଡ କପି ଦାଖଲ କରିବାକୁ କୁହାଯାଇଥିଲା । କିନ୍ତୁ ଏହାପରେ ଯାହା ହେଲା ସେଥିରେ ଚକ୍ରଧର ଓ ତାଙ୍କ ପତ୍ନୀଙ୍କ ହୋସ୍ ଉଡିିଯାଇଥିଲା । ଏକାଥରେ ବିଦ୍ୟୁତ ବିଲ ଆସିଥିଲା ୫୨ ହଜାର ଟଙ୍କା ।  ହେଲେ ଏତେ ଟଙ୍କା ଆଣିବେ କେଉଁଠୁ , କେମିତି ବାନ୍ଧିିବେ ଏତେ ଟଙ୍କା । ଏନେଇ ଜଣାଇବା ପରେ ବି କିଛି ଶୁଣିନଥିଲେ ବିଭାଗୀୟ ଯନ୍ତ୍ରୀ । ଟଙ୍କା ଭରିବାକୁ ୧୫ ଦିନ ସମୟ ମାଗିଥିଲେ ବି ମାତ୍ର ୩ ଦିନରେ ତାଙ୍କ ଘର ବିଦ୍ୟୁତ ସଂଯୋଗ କାଟିଦେଇଥିଲେ ।

 ଏଥିରେ ଅତିଷ୍ଠ ହୋଇ ନ୍ୟାୟ  ପାଇବାକୁ ଟିପିଏସଓଡିଏଲ   କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ପିଲାଛୁଆଙ୍କୁ ଧରି ଧାରଣା ଦେଇଛନ୍ତି ପୁରା ପରିବାର । ଗୁୁହାରୀ ନଶୁଣିବା ଯାଏଁ ଧାରଣାରୁ ନଉଠିବା ଯାଏଁ ଜିଦ୍ ଧରିଛନ୍ତି ଚକ୍ରଧରଙ୍କ ସ୍ତ୍ରୀ ।