କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ମାଳଦ୍ୱୀପ ସରକାରଙ୍କ ଯେଉଁ ୩ଜଣ ମନ୍ତ୍ରୀ ଆପତିଜନକ ଟିପ୍ପଣୀ ଦେଇଥିଲେ ସେମାନେ ହୁଏତ କଳ୍ପନାରେ ସୁଦ୍ଧା ଚିନ୍ତା କରିନଥିବେ ରାତାରାତି କିଭଳି ସମସ୍ୟାରେ ପଡିବ ଦେଶ । ସବୁଠି ଏବେ ମାଳଦ୍ୱୀପ ବିରୋଧରେ ସ୍ୱର ଉତୋଳନ ଆରମ୍ଭ ହୋଇଛି । ସୋସିଆଲ ମିଡିଆଠୁ ନେଇ ଭାରତର ଅନେକ ବିଶିଷ୍ଠ ବ୍ୟକ୍ତି ମାଳଦ୍ୱୀପ ମନ୍ତ୍ରୀଙ୍କ ବୟାନକୁ ନିନ୍ଦା କରୁଛନ୍ତି । କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ବୟକଟ ମାଳଦ୍ୱୀପ । ପର୍ଯ୍ୟଟକଙ୍କ ସଂଖ୍ୟା ହଠାତ ଖସିବା ସହ ବୁକିଂ ମଧ୍ୟ ରଦ୍ଦ ହେଉଛି । କହିବାକୁ ଗଲେ ଭାରତ ବିରୋଧୀ ବୟାନ ଦେଇ ନିଜ ଗୋଡରେ ନିଜେ କୁରାଡ଼ି ମାରିଛି ମାଳଦ୍ୱୀପ ।
ପର୍ଯଟନ କ୍ଷେତ୍ରକୁ ନେଇ ଉପଜିଥିବା ବିବାଦ ଭିତରେ ସାମ୍ନାକୁ ଆସିଛନ୍ତି ଭାରତର ବହୁ ବିଶିଷ୍ଠ ଚେହେରା । ବଲିଉଡ କଳାକାରଙ୍କଠୁ ନେଇ ବ୍ୟବସାୟୀ, ଶିଳ୍ପପତି ଲାକ୍ଷାଦ୍ୱୀପର ପ୍ରଶଂସା କରିବା ସହ ବିଭିନ୍ନ ପ୍ରକାର ପୋଷ୍ଟରେ ମାଳଦ୍ୱୀପକୁ ଉଚିତ ଜବାବ ଦେଇଛନ୍ତି । ସବୁଠୁ ଅଧିକ ଭାଇରାଲ ହେଉଛି ବିଗ ବି ଅମିତାଭ ବଚ୍ଚନଙ୍କ ସୋସିଆଲ ମିଡିଆ ପୋଷ୍ଟ । ଯେଉଁଥିରେ ବିଗ ବି ଲେଖିଛନ୍ତି ଭାରତର ଆତ୍ମନିର୍ଭରତା ଉପରେ ଆଦୌ ବାଧା ଦିଅନ୍ତୁ ନାହିଁ । ସେହିପରି ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ ମଧ୍ୟ ଭାରତର ବିଭିନ୍ନ ବେଳାଭୂମି ଫଟୋ ପୋଷ୍ଟ କରି ମାଳଦ୍ୱୀପକୁ ଜବାବ ଦେଇଛନ୍ତି । ସେପଟେ ମୋଦୀ ସରକାର ମାଳଦ୍ୱୀପ ମନ୍ତ୍ରୀଙ୍କ ବୟାନକୁ ନିନ୍ଦା କରିଛନ୍ତି ।
ଯେବେଠୁ ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ଭାବେ ମହମ୍ମଦ ମୁଇଜ ଦାୟିତ୍ୱ ନେଇଛନ୍ତି ସେବେଠୁ ଭାରତ-ମାଳଦ୍ୱୀପ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି । ଦାୟିତ୍ୱ ଗ୍ରହଣ କଲା ପରେ ମାଳଦୀପର ରାଷ୍ଟପତିମାନେ ପ୍ରଥମେ ଭାରତ ଗସ୍ତ କରିଥାନ୍ତି । କିନ୍ତୁ ବର୍ତମାନର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପରମ୍ପରା ଭାଙ୍ଗି ପ୍ରଥମେ ଭାରତ ବଦଳରେ ଚୀନ ଗସ୍ତ କରୁଛନ୍ତି । ଏହା ଭିତରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତା ବଢ଼ୁଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଓ ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ଯେଉଁ ଅପିଲ କରିଥିଲେ ତାକୁ ସହଜରେ ଗ୍ରହଣ କରିପାରିନଥିଲେ ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ । ଭାରତ ବିରୋଧୀ ମନ୍ତବ୍ୟ ଦେବା ସହ ଲାକ୍ଷାଦ୍ୱୀପର ପର୍ଯ୍ୟଟନ ବ୍ୟବସ୍ଥାକୁ ସମାଲୋଚନା କରିଥିଲେ । ତେବେ ଘଟଣାକୁ ଗୁରୁତର ସହ ଗ୍ରହଣ କରି ମାଳଦ୍ୱୀପକୁ ତଲବ କରିଥିଲା ଭାରତ । ପରେ ମାଳଦ୍ୱୀପର ୩ ମନ୍ତ୍ରୀ ମରିୟନ ଶିଉନା, ମାଲଶା ସରିଫ ଓ ମହଜୁଦ ମଜିଦଙ୍କୁ କ୍ୟାବିନେଟର ନିଲମ୍ବିତ କରାଯାଇଥିଲା । ସେପଟେ ବୈଦେଶିକ ମନ୍ତ୍ରଣାଳୟରେ ହାଜର ହୋଇଛନ୍ତି ମାଳଦ୍ୱୀପ ରାଷ୍ଟ୍ରଦୂତ ଇବ୍ରାହିମ ସାହିବ ।