ସ୍ୱାଧୀନତା ଦିବସରେ ସହିଦ ଭଗତ ସିଂଙ୍କ କାହାଣୀ କହିଥାନ୍ତା କୁନି ପୁଅ । ଭଗତଙ୍କ ଫାଶୀ ବେଳର ଦୃଶ୍ୟ ଅଭ୍ୟାସ କରୁଥିବା ବେଳେ ପାଦ ତଳୁ ଖସିଗଲା ଷ୍ଟୁଲ୍, ସତସତିକା ଫାଶୀରେ ଝୁଲିଗଲା ୧୦ ବର୍ଷର ଶିବମ୍ ।

402

ସରଫରୋସି କି ତମନ୍ନା ଅବ ହମାରେ ଦିଲ ମେଁ ହୈ
ଦେଖ ନା ହେ ଜୋର କିତନା ବାଜୁ-ଏ-କାତିଲ ମେଁ ହୈ
କୁନିପାଟିରୁ ଶୁଭୁଥିଲା ଭଗତ ସିଂଙ୍କ ଏହି ଜୋସ୍ ଭରା କଥା । ସ୍ୱାଧୀନତା ଦିବସ ପାଇଁ ଭଗତ ସିଂ ସାଜି ଘରେ ଅଭିନୟର ଅଭ୍ୟାସ କରୁଥିଲା ୧୦ ବର୍ଷର କୁନି ପୁଅ । ବନ୍ଦେ ମାତରମ୍ ଆଉ ଇନକଲାବ ଜିନ୍ଦାବାଦ ନାରା, କାନ୍ଥକଡରୁ ସମସ୍ତଙ୍କ କାନେ କାନେ ପଡୁଥିଲା । କିନ୍ତୁ ହଠାତ୍ ସେ ଘର ଭିତରୁ ଆଉ ଶୁଭିଲାନି ଦେଶଭକ୍ତିର ନାରା । ଭଗତ ସିଂଙ୍କ ଫାଶି ଅଭିନୟ କଲାବେଳେ ହଠାତ ପାଦ ତଳୁ ଖସିଗଲା ଷ୍ଟୁଲ । ଆଉ ନିରବି ଗଲା କୁନି ଭଗତ ସିଂଙ୍କ ସ୍ୱର ।

ଏ କାହାଣୀ ଯେତିକି ହୃଦୟସ୍ପର୍ଶୀ ସେତିକି ହୃଦୟ ବିଦାରକ । ଆଉ ମାତ୍ର ଦିନ କେଇଟା ପରେ ସ୍ୱାଧୀନତା ଦିବସରେ ଭଗତ ସିଂ ସାଜିବାକୁ ସ୍ୱପ୍ନ ଦେଖିଥିଲା ୧୦ବର୍ଷର ଶିବମ ସିଂହ । ଗୋରା ସରକାରଙ୍କ ଆଗରେ ମୁଣ୍ଡ ନନୁଆଇଁ ହସି ହସି ଫାଶୀ ଖୁଣ୍ଟରେ ଚଢିଯାଇଥିବା ବୀର ସଂଗ୍ରାମୀ ଭଗତ ସିଂଙ୍କ କାହାଣୀକୁ, ଅଭିନୟ କରି କହିଥାନ୍ତା କୁନି ପୁଅ । ହେଲେ କିଏ ଜାଣି ଥିଲା ଭଗତ ସିଂଙ୍କ ଭଳି ଭଗବାନ ବି କୁନିପୁଅକୁ ନିଜ ପାଖକୁ ଡାକିନେବେ । ନକଲି ଫାଶୀର ଅଭିନୟ କରୁ କରି ଅସଲି ଫାଶୀର ଫାଶରେ ପଡିଗଲା ଶିବମ୍ । କେହି କିଛି ବୁଝିବା ଆଗରୁ ଚାରିକାନ୍ଥ ଭିତରେ ଶୋଇଗଲା ଶିବମ୍

ଉତ୍ତରପ୍ରଦେଶର ଏକ ଗାଁରୁ ଆସିଛି ଆଖି ଭିଜାଇଦେବା ଭଳି ଏହି ଖବର । ୧୦ ବର୍ଷର ଶିବମ ସିଂହ । ବାପା , ମା ବାହାରକୁ କାମ କରିବାକୁ ଯାଇଥିବା ବେଳେ ତା ସାଙ୍ଗମାନେ ଘରକୁ ଆସିଥିଲେ । ଆଗକୁ ଅଗଷ୍ଟ ୧୫ ଥିବାରୁ ଏଥିରେ ସେମାନେ ବୀର ସଂଗ୍ରାମୀ ଭଗତ ସିଂଙ୍କ ନାଟକର ଅଭିନୟ କରୁଥିଲେ । ଏଥିରେ ଫାଶି ସିନର ଅଭ୍ୟାସ କରିବାବେଳେ ଶିବମ୍ ଷ୍ଟୁଲ ପକାଇ ବେକରେ ଦଉଡି ଲଗାଇ ଅଭ୍ୟାସ କରୁଥିଲେ । ହେଲେ ହଠାତ୍ ତାଙ୍କ ଗୋଡ ତଳୁ ଷ୍ଟୁଲ ଖସିଯାଇଥିଲା । ଫଳରେ କୁନି ପୁଅଟିର ବେକରେ ଚାପିହୋଇଯାଇଥିଲା ଦଉଡି । ଘରେ କେହି ବୟସ୍କ ଲୋକ ନଥିବାରୁ ଶିବମକୁ କେହି ତଳକୁ ଓହ୍ଲାଇପାରିନଥିଲେ । ଶେଷରେ ଭଗତ ସିଂଙ୍କ ଭଳି ଫାଶୀରେ ଝୁଲିଯାଇଥିଲା କୁନି ଭଗତ ସିଂ ।