କନକ ବ୍ୟୁରୋ: ବାପା, ମା’ ଓ ଦୁଇ ପୁଅ, ଛୋଟ ପରିବାରକୁ ନେଇ ହସଖୁସିରେ ଚାଲୁଥିଲା ପରିବାର । ହେଲେ ଭାଗ୍ୟ ବାମ ହେଲା । ଅଗଣାରେ ଖେଳି ବୁଲୁଥିବା ସାନ ପୁଅ ହଠାତ୍ ପଙ୍ଗୁ ପାଲଟିଗଲା । କେଉଁ ଏକ ଅଜଣା ରୋଗରେ ଗୋଡ ଅକାମୀ ହୋଇଗଲା । ପୁଅକୁ ନେଇ ଆଶା ବାନ୍ଧିଥିବା ବାପା, ମା’ଙ୍କ ସ୍ୱପ୍ନ ପାଣିରେ ମିଳେଇଗଲା । ଏ ଯନ୍ତ୍ରଣାର କାହାଣୀ ହେଉଛି ଯାଜପୁର ବିଞ୍ଝାରପୁର ବ୍ଳକ ଗୁହାଳୀ ଗାଁ ବାସିନ୍ଦା ସନ୍ତୋଷ ସାମଲଙ୍କ ପୁଅ ଯଶୋବନ୍ତର ।

Advertisment

ସବୁ ତ ଠିକ ଥିଲା । ପୁଅ ନୂଆ ନୂଆ ସ୍କୁଲ ଯାଉଥିଲା । ହସି ଖେଳିବୁଲୁଥିଲା । ହେଲେ ସବୁ ଓଲଟପାଲଟ୍ ହୋଇଗଲା । ଯଶୋବନ୍ତକୁ ଯେତେବେଳେ ୪ ବର୍ଷ ହଠାତ୍ ଗୋଡ ଅଚଳ ହୋଇଗଲା । ଅନେକ ଡାକ୍ତରଙ୍କ ପାଖରେ ଦେଖାଇଲେ ବାପା ସନ୍ତୋଷ ସାମଲ । ହେଲେ ଏହା ଏକ ସ୍ନାୟୁଗତ ସମସ୍ୟା । ଏହାର ଚିକିତ୍ସା ରାଜ୍ୟ ବାହାରେ ସମ୍ଭବ, ଏବଂ ଏଥିପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ ଡାକ୍ତର । ହେଲେ ମଜୁରୀ ଲାଗି ୪ ପ୍ରାଣୀ କୁଟୁମ୍ବ ଚଳାଉଥିବା ବାପା ପାଇଁ ଏହା ଅସମ୍ଭବ । ପୁଅର ମାସିକ ମେଡିସନ୍ ଖର୍ଚ୍ଚ ତୁଲାଇବା ବି ଏବେ ସନ୍ତୋଷଙ୍କ ପାଇଁ କଷ୍ଟକର ହେଉଛି । ପୁଅର ଦିବ୍ୟାଙ୍ଗ ଭତ୍ତା ପାଇଁ ଆବେଦନ କରିଥିଲେ ବି ଏଯାଏଁ ତାହା ମିଳିନାହିଁ । ଏଭଳି ସ୍ଥଳେ ଧୈର୍ଯ୍ୟହରା ହୋଇପଡୁଛନ୍ତି ଯଶୋବନ୍ତଙ୍କ ବାପା

ଯଶୋବନ୍ତର ସାଙ୍ଗ ପିଲାମାନେ ଖେଳୁଛନ୍ତି ସ୍କୁଲ ଯାଉଛନ୍ତି । ହେଲେ ଯଶୋବନ୍ତ ସେମିତି ଶେଯରେ ପଡିରହୁଛି । ନିତ୍ୟକର୍ମଠାରୁ ଆରମ୍ଭ କରି ସବୁକାମ ପାଇଁ ବାପା, ମା’ ହିଁ ଭରଷା । ଅନ୍ୟ ପିଲାଙ୍କ ଆଗରେ ନିଜ ପୁଅକୁ ଦେଖିଲେ ମା’ର ମନ ବିକଳ ହେଉଛି । ଯଶୋବନ୍ତ ବି ଊଣାଅଧିକେ ଅନୁଭବ କରିପାରୁଛି ବାପା, ମା’ଙ୍କ ଦୁଃଖ । ଆଉ ସରକାରଙ୍କୁ ଅନୁନୟ ହୋଇ ଗୋଟିଏ କଥା କହିଛି ‘ସରକାର ଚାହିଁଲେ ମୁଁ ଚାଲିବି’

ଯଶୋବନ୍ତଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ମୋବାଇଲ ନମ୍ବର ହେଉଛି: ୯୮୩୧୮୧୨୯୧୦