ବକ୍ସିଂ ଡେ ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କ ଦମଦାର ପରଫରମାନ୍ସ । ସ୍ଥିତି ମଜଭୁତ୍ କଲା ଭାରତ

213

କନକ ବ୍ୟୁରୋ : ଘରୋଇ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ଭାରତୀୟ କ୍ରିକେଟ ଟିମ୍ ମଧ୍ୟରେ ମେଲବୋର୍ଣ୍ଣରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କ ଦମଦାର ବ୍ୟାଟିଂ ଫଳରେ ଭାରତ ତା’ର ସ୍ଥିତି ଦୃଢ କରିବାରେ ସଫଳ ହୋଇଛି । ଗତକାଲି ପ୍ରଥମ ଦିନରେ ଭାରତୀୟ ବୋଲର ବେସ ଭଲ ପ୍ରଦର୍ଶନ କରିଥିଲେ । ଫଳରେ ଅଷ୍ଟ୍ରେଲିଆ ମାତ୍ର ୧୯୫ ରନରେ ସମସ୍ତ ୱିକେଟ ହରାଇଥିଲା । ଏହାପରେ ଭାରତ ତା’ର ପ୍ରଥମ ଇନିଂସ ଆରମ୍ଭ କରି ପ୍ରଥମ ଦିନରେ ଗୋଟିଏ ୱିକେଟ୍ ହରାଇ ୩୬ ରନ୍ କରିବାକୁ ସମର୍ଥ ହୋଇଥିଲା । ଆଜି ଦ୍ୱିତୀୟ ଦିନରେ ଭାରତ ତା’ର ସ୍ଥିତି ଦୃଢ କରିଛି । ବ୍ୟାଟ୍ସ ମ୍ୟାନ ଆଜିଙ୍କ୍ୟ ରାହାଣେଙ୍କ ଦମଦାର ଶତକ ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଂଚାଇଛି । ସେ ୧୯୪ ଟି ବଲ୍ ଖେଳି ୧୧ ଟି ଚୌକା ସହ ଶତକ ହାସଲ କରିଛନ୍ତି । ଏହା ସହ ଭାରତୀୟ ଦଳ ୨୭୬ ରନ ସହ ଅଷ୍ଟ୍ରେଲିଆ ଠାରୁ ୮୧ ରନ ଆଗରେ ରହି ପାଳି ସମ୍ଭାଳିଛି ।

ସୂଚନା ଥାଉକି ଗତକାଲି ପ୍ରଥମଦିନ ଖେଳରେ ଘରୋଇ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପ୍ରଥମ ଇନିଂସରେ ୭୨.୩ ଓଭର ଖେଳି ମାତ୍ର ୧୯୫ ରନରେ ଅଲ୍ଆଉଟ ହୋଇଥିଲା ଘରୋଇ ଦଳ । ଦଳ ପକ୍ଷରୁ ୱେଡ୍ ୩୦, ମାର୍ନସ ଲାବୁଶେ ୪୮, ହେଡ୍ ୩୮, ଗ୍ରୀନ ୧୨, ପାଇନ ୧୩ ଓ ଲାଏନ୍ ୨୦ ରନ କରିବାକୁ ସମର୍ଥ ହୋଇଥିଲେ ।

ଏହା ପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଭାରତୀୟ ଦଳ । ହେଲେ ପ୍ରାରମ୍ଭିକ ବ୍ୟାଟ୍ସ ମ୍ୟାନ ମୟଙ୍କ ଅଗ୍ରୱାଲ ଶୂନରେ ଆଉଟ ହୋଇଥିଲେ । ତେବେ ଷ୍ଟମ୍ପ ଅପସାରଣ ସୁଦ୍ଧା ଶୁବମନ ଗିଲ୍ ଓ ଚେତେଶ୍ୱର ପୂଜାରା କ୍ରିଜରେ ରହିଥିଲେ । ଗତକାଲି ବ୍ୟାଟିଂ ବେଳେ ଶୁବମନ୍ ୨୮ ରନ କରିଥିବା ବେଳେ ଆଜି ଆଉ ତାଙ୍କ ଖାତାରେ ୧୭ ରନ୍ କରି ଆଉଟ୍ ହୋଇଥିଲେ । ପୂର୍ବମ୍ୟାଚ୍ ଭଳି ଚେତେଶ୍ୱର ବି ଏହି ମ୍ୟାଚ୍ ରେ ବିଶେଷ କିଛି ସଫଳ ହୋଇପାରି ନାହାନ୍ତି । ସେ ଗତକାଲି ୭ ରନ୍ କରିଥିବା ବେଳେ ଆଜି ଆଉ ୧୦ ରନ୍ କରି ଆଉଟ୍ ହୋଇଛନ୍ତି । ସେହିଭଳି ହନୁମାନ ବିହାରୀ ୬୬ ଟି ବଲ୍ ଖେଳି ମାତ୍ର ୧୧ ରନ କରି କ୍ୟାଚ୍ ଆଉଟ ହୋଇଛନ୍ତି । ରିଷଭ ପନ୍ଥ ୩ ଟି ଚୌକା ସହ ୨୯ ରନ କରି ଆଉଟ୍ ହୋଇଛନ୍ତି ।