ଦାଢି ନିଶ ରଖିଲେ ବିବାହ ମନା । ସୁନା ଅଳଙ୍କାର ପିନ୍ଧିବା ଉପରେ ବି କଟକଣା । ସମାଜରେ ପରିବର୍ତ୍ତନ ପାଇଁ ଅଭିନବ ନିୟମ

2,123

କନକ ବ୍ୟୁରୋ: ରାଜସ୍ଥାନର ଏକ ସମ୍ପ୍ରଦାୟର ନୂଆ ବିବାହ ନିୟମ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ , ଦାଢି ନିଶ ରଖିଥିବା ଯୁବକଙ୍କୁ ବିବାହ ଅନୁମତି ଦିଆଯିବ ନାହିଁ ବୋଲି ସମ୍ପ୍ରଦାୟର ପଞ୍ଚାୟତ ନିଷ୍ପତ୍ତି ନେଇଛି । ପାଲି ଜିଲ୍ଲାର ୧୯ଟି ଗାଁରେ ଏହି ନିୟମ ଲାଗୁ କରାଯାଇଛି ।

ଏଠିକାର କୁମାୱତ ସମୁଦାୟ ଦ୍ୱାରା ଏନେଇ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସ୍ତାବ ଅନୁସାରେ କେବଳ ଦାଢି-ନିଶ ନଥିବା ଯୁବକଙ୍କୁ ହିଁ ବିବାହ ଅନୁମତି ମିଳିବ । ଫ୍ୟାସନ ନାଁରେ ବିବାହରେ ବରକୁ ଦାଢି ରଖିବାକୁ ଅନୁମତି ଦିଆଯିବ ନାହିଁ । କାରଣ ବିବାହ ଏକ ସାମାଜିକ ସଂସ୍କାର ଏବଂ ବର ଏଥିରେ ରାଜା ଭଲି ଦେଖାଯିବା ଆବଶ୍ୟକ । ତେଣୁ ସେ ଦାଢି- ନିଶ ରଖିବା ଅନୁଚିତ ବୋଲି ଏହି ସମ୍ପ୍ରଦାୟର ମୁଖ୍ୟ ଘୋଷଣା କରିଛନ୍ତି ।

କେବଳ ସେତିକି ନୁହେଁ ୧୯ ଗାଁର ପଞ୍ଚାୟତ ବିବାହ ଖର୍ଚ୍ଚ କାଟ କରିବାକୁ ଓ ବିବାହକୁ ସାଧାସିଧା କରିବାକୁ ନିଷ୍ପତ୍ତି ନେଇଛି । ଡିଜେ ବାଜା ଓ ବରଯାତ୍ରୀଙ୍କ ନାଚକୁ ମଧ୍ୟ ଏହି ସମ୍ପ୍ରଦାୟ ପୂବରୁ ବିରୋଧ କରିଆସୁଥିଲେ । ପରେ ଏହା ଉପରେ କଡା କଟକଣା ଲଗାଇଲେ । ଏହାପରେ ବିବାହ ଉତ୍ସବରେ କୌଣସି ପ୍ରକାର ନିଶା ତଥା ମାଦକ ଦ୍ରବ୍ୟ ସେବନ କରିବା ଉପରେ କଠୋର ନିୟମ ମଧ୍ୟ ପାରିତ ହୋଇଛି ।

ଆଜିକାଲି ବିବାହ ଉତ୍ସବ ଖର୍ଚ୍ଚ ବହୁଳ ହୋଇଗଲାଣି । ଅନ୍ୟକୁ ଦେଖି ଉପର ଦେଖାଣିଆ ଉତ୍ସବ ପାଳନ କରି ଲୋକେ ଅଯଥା ଖର୍ଚ୍ଚ କରୁଥିବା ଦେଖାଯାଉଛି । ଏବେ ଯୁବ ଗୋଷ୍ଠୀ ହଳଦି ରସମ୍ , ମେହେନ୍ଦି ରସମ୍ ପରି ଇଭେଣ୍ଟ କରି ସାଙ୍ଗସାଥୀଙ୍କ ସହ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି । ତା ସାଙ୍ଗରେ ପୁଣି ସଙ୍ଗୀତ କାର୍ଯ୍ୟକ୍ରମ, କେକ୍ କଟା ଏସବୁରେ ଖର୍ଚ୍ଚ ହେଉଛି ଲକ୍ଷଲକ୍ଷ ଟଙ୍କା । ତା ସାଙ୍ଗକୁ ନିର୍ବନ୍ଧ । ରିଙ୍ଗ ସେରିମନି ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ଏସବୁ ଅଯଥା ଖର୍ଚ୍ଚ ବିରୋଧରେ ଏହି ସମ୍ପ୍ରଦାୟ ଲଗାଇଛି କଟକଣା ।

କୁମାୱତ ସମ୍ପ୍ରଦାୟରେ ରହିଛି କନ୍ୟାର ପୋଷାକ ଓ ଗହଣା ପିନ୍ଧିବା ଉପରେ କଟକଣା । ଯେତିକି ଆବଶ୍ୟକ ସେତିକି ଗହଣା ପିନ୍ଧିବା ସହ ନିଜର ସାମର୍ଥ୍ୟ ଅନୁସାରେ ପୋଷାକ କିଣିବାକୁ ଏଠିକାର ମୁଖିଆ ଘୋଷଣା କରିଛନ୍ତି । ବିବାହ ସହ ଅନ୍ୟ ଉତ୍ସବ ମାନଙ୍କରେ ମଧ୍ୟ ତିଆରି କରାଯାଉଥିବା ବ୍ୟଞ୍ଜନ ଉପରେ ବି କଟକଣା ରହିଛି ।

ତେବେ କୁମାୱତ ସମ୍ପ୍ରଦାୟର ଏହି କଟକଣା ପଛରେ ଏକ ଭଲ ଉଦ୍ଦେଶ୍ୟ ରହିଛି । ଏବେ ସମାଜରେ ବିବାହ ହେଉ ବା ଅନ୍ୟ କିଛି ଉତ୍ସବରେ ବଡବଡିଆ ଲୋକେ ଆଖିବୁଜା ଖର୍ଚ୍ଚ କରୁଛନ୍ତି । ସେମାନଙ୍କ ସହ ନିଜକୁ ସମକକ୍ଷ କରିବାକୁ ଚେଷ୍ଟା କରି ବଳି ପଡୁଛନ୍ତି ମଧ୍ୟବିତ୍ତ ଓ ଗରିବ ପରିବାର । ଏପରି କଟକଣା ଦ୍ୱାରା ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିପାରିବ ବୋଲି ଇଲାକାର ମୁଖିଆଙ୍କ ଏକ ଦଳ ମନ୍ତବ୍ୟ ଦେଇଛନ୍ତି । ଏକ ସରଳ ଜୀବନର ଆରମ୍ଭ ପାଇଁ ଏହା ହେଉଛି ଏକ ଭଲ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।