ଭୁବନେଶ୍ୱରରେ ଟ୍ୟୁସନ ଯାଉଥିବା ବେଳେ ନାଳରେ ଖସିପଡିଲେ ୧୫ ବର୍ଷୀୟ ଛାତ୍ର । ଚାଲିଛି ଖୋଜାଖୋଜି, ଏ ଯାଏଁ ମିଳିନି ପତ୍ତା ।

237

କନକ ବ୍ୟୁରୋ : ଟ୍ୟୁସନ୍ ଯାଉଥିବା ବେଳେ ଭୁବନେଶ୍ୱର ଏକ ନାଳରେ ଭାସି ଯାଇଛନ୍ତି ଜଣେ ଦଶମ ଶ୍ରେଣୀର ଛାତ୍ର । ଆଜି ଅପରାହ୍ନରେ ଗଣ୍ଡମୁଣ୍ଡା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ୧୫ ବର୍ଷିୟ ଜ୍ୟୋତିର୍ମୟ ବେହେରା ଡ୍ରେନରେ ଭାସି ଯାଇଥିବା ବେଳେ ଏଯାଏଁ ତାଙ୍କର କୌଣସି ପତା ମିଳିନାହିଁ । ପୁଲିସ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଭୁବନେଶ୍ୱର ଗଣ୍ଡମୁଣ୍ଡା ଅଞ୍ଚଳର ସୌଭାଗ୍ୟନଗରରେ ଥିବା ଏକ ନାଳଭିତରୁ ଜଣେ ୧୫ ବର୍ଷର ଛାତ୍ରଙ୍କୁ ଖୋଜା ଚାଲିଛି । କିନ୍ତୁ କିଛି ପତ୍ତା ମିଳୁନି । ନାଳରେ ପ୍ରବଳ ବେଗରେ ପାଣି ଚାଲିଛି । ରବିବାର ଅପରାହ୍ନ ପ୍ରାୟ ୩ଟାରୁ ସାଢେ ୩ଟା ଭିତରେ ସୌଭାଗ୍ୟନଗର ସ୍ଥିତ ନିଜ ଘରୁ ଟ୍ୟୁସନ ଯିବା ପାଇଁ ବାହାରିଥିଲେ ଜ୍ୟୋର୍ତିମୟ ବେହେରା । ନିକଟରେ ଥିବା ଲୋକଙ୍କ କହିବା ଅନୁସାରେ, ହଠାତ୍ ତାଙ୍କର ସାଇକେଲ ନାଳ ଭିତରକୁ ଖସପଡିଲା । ଲୋକେ ଏହା ଦେଖି ଦୌଡି ଆସିବାବେଳକୁ ଆଉ କିନ୍ତୁ ତାଙ୍କର ପତ୍ତା ନଥିଲା ।

ଘଟଣାକୁ ଆଦୌ ବିଶ୍ୱାସ କରିପାରୁନାହାନ୍ତି ପରିବାର ଲୋକେ । କେମିତି ହଠାତ ଏମିତି ଘଟଣା ଘଟିଗଲା କହିବାବେଳକୁ ସେମାନଙ୍କ ଆଖିରେ ଲୁହ ଆସିଯାଉଛି । ଜ୍ୟୋର୍ତିମୟଙ୍କୁ ପୁରା ପରିବାର ଖୁବ ଆଦର କରନ୍ତି । ସେମାନେ ଜାଣିପାରୁନାହାନ୍ତି କଣ କରିବେ । ସେପଟେ ରାଜନୈତିକ ଦଳର ନେତା ଓ କର୍ମୀ ଆନ୍ଦୋଳନରେ ବି ବସିଯାଇଛନ୍ତି । ସେମାନଙ୍କର ଅଭିଯୋଗ ହେଉଛି, ବିଏମସିର ଅବହେଳା କାରଣରୁ ଏଭଳି ଘଟଣା ଘଟିଲା ।