ପେନସିଲ ମୁନରେ ଶିଳ୍ପୀର ଭାବନା । ବାସ୍ତବତା ପାଖରେ ବନ୍ଧା ପଡିଛି ଚିତ୍ରକରର ସ୍ୱପ୍ନ । ତଥାପି ଦାରିଦ୍ର୍ୟତା ଆଗରେ ଲୁଚି ଯାଇନି ରୁଦ୍ରଙ୍କ ଚିତ୍ରଆଙ୍କିବାର ନିଶା

244

କନକ ବ୍ୟୁରୋ: ବୟସ ମାତ୍ର ୧୮ବର୍ଷ । ହେଲେ କାନ୍ଧରେ ପରିବାରର ବୋଝ । ଘର ଚଳାଇବା ପାଇଁ ଏକ ଦୋକାନରେ ଚାକିରୀ କରୁଛନ୍ତି ସତ ମାତ୍ର ସ୍ୱପ୍ନ ଜଣେ ଚିତ୍ରକର ହେବାର । ପଢନ୍ତୁ କେନ୍ଦୁଝର ଜିଲ୍ଲା ଚଣ୍ଡାଳୀ ଗାଁର ଯୁବ ଚିତ୍ରକର ରୁଦ୍ରଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ ।

କାଗଜରେ ପେନସିଲ ସାହାଯ୍ୟରେ ଭଳି କି ଭଳି ଆକର୍ଷଣୀୟ ଚିତ୍ର । କୀମ୍ବଦନ୍ତୀ ପୁରୁଷଙ୍କ ଅବିକଳ ଚିତ୍ର ଆଙ୍କିପାରିଛନ୍ତି ଶିଳ୍ପୀ ଜଣଙ୍କ । ଆଉ ଶିଳ୍ପୀ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଚଣ୍ଡାଳୀ ଗାଁର ବିଶ୍ୱନାଥ ଭଂଜଙ୍କ ପୁଅ ରୁଦ୍ର । ଏତେ କମ୍ ବୟରରେ ରୁଦ୍ରଙ୍କ କାନ୍ଧ ଉପରେ ପରିବାରର ବୋଝ । ଅର୍ଥାଭାବ ଯୋଗୁଁ +୨ ପରେ ପାଠପଢାରେ ପଡିଲା ଡୋରି । ଘର ଚଳାଇବା ପାଇଁ ଯାଜପୁର ରୋଡ୍ରେ ଏକ ଦୋକାନରେ କାମ କରୁଛନ୍ତି ରୁଦ୍ର । ଆଉ ସମୟ ପାଇଲେ ଏଭଳି ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିଥାନ୍ତି ରୁଦ୍ର । ବହୁ ରାଜନେତା ଓ ମହାପୁରୁଷଙ୍କ ଅବିକଳ ଚିତ୍ର ଆଙ୍କିଛନ୍ତି ରୁଦ୍ର ।

ବାପା ବିଶ୍ୱନାଥ ଭଂଜ ପେଶାରେ ଜଣେ ଭାଗଚାଷୀ । ଆଉ ଚାଷ କାମ କରିବାରେ ପରିବାର ପ୍ରତିପୋଷଣ କରିବା ବଡ କଷ୍ଟକର ହୁଏ । ଯାହା ପାଇଁ ପୁଅ ରୁଦ୍ର ବାପାଙ୍କୁ ସାହାଯ୍ୟ କରିବା ପାଇଁ କାମ କରିବା ଆରମ୍ଭ କଲେ । ହେଲେ ଏହାରିଭିତରେ ବି ରୁଦ୍ରଙ୍କ ଚିତ୍ରଆଙ୍କିବାର ନିଶା ସ୍ଥାନୀୟ ଅଚଂଳରେ ଚର୍ଚ୍ଚାର ବିଷୟ ହୋଇପାରିଛି ।

ତେବେ ଏହି ଯୁବ ପ୍ରତିଭାଙ୍କୁ ସରକରାଙ୍କ ତରଫରୁ ସହାୟତା ମିଳି ପାରିଲେ ରୁଦ୍ରଙ୍କ ଚିତ୍ରଶିଳ୍ପୀ ହେବାର ସ୍ୱପ୍ନ ପୂରଣ ହୋଇପାରନ୍ତା ବୋଲି ଆଶା ରଖିଛନ୍ତି ପରିବାର ଲୋକେ ।