କନକ ବ୍ୟୁରୋ: କୁନି ପୁଅଟିର ଏ ବିକଳ ଶୁଣିବା ପରେ କାହା ଆଖିରେ ବା ଲୁହ ବୋଲ ମାନିବ । ମା’ କଥା କହିବା ବେଳକୁ ତା’ ଆଖିରୁ ଲୁହ ଝରିଯାଉଛି, କଣ୍ଠ ଥରିଯାଉଛି । ପିଲାମାନଙ୍କ ପାଇଁ କେତେ କଷ୍ଟ କେତେ ଯନ୍ତ୍ରଣା ସହିଛି ତା ମା’ ତାହା ପାଟିରେ କହିବା କଷ୍ଟ । ବାପା ଚାଲିଗଲା ମା’ର ତାର ସବୁକିଛି । ପିଲାଟେ ହେଲେ ବି ମା’ର କଷ୍ଟ ସେ ଆଉ ଦେଖିପାରୁନି । ତେଣୁ ଟିକେ ସାହାଯ୍ୟ ପାଇଁ କାନ୍ଦି କାନ୍ଦି କରୁଛି ଗୁହାରୀ ।

Advertisment

ବାପା ଲୁକାସ୍ ବିରୋ ଥିବାବେଳେ ମଜୁରୀ ଲାଗି ପରିବାର ଚଳାଉଥିଲେ । ହେଲେ ଗରୀବକୁ ବିଧାତା ସହିଲାନି ଯେ, ତାଙ୍କୁ କ୍ୟାନ୍ସର ହେଲା । ପତ୍ନୀ ରୂପା ବିରୋ ସ୍ୱାମୀଙ୍କୁ କଟକ, ଭୁବନେଶ୍ୱର ଚାରିଆଡେ ନେଇ ଚିକିତ୍ସା କରାଇଲେ । ହେଲେ ଶେଷରେ ହତାଶ ହେଲେ । ପରପାରିକୁ ଚାଲିଗଲେ ସ୍ୱାମୀ ଲୁକାସ୍ । ୩ ତିନିଟା ପିଲାଙ୍କୁ ନେଇ ଏକ ସରକାରୀ ଜାଗାରେ କୁଡିଆଟେ କରି ରହିଥିଲେ ରୂପା । ହେଲେ ତାକୁ ବି ସ୍କୁଲ ନିର୍ମାଣ ପାଇଁ ଭାଙ୍ଗଦିଆଗଲା । ଏବେ ପର ଘରେ ଏକ ଭଙ୍ଗା ଟିଣ ଘରେ ମୁଣ୍ଡ ଗୁଂଜିଛନ୍ତି ରୂପା ଓ ତାଙ୍କର ତିନି ପିଲା । ଯେଉଁଠି ଟିଣ ସାରା କଣା, ବର୍ଷା ଟିକେ ହେଲେ ଦିନ ସାରା ଗୋଟିଏ କଣରେ ଛିଡା ହୋଇରୁହନ୍ତି ୩ ଭାଇଭଉଣୀ । ହୋଟେଲରୁ ମା’ କାମ କରି ଫେରିବାବେଳକୁ ତାକୁ ଦେଖି ଭୋ ଭୋ ହୋଇ କାନ୍ଦନ୍ତି ୩ ପିଲା । ହୋଟେଲରେ ବାସନ ମାଜି ତିନି ପିଲାଙ୍କ ପେଟରେ ଦାନା ଦେଉଛନ୍ତି ରୂପା । ନିଜେ ନଖାଇ ପିଲାମାନଙ୍କୁ ଖୁଆଇ ଅନେକ ସମୟରେ ରୂପା ଭୋକ ପେଟରେ ଶୋଇଯାନ୍ତି । ଏ ଭାତ ଥାଳିକୁ ଦେଖିଲେ ପରିସ୍ଥିତିକୁ ଦର୍ଶକେ ଭଲ ଭାବେ ଅନୁଭବ କରିପାରୁଥିବେ । ଏଭଳି ଅବସ୍ଥାରେ ଟିକେ ସାହାଯ୍ୟ ପାଇଁ ପ୍ରଶାସନକୁ ଆକୁଳ ଗୁହାରୀ କରୁଛନ୍ତି ରୂପା । ତାଙ୍କ ପାଟିରୁ ଶୁଣନ୍ତୁ ଜଣେ ଅସହାୟ ମା’ର ମନର ବେଦନା ।

ରୂପାଙ୍କର ଦୁଃଖ ଦେଖି ସାହିପଡିଶାଙ୍କ ମନ ବି ତରଳିଯାଉଛି । ଆହା କହିବାକୁ କେହି ନାହିଁ । ୩ ବାଳୁତ ପିଲାଙ୍କର ସାହା ବୋଲି କେହି ନାହିଁ । ସରକାର ଟିକେ ସାହାଯ୍ୟର ହାତ ବଢାଇଲେ ପିଲାମାନଙ୍କ ଜୀବନ ରହିଯାନ୍ତା, ଜଣେ ମା’ ଟିକେ ନିଃଶ୍ୱାସ ନେଇପାରନ୍ତା ।

ମାତୃ ଦିବସରେ ରୂପାଙ୍କ ଭଳି ଜଣେ ଦୁଃଖି ମା’ର ଦୁଃଖ ନିଶ୍ଚୟ ପ୍ରଶାସନ ବୁଝିପାରିବେ ବୋଲି ଆମର ଆଶା ଏବଂ ଯଥାଶୀଘ୍ର ତାଙ୍କ ପାଇଁ ଓ ତାଙ୍କ ପିଲାମାନଙ୍କ ପାଇଁ ଆବଶ୍ୟକ ସାହାଯ୍ୟ ଯୋଗାଇଦେବେ ବୋଲି ବିଶ୍ୱାସ ।