ଗାଈଚରାଳୀଙ୍କୁ ଭିଡିନେଲା ଅଜଗର, ଅଳ୍ପକେ ବର୍ତ୍ତିଲେ ଯୁବକ । ବଖାଣିଲେ ଅଜଗର ସହ ସଂଘର୍ଷର କଥା

467

କନକ ବ୍ୟୁରୋ : ଗାଈ ଚରାଉଥିବା ସମୟରେ ଭିଡି ନେଲା ଅଜଗର । ଅଚେତ ଅବସ୍ଥାରେ ଗାଁ ଲୋକଙ୍କ ଦ୍ୱାରା ଉଦ୍ଧାର ହେଲେ ଯୁବକ । ଚିକିତ୍ସା ପାଇଁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ତୁଳସୀପୁର ଗାଁରେ ଘଟିଛି ଅଘଟଣ । ସୂଚନା ଅନୁସାରେ, ଗାଁର ବୁଡ଼ୁ ମାଝୀ ନାମକ ଯୁବକ ଗାଈ ଚରାଇବାକୁ ନିକଟସ୍ଥ କୁଶେଇ ନଦୀ କୂଳକୁ ଯାଇଥିଲେ । ଏହି ସମୟରେ ଏକ ଅଜଗର ସାପ ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା । ଅନ୍ୟ ଜଣେ ପିଲା ଘଟଣାକୁ ଦେଖି ଗାଁରେ ଖବର ଦେବା ପରେ ଯୁବକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଥିଲା ।

ସୋମବାର ସେ ଗାଈ ଚରାଇବାକୁ ଷେଣ୍ଢେଇ ନଦୀକୂଳକୁ ଆଉଜଣେ ଛୋଟପିଲା ସହ ଯାଇଥିଲେ । ପ୍ରାୟ ସାଢ଼େ ୩ଟାବେଳେ ଏକ ପଥରଖୋଲ ନିକଟକୁ ଶୌଚ ହେବାକୁ ଯାଇଥିବାବେଳେ ହଠାତ୍ ଏକ ବିରାଟ ଅଜଗର ବୁଡ଼ୁଙ୍କ ଦେହରେ ଗୁଡ଼ାଇ ହୋଇ ତାଙ୍କୁ ଟାଣି ନେଇଥିଲା । ବୁଡ଼ୁ ଖୁବ୍‌ ଜୋରରେ ଚିତ୍କାର କରିଥିଲେ । ସେଠାରେ ଥିବା କିଛି ଲୋକ ଏନେଇ ତୁଳସୀପୁର ଗ୍ରାମକୁ ଖବର ଦେଇଥିଲେ । ଗ୍ରାମବାସୀ ଠେଙ୍ଗାବାଡ଼ି ଧରି ସେଠାରେ ପହଞ୍ଚିବା ବେଳକୁ ବୁଡ଼ୁ ସଂଜ୍ଞାହୀନ ଅବସ୍ଥାରେ ନଦୀକୂଳରେ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଚେତା ଫେରିବା ପରେ ସେ ବଖାଣିଛନ୍ତି ଅଜଗର ସହ ସଂଘର୍ଷର କଥା । ଅଜଗର ତାଙ୍କୁ ଗୁଡ଼ାଇ ଗିଳିବାକୁ ବସିଥିଲା । ଏହି ସମୟରେ ସେ ସାହସ କରି ଅଜଗର ପାଟିକୁ ଦୁଇ ହାତରେ ଭିଡ଼ି ଧରିଥିଲେ । ବେଶ୍‌ କିଛି ସମୟ ସଂଘର୍ଷ ପରେ ଅଜଗର ପାଶରୁ ସେ ମୁକୁଳିଥିଲେ । ସାପଟି କୁଆଡ଼େ ଚାଲିଯାଇଥିଲା। କିନ୍ତୁ ସେ ଚେତା ହରାଇଥିଲେ ବୋଲି କହିଛନ୍ତି ।

ଖବର ପାଇ ଦେଓଗାଁ ରେଂଜର ସୁରେନ୍ଦ୍ର କୁମାର ହେମ୍ବ୍ରମଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ସାପଟି ଖୋଲ ଭିତରେ ପଶି ରହିଥିବା ରେଞ୍ଜର ସୂଚନା ଦେଇଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ, ସେଠାରୁ ପୂର୍ବରୁ ଦୁଇଟି ଅଜଗରକୁ ଧରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ପଥରଖୋଲରେ ଆଉ ଏକ ଅଜଗର ରହୁଥିବା ଗ୍ରାମବାସୀ କହିଛନ୍ତି ।