ପଢିବାକୁ ଭାରି ଆଗ୍ରହ, ହେଲେ ଭାଗ୍ୟ ଦେଉନି ସାଥ୍…ପାଠପଢା ଅଧାରେ ଦୃଷ୍ଟିଶକ୍ତି ହରାଇ ବସିଛି ଜୋହାନ୍, ଚିକିତ୍ସା ପାଇଁ ସହାୟତା ମାଗୁଛି ଆଦିବାସୀ ଛାତ୍ର

471

କନକ ବ୍ୟୁରୋ:  ‘କଅଣ କରିବି ଆଜ୍ଞା, ମୋର ସଂସାର ତ ଉଜୁଡି ଗଲା । ବାହାଘରର ଅନେକ ବର୍ଷ ପରେ ଠାକୁରେ ମୋ ଡାକ ଶୁଣି ପୁଅଟିଏ ଦେଇଥିଲେ । ଜୋହାନକୁ ପାଇଁ ଆମେ ସ୍ୱାମୀ ସ୍ତ୍ରୀ ଦୁହେଁ ଆର୍ଥିକ ସମ୍ଭଳ ନଥିଲେ ବି ହସଖୁସିରେ ଚଳୁଥିଲୁ । ହେଲେ ଅଦିନ ମେଘ ଆସିଲା ପରି ଆମ  ପାଠପଢୁଆ ପୁଅର ଆଖି ଦୁଇଟା ନଷ୍ଟ ହୋଇଗଲା… ଆମେ ଏବେ କଣ କରିବୁ, ଆଜ୍ଞା  ପୁଅ ମୋର ଅନ୍ଧ ହୋଇଗଲା..ା’ କୋହଭରା କଣ୍ଠରେ ପୁଅର ଏଭଳି କଷ୍ଟକୁ ବଖାଣିଛନ୍ତି ଆଦିବାସୀ ଗରିବ ଦଂପତି କଲର୍ପ କେର୍କେଟା ଓ ବିମଳା କେର୍କେଟା  । ଲେଫ୍ରିପଡା ବ୍ଲକ୍ ଅନ୍ତର୍ଗତ ହୁଟିପଡାରେ ରହନ୍ତି ଏଇ ଦଂପତି ।

ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ଓ ଗୋଟିଏ ପୁଅ ଜୋହାନ । ଜମିବାଡି ବୋଲି କିଛି ନାହିଁ, ଜଙ୍ଗଲ ଜମିରେ ଘର ଖଣ୍ଡିଏ  ତୋଳି ରହୁଛନ୍ତି ଏମାନେ । ଜୋହାନ ଲେଫ୍ରିପଡା ଜୟରାମ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠପଢୁଥାଏ, ସେହି ସମୟରେ ବେଳେ ବେଳେ ତା’ର ଆଖି ଝାପସା ଦେଖାଯିବା ଆରମ୍ଭ ହେଲା । ତା’ରି ଭିତରେ କିନ୍ତୁ ପାଠ ପଢିବା ଝୁଙ୍କରେ ଜୋହାନ ପ୍ରତିଦିନ ସ୍କୁଲ ଯାଉଥିଲା । ହେଲେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ସମୟରେ ସମସ୍ୟାଟା ଉକ୍ରଟ ରୂପ ଧାରଣ କଲା । ପରୀକ୍ଷା ମଝିରେ ତାର ଆଖିର ଦୃଷ୍ଟିଶକ୍ତି ପ୍ରାୟତଃ ଚାଲିଯିବା ଭଳି ହୋଇଗଲା ।

ତଥାପି ବହୁତ କଷ୍ଟେ ମଷ୍ଟେ ସେ ପରୀକ୍ଷା ଦେଇଥିଲା । କିନ୍ତୁ ଭାଗ୍ୟର ବିଡମ୍ବନା ଏପରି ହେଲା କି, ସେ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିଲାନାହିଁ ଆଉ ପରୀକ୍ଷା ଫେଲ୍ ହୋଇଗଲା । ଏହାପରେ ବାପାମାଆ ଦୁହେଁ ସ୍ଥାନୀୟ ଆଶା କର୍ମଚାରୀଙ୍କ ସହାୟତାରେ ପୁଅକୁ ଚିକିତ୍ସା ପାଇଁ ବିଭିନ୍ନ ମେଡିକାଲକୁ ନେଇଥିଲେ । କିନ୍ତୁ ସବୁଠି ତାଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା ।  ପାଠ ପଢିବା ଲାଗି ଜୋହାନର ପ୍ରବଳ ଇଚ୍ଛା । ହେଲେ ତା ପାଖରେ ଆଉ କୌଣସି ବାଟ ନାହିଁ ।  ତଥାପି କିଛି ଗୋଟେ ଚମତ୍କାର ଅପେକ୍ଷାରେ ରହିଛି ଜୋହାନ । କାହିଁକି ନା ଜୋହାନ ଏବେବି ଆଶାବାନ୍ଧି ବସିଛି କି, ଚିକିତ୍ସା ପରେ ଦିନେ ସେ ତାର ଦୃଷ୍ଟିଶକ୍ତି ଫେରିପାଇବ ଆଉ ପୁଣି ଥରେ ସେ ପୂର୍ବ ପରି ସ୍କୁଲକୁ ଯିବ ଏବଂ ସାଙ୍ଗମାନଙ୍କ ମେଳରେ ବସି ପାଠପଢିବ ।

ତେବେ ଯଦି ଏହି ଗରିବ ପିଲାଟିର ଆକୁଳ ନିବେଦନ ଶୁଣି ତାକୁ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳନ୍ତା ତେବେ ନିଶ୍ଚୟ ଜୋହାନ ପୁଣି ଥରେ ଦୁନିଆ ଦେଖିପାରିବ ଆଉ ସେ ତା’ର ପାଠପଢିବାର ସ୍ୱପ୍ନକୁ ସାକାର କରିପାରିବ ।