କନକ ବ୍ୟୁରୋ : ୫ବର୍ଷ ହେଲା ୟୁକ୍ରେନର ଖାରକିଭରେ ରହି ଡାକ୍ତରୀ ପାଠ ପଢୁଥିବା ବୌଦ୍ଧର ଛାତ୍ର ସିଦ୍ଧାର୍ଥ ମହାପାତ୍ରଙ୍କୁ ନେଇ ଚିନ୍ତିତ ହୋଇପଡିଛନ୍ତି ପରିବାର । ୟୁକ୍ରେନ ଉପରେ ରୁଷିଆ ସେନାର ଆକ୍ରମଣ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଖାରକିଭରେ ପ୍ରବେଶ କରିସାରିଛି ରୁଷିଆର ସ୍ଥଳସେନା । ତେଣୁ ପରିସ୍ଥିତି ଭୟାବହ ହେବାରେ ଲାଗିଛି ।

Advertisment

ୟୁକ୍ରେନର କିଭ ଓ ଖାରକିଭ ଅଂଚଳରେ ରହି ଏକାଧିକ ଓଡିଆ ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢୁଥିବାବେଳେ ଏବେ ସେମାନଙ୍କ ସହ ଯୋଗାଯୋଗ ସମ୍ଭବ ହେଉନାହିଁ । ବୌଦ୍ଧ ସହର ରାମେଶ୍ୱର ବିହାରର ପ୍ରଶାନ୍ତ ମହାପାତ୍ର ଓ ଗୀତାଞ୍ଜଳି ମହାପାତ୍ରଙ୍କ ପୁଅ ସିଦ୍ଧାର୍ଥ ମହାପାତ୍ର ୫ ବର୍ଷ ହେଲା ଖାରକିଭରେ ରହୁଛନ୍ତି । ଶେଷଥର ପାଇଁ ପରିବାର ଲୋକ ଯୋଗାଯୋଗ କଲାବେଳେ ରୁଷିଆ ସେନାର ରକେଟ ମାଡରୁ ବର୍ତିବା ପାଇଁ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ସିଦ୍ଧାର୍ଥ ଏକ ବଙ୍ଗରରେ ଆଶ୍ରୟ ନେଇଥିବା କହିଥିଲେ ।

ହେଲେ ପରେ ଆଉ ତାଙ୍କ ସହ ଯୋଗାଯୋଗ ସମ୍ଭବ ହେଉନାହିଁ । ଖାଇବା ପିଇବାରେ ସମସ୍ୟା ହେବା ସହ ମୋବାଇଲ ନେଟୱର୍କ ଆସୁନଥିବାରୁ ପରିବାରକୁ କଲ କରିପାରୁନାହାନ୍ତି । ଏପରିକି ଭାରତୀୟ ଦୂତାବାସର କେହି ଅଧିକାରୀ ତାଙ୍କ ସହ ଯୋଗାଯୋଗ କରୁନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ତେଣୁ ଭୟ ଓ ଆଶଙ୍କା ଭିତରେ ଏକମାତ୍ର ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକ ।