ପବଜୀ ଛଡ଼ାଇ ନେଲା ପୁଅ: ମୋବାଇଲରେ ପବଜି ଖେଳୁ ଖେଳୁ ରେଳଧାରଣା ଉପରକୁ ଆସିଗଲେ ନୂଆପଡାର ଯୁବକ । ଆଖି ପିଛୁଳାକେ ଧକ୍କା ଦେଲା ଟ୍ରେନ, ଘଟଣାସ୍ଥଳରେ ମୃତ୍ୟୁ, ପୁଅକୁ ହରାଇ ପରିବାରରେ କାନ୍ଦ ବୋବାଳି ।

843

କନକ ବ୍ୟୁରୋ: ଅଭାବନୀୟ ଘଟଣା । ମୋବାଇଲରେ ପବଜି ଖେଳୁ ଖେଳୁ ଅଜାଣତରେ ରେଳ ଟ୍ରାକ ଉପରକୁ ଆସିଗଲେ ଯୁବକ । ଆଉ ଦେଖୁ ଦେଖୁ ମାଡିଗଲା ଟ୍ରେନ । ଯୁବକ ଜଣଙ୍କ କିଛି ବୁଝିବା ଆଗରୁ ଟ୍ରେନ ଏମିତି ଧକ୍କା ଦେଲା ଯେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଗଲା । ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ସିଏଲଲଟି ଗାଁରେ ଘଟିଛି ଏହି ଅଘଟଣ ।

ମୋବାଇଲରେ ଖେଳ ଯେ କାଳ ହୋଇପାରେ ଏ କାହାଣୀ ତାର ଆଉ ଏକ ଉଦାହରଣ । ଏହି ପ୍ରତିକାତ୍ମକ ଚିତ୍ରକୁ ଦେଖନ୍ତୁ । କ୍ଷୀରମୋହନ ମାଝୀ ମୋବାଇଲରେ ପବଜି ଖେଳୁଥିଲେ । ଖେଳରେ ଏପରି ମଜ୍ଜି ଯାଇଥିଲେ ଯେ ପାଖରେ କଣ ଘଟୁଛି କିଛି ଜାଣି ପାରୁନଥିଲେ । ଖେଳୁ ଖେଳୁ ରେଳଧାରଣା ଉପରକୁ ଅଜାଣତରେ ଚାଲି ଆସିଥିଲେ କ୍ଷୀରମୋହନ । ଏପରକିି ଟ୍ରେନ୍ ଆସିବାର ଶବ୍ଦକୁ ମଧ୍ୟ ଠଉରାଇ ପାରିନଥିଲେ । ଦ୍ରୁତ ଗତିରେ ଆସୁଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଆଖି ପିଛୁଳାକେ କ୍ଷୀରକୋହନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଆଉ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ପରିବାରରେ ପଡିଛି କାନ୍ଦ ବୋବାଳି । ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିୁପାରୁନାହାନ୍ତି ପରିବାର ଲୋକେ । ପୁଅର ମୃତ୍ୟୁ ଯେ ଏମିତି ଆସିବ ସେକଥାକୁ ବିଶ୍ୱାସ କରିପାରୁନାହାନ୍ତି କ୍ଷୀରମୋହନଙ୍କ ବାପା ମା । ପୁଅ ବିନା ବଂଚିବା ଏବେ ମୁସକିଲ ହୋଇଯାଇଛି ଏହି ଦମ୍ପତିଙ୍କ ପାଇଁ ।

ରବିବାର ରାତିରେ ଘଟିଲା ଦୁର୍ଘଟଣା । ରାତି ଅଧିକ ହୋଇଥିବାରୁ କେହି ଏ ଘଟଣା ସମ୍ପର୍କରେ ଜାଣିପାରିନଥିଲେ । ଆଉ ସୋମବାର ସକାଳୁ ମୃତଦେହ ଦେଖି ସ୍ଥାନିୟ ଲୋକେ ପୋଲିସକୁ ଖବର ଦେବା ପରେ ରେଳବାଇ ପୋଲିସ ମୃତଦେହକୁ ଜବତ କରି ସ୍ଥାନିୟ ପୋଲିସକୁ ଦେଇଥିଲା ।