ରାତିରେ ପ୍ରେମିକାର ବାହାଘର ହେଲା, ସକାଳେ ପ୍ରେମିକର ଶବ ମିଳିଲା । ପ୍ରେମରେ ବିଫଳ ହୋଇ ରଶିରେ ଝୁଲାଇଦେଲା ଜୀବନ ।

2,866

କନକ ବ୍ୟୁରୋ: ଆଉ କାହାର ହୋଇଗଲା ପ୍ରେମିକା । ଆତ୍ମହତ୍ୟା କରିଦେଲା ପ୍ରେମିକ । ପ୍ରେମ ପାଇଁ ଗଛରେ ଝୁଲିଲା ଜୀବନ । ସବୁ ସରିଗଲା, ସବୁ ସ୍ୱପ୍ନ ଭାଙ୍ଗିଗଲା । ଯାହାକୁ ନେଇ ରାତି ରାତି ସ୍ୱପ୍ନ ଦେଖିଥିଲି ଯାହାକୁ ହୃଦୟରେ ଜାଗାଟିଏ ଦେଇଥିଲି । ଆଉ କିଛି ସମୟ ପରେ ସେ ଆଉ କାହାର ହୋଇଯିବ । ଆଉ କାହା ହାତରୁ ସିନ୍ଦୂର ନାଇବ, ଆଉ କାହା ନାଁରେ ଶଙ୍ଖା ପିନ୍ଧିବ । ବେଦୀରେ ବସି ହୋମନିଆଁକୁ ସାକ୍ଷୀ ରଖି ତା ଜୀବନସାଥୀ ପାଲଟିବ… ଉଫ୍ ! ଏ କଥାକୁ କେମିତି ସହିବ ଏ ଛାତି ? ତା ବିନା କେମିତି ବଞ୍ଚିବ ଏ ଜୀବନ? ନା… ଏ ଜୀବନ ରଖି ଆଉ ଲାଭ ନାହିଁ । ରାତି ପାହିବା ପରେ ପ୍ରେମିକାର ବଧୂବେଶ ଦେଖିବା ପୂର୍ବରୁ ମୁଁ ନଥିବ… ସେ ଶାଶୁଘରକୁ ଯିବ ତ ମୋ ଶବ ଦେଖି ଯିବ, ମୋ ମଲାଖବର ଶୁଣି ଯିବ…

ରାତିରେ ବେଦୀରେ ବସି ବାହା ହେଉଥିଲା ପ୍ରେମିକା । ଜୀବନସାଥୀକୁ ନପାଇ ଜୀବନ ହାରିବାର ଯୋଜନା କରୁଥିଲା ପ୍ରମିକ । ପ୍ରେମିକା ପର ପୁରୁଷକୁ ବାହା ହୋଇ ସବୁଦିନ ପାଇଁ ପର ହୋଇଯିବ । ଏ ନିଷ୍ଠୁର ସତକୁ ସାମ୍ନା କରି ନପାରି ମୃତ୍ୟୁକୁ ଆମନ୍ତ୍ରଣ କରିବାର ମନ୍ତ୍ର ପଢୁଥିଲା ପ୍ରେମିକ । ଏପଟେ ପ୍ରେମିକା ଆଉ କାହାର ହାତଧରୁଥିଲା, ସେପଟେ ପ୍ରେମିକ ଆତ୍ମହତ୍ୟାକୁ ବାଛି ସାରିଥିଲା । ପ୍ରେମିକାର ବେକରେ ବରଣମାଳ ପଡୁଥିଲା, ପ୍ରେମିକ ନିଜ ବେକରେ ଫାଶୀ ଦଉଡି ଲଗାଉଥିଲା । ପ୍ରେମିକା ଆଗରେ ହୋମନିଆଁ ଜଳୁଥିଲା, ପ୍ରେମିକର ଶବକୁ ଜୁଇ ଅପେକ୍ଷା କରିଥିଲା । କାରଣ ରାତି ପାହିବା ପୂର୍ବରୁ ପ୍ରେମିକା ପାଇଁ ଗୋଟେ ପ୍ରେମିକ ସବୁଦିନ ପାଇଁ ଶବ ପାଲଟିଯାଇଥିଲା । ପ୍ରେମିକା ଆଇ କାହାକୁ ବାହା ହୋଇଗଲା ବୋଲି ପ୍ରେମିକ ସାରା ଦୁନିଆରୁ ବିଦାୟ ନେଇଗଲା ।

ପ୍ରେମକୁ ନେଇ ଏ ଛାତିଥରା, ହୃଦୟବିଦାରକ, ଅଭାବନୀୟ ଆଉ କରୁଣ କାହାଣୀ ଆସିଛି ସୋରରୁ । ଯେଉଁଠି ଜଣେ ପ୍ରେମିକ ତା ପ୍ରମିକା ପାଇଁ ଆତ୍ମହତ୍ୟା କରିଛି । ସୋର ମାଣତ୍ରୀ ପଞ୍ଚାୟତର ଜଣେ ଯୁବକ ଉକ୍ତ ଅଞ୍ଚଳରୁ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଓଡିଶା ବାହାରେ ରହି ଯୁବକ ଜଣଙ୍କ ରୋଜଗାର କରୁଥିଲେ । ଗତ ୩/୪ ଦିନ ତଳେ ଘରକୁ ଫେରି ପ୍ରେମିକାକୁ ଦେଖା କରିବାକୁ ଚେଷ୍ଟା କରିଥିଲେ ବି ଯୁବକ ଜଣଙ୍କ ଭେଟି ପାରିନଥିଲେ । ଆଉ ପ୍ରେମିକାର ବାହାଘର କଥା ଶୁଣି ଦୁଃଖରେ ଭାଙ୍ଗି ପଡିଥିଲେ । ରାତିରେ ପ୍ରେମିକାର ବାହାଘର ଅନ୍ୟ କେଉଁଠି ହେଉଥିବା କଥା ଶୁଣି ମାନସିକ ଭାରସାମ୍ୟ ହରାଇ ବସିଥିଲେ ଯୁବକ । ଆଉ ଜୀବନ ହାରିବାର ନିଷ୍ଠୁର ନିଷ୍ପତ୍ତି ନେଇ ଘରଠାରୁ କିଛି ଦୂରରେ ଥିବା ଏକ ଗଛରେ ଝୁଲିପଡିଥିଲେ ଯୁବକ । ପରଦିନ ସକାଳେ ପରିବାର ଲୋକ ଦେଖି ତାଙ୍କୁ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଶବ ବ୍ୟବଚ୍ଛେଦ ପରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ପ୍ରେମ ପାଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ପ୍ରେମ ପାଇଁ ସିନା ଏ ପ୍ରେମିକ ଜଣଙ୍କ ଜୀବନ ହାରିଦେଲେ । ହେଲେ ସୋରରୁ ଆସିଥିବା ଏ ଖବର ପ୍ରେମୀଯୁଗଳଙ୍କୁ ଶିକ୍ଷା ଦେବା ସହ ଅନେକ ପ୍ରଶ୍ନର ପାହାଡ ସୃଷ୍ଟି କରିଛି । ଆମେ ମାନୁଛୁ ପ୍ରେମ ଏକ ପବିତ୍ର ସମ୍ପର୍କ, ପ୍ରେମ କେତେବେଳେ, କେଉଁଠି, କାହା ସହ ବି ହୋଇପାରେ । ପ୍ରେମକୁ ପାଇ କିଏ ସଫଳ ହୁଏ, ପୁଣି ବି କିଏ ବିଫଳ ହୁଏ । ହେଲେ ଏହି ବିଫଳତା ଆତ୍ମହତ୍ୟାର କାରଣ ନହେଉ । ଜୀବନସାଥୀକୁ ପାଇବା ପାଇଁ ଜୀବନ ହାରିଦେବା ଜୀବନନ ଶେଷ ନିଷ୍ପତ୍ତି ନହେଉ । ମୃତ୍ୟୁର ବାଟ ବାଛିବା ଆଗରୁ ଥରେ ପ୍ରେମୀଯୁଗଳ ନିଜ ନିଜ ପରିବାର କଥା ଚିନ୍ତା କରନ୍ତୁ । ଏଡୁଟେରୁ ଏଡୁଟେ କରିଥିବା ଜନ୍ମକଲା ମାଆର ଗର୍ଭ ଯନ୍ତ୍ରଣାକୁ ବିରହର ଯନ୍ତ୍ରଣା ସହ ତୁଳନା କରନ୍ତୁ । ବୋଧହୁଏ ନ୍ୟାୟର ନିକିତିରେ ମାଆର ଭଲପାଇବା ଭାରି ପଡିଯିବ । ପିଲାକୁ ବଡମଣିଷ କରିବାକୁ ବୋଝ ବୋହିଥିବା ବାପାଙ୍କ କଥା ଭାବନ୍ତୁ । ହୁଏତ ସେମାନଙ୍କ ତ୍ୟାଗ ଆଗରେ ତୁମ ପ୍ରେମ ଫିକା ପଡିଯିବ । ମୃତ୍ୟୁକୁ ମାଳ କରି ପିନ୍ଧିବା ଆଗରୁ, ମୃତ୍ୟୁ ବି ତୁମକୁ ନେବା ପାଇଁ ମନା କରିବ… ବିଚାର ଆପଣଙ୍କର… ପ୍ରେମରେ ପ୍ରତାରଣା ପରେ ଜୀବନ ହାରିବେ ନା ପରିବାରର ହାତ ଧରି ଚାଲିବେ…