ଟ୍ୱିଟର ବୟ ବିଜୟ । ଟ୍ୱିଟ୍ କରି କରୁଛନ୍ତି ଗାଁ ସମସ୍ୟାର ସମାଧାନ ।

134

କନକ ବ୍ୟୁରୋ : ଉପାନ୍ତ ଦୁର୍ଗମ ଅଞ୍ଚଳର ଯୁବକ ବିଜୟ ଖରା । ଟୁଇଟ ମାଧ୍ୟମରେ ଶହଶହ ସମସ୍ୟାର ସମାଧାନ କରି ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ତ୍ରିନାଥ ଖରାଙ୍କ ପୁଅ ବିଜୟ । ୨୫ ବର୍ଷିୟ ଯୁବକ ଯୁକ୍ତ ୨ ପଢିଛନ୍ତି । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ଅଛନ୍ତି । କିନ୍ତୁ ତାଙ୍କ କାମ, ଏବେ ତାଙ୍କୁ ଏକ ନୂଆ ପରିଚୟ ଦେଇଛି । ସେ ଟ୍ୱିଟର ବୟ ବିଜୟ ଖରା ପାଲଟି ଯାଇଛନ୍ତି । ଏବେ ଆସନ୍ତୁ ଜାଣିବା ସେଇ ଟ୍ୱିଟର ବୟଙ୍କ କାର୍ଯ୍ୟ ଓ କାହାଣୀ ।

ସୋସିଆଲ ମିଡିଆକୁ ଅସ୍ତ୍ର କରି ନିଜ ଅଞ୍ଚଳର ସମସ୍ୟା ସମାଧାନ କରୁଛନ୍ତି ବିଜୟ ଖରା । ବୈପାରିଗୁଡା ଠାରୁ ୩୦ କିଲୋମିଟର ଜଙ୍ଗଲ ଘେରା ଦୁର୍ଗମ ଗାଁ ପଣସପୁଟ । ଗାଁରେ ରହିଛି ଅନେକ ସମସ୍ୟା । ଦୁର୍ଗମ ଅଂଚଳର ଲୋକେ ନିଜ ସମସ୍ୟା ସଂପର୍କରେ ପ୍ରଶାସନକୁ କହି ପାରନ୍ତିନି କି ପ୍ରଶାସନ ସେମାନଙ୍କ ସମସ୍ୟା ଜାଣି ପାରୁନଥିଲା । ଏବେ କିନ୍ତୁ ସେଥିରେ ପରିବର୍ତ୍ତନ ଘଟିଛି । ନିଜ ଅଞ୍ଚଳର ବିକାଶ ପାଇଁ ଆଗକୁ ଆସିଛନ୍ତି ବିଜୟ । ଆଉ ଲୋକଙ୍କ ସମସ୍ୟା ସମ୍ପର୍କରେ ଟ୍ୱିଟ୍ କରି ପ୍ରଶାସନକୁ ଜଣାଉଛନ୍ତି । ବାର୍ଦ୍ଧକ୍ୟ ଭତା, ଆବାସ ଯୋଜନା, ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ ହିତାଧିକାରୀଙ୍କ ତଥ୍ୟ ସଂଗ୍ରହ କରି, ଟୁଇଟ୍ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଟ୍ୟାଗ୍ କରିଥାନ୍ତି । ତାଙ୍କ ଟ୍ୱିଟକୁ, ଜିଲ୍ଲା ପ୍ରଶାସନ ଗୁରୁତର ସହ ନେଇ ପଦକ୍ଷେପ ନେଇଛନ୍ତି ।

ଉପାନ୍ତ ଅଞ୍ଚଳର ସ୍ୱଳ୍ପ ଶିକ୍ଷିତ ଯୁବକ ବିଜୟ । ସମାଜ ସେବା ମନୋଭାବ ତାଙ୍କୁ ଆଜି ଟୁଇଟର ବୟ ପରିଚୟ ଦେଇଛି । ବିଜୟ କୁହନ୍ତି, ପ୍ରଶାସନକୁ ସମସ୍ୟା ଜଣାଇବା ଲାଗି ସୋସିଆଲ ମିଡିଆ ବେଶ ସହାୟକ ହେଉଛି । ସରକାର, ସାମାଜିକ ଗଣମାଧ୍ୟମରେ ସକ୍ରିୟ ଅଛନ୍ତି, ସବୁ ସମସ୍ୟାକୁ ଗୁରୁତର ସହ ନେଇ ସମାଧାନ କରୁଛନ୍ତି । ତେଣୁ ନିଜ ଅଞ୍ଚଳର ସମସ୍ୟା ସରକାରଙ୍କ କାନରେ ପକାଇବା ପାଇଁ ସମସ୍ତେ ଟ୍ୱିଟରକୁ ସାଥି କରିବା ଆବଶ୍ୟକ । ବର୍ଷେ ତଳେ ସ୍ମାର୍ଟ ମୋବାଇଲ କିଣି, ଟୁଇଟର ଆକାଉଣ୍ଟ କରି ଏବେ ସୁଦ୍ଧା ୧ ହଜାର ୩୫୦ରୁ ଅଧିକ ସମସ୍ୟାର ସମାଧାନ କରି ସାରିଲେଣି କୋରାପୁଟର ଟ୍ୱିଟର୍ ବୟ ବିଜୟ ଖରା ।