କନକ ବ୍ୟୁରୋ : ଭାରତୀୟ ବକ୍ସର ଲଭଲୀନା ବୋରଗୋହେନ ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିଲେ । ଏହାସହ ଲଭଲୀନା ଅଲିମ୍ପିକ୍ସରେ ମେଡାଲ ଜିତିବାରେ ଆସାମର ପ୍ରଥମ ମହିଳା ଅଟନ୍ତି । ଏବେ ବୁଧବାର ଦିନ ଆସାମ ପୋଲିସରେ ଡିଏସପି ଭାବେ ସାମିଲ କରାଯାଇଛି ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଶା କରିଛନ୍ତି କି ଆଗାମୀ ଦିନରେ ଲଭଲୀନା ଭାରତୀୟ ପୋଲିସ ସେବା ଆଇପିଏସରେ ଭାଗ ନେବେ । ଏନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଗତବର୍ଷ ଲବଲୀନା ଟୋକିଓ ଅଲିମ୍ପିକ୍ସରେ ମେଡାଲ ଜିତିବା ଆସାମ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ଥିଲା । ସେ ଆହୁରି କହିଛନ୍ତି କି ଲଭଲୀନାଙ୍କ ବୟସ ତୁଳନାରେ ସେ ଦିନେ ନା ଦିନେ ଆସାମ ପୋଲିସର ଶୀର୍ଷ ପଦରେ ପହଂଚିବେ ଓ ପରେ ଆଇପିଏସ କ୍ୟାଡରର ଅଧିକାରୀ ହୋଇପାରିବେ ।
ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ହିମନ୍ତ ବିଶ୍ୱଶର୍ମା କହିଛନ୍ତି କି ପ୍ରତିଭାଶାଳୀ ପୋଲିସ ଅଧିକାରୀଙ୍କୁ ଆଇପିଏସ କ୍ୟାଡର ଦେବାକୁ ସେ ସୁପାରିଶ କରିଛନ୍ତି । ଏଥିପାଇଁ ସେମାନଙ୍କୁ ସ୍ନାତକ ଶିକ୍ଷା ସମାପ୍ତ କରିବାକୁ ପଡିବ । ଏହାସହ ଲଭଲୀନାଙ୍କୁ ମାସିକ ବେତନ ପରେ ତାଙ୍କର ପ୍ରଶିକ୍ଷଣ ଖର୍ଚ୍ଚ ପାଇଁ ପ୍ରତିମାସ ୧ ଲକ୍ଷ ଟଙ୍କା ଅତିରିକ୍ତ ରାଶି ପ୍ରଦାନ କରାଯିବ ।
ଏହି ଅବସରରେ ଲଭଲୀନା ଭାବୁକ ହୋଇ ପୋଲିସ ବିଭାଗ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । ସେ କହିଥିଲେ କି ରାଜ୍ୟର ସମ୍ମାନ ବୃଦ୍ଧି ପାଇଁ ସେ ଯଥା ସମ୍ଭବ ଚେଷ୍ଟା କରିବେ । ସେ ଆସାମ ପୋଲିସରେ ସାମିଲ ହେବାକୁ ନିଜ ଜୀବନର ଏକ ଗୌରବର ଦିନ ବୋଲି କହିଛନ୍ତି । ଏହାସହ ଆଗାମୀ ଦିନରେ ସେ ବକ୍ସିଂ ରିଙ୍ଗରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।