ଟୋକିଓ ଅଲିମ୍ପିକ୍ସରୁ ଭାରତକୁ ଆଉ ଏକ ମେଡାଲ, ସେମି ଫାଇନାଲରେ ପରାସ୍ତ ହୋଇ ବ୍ରୋଂଚ ପଦକ ଆଣିଲେ ବକ୍ସର ଲଭଲିନା ସିନ୍ଧୁଙ୍କୁ ହାଇଦ୍ରାବାଦରେ ଫୁଲ ବର୍ଷା ସହ ସ୍ୱାଗତ

222

କନକ ବ୍ୟୁରୋ : ଟୋକିଓ ଅଲମ୍ପିକ୍ସରେ ଭାରତ ପାଇଁ ଗୌରବ ଆଣିଛନ୍ତି ମହିଳା ଖେଳାଳୀ । ଭାରଉତୋଳନରେ ମୀରାବାଇ ଚାନୁ ରୌପ୍ୟ ଓ ବ୍ୟାଡମିଂଟନରେ ପିଭି ସିନ୍ଧୁ ବ୍ରୋଂଜ ପଦକ ପାଇବା ପରେ ଆଜି ବକ୍ସିଂରେ ଲଭଲିନା ବ୍ରୋଂଜ୍ ପଦକ ହାସଲ କରିଛନ୍ତି । ଭାରତ ଫେରିବା ପରେ ପି.ଭି. ସିନ୍ଧୁଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଏପଟେ ଲଭଲିନାଙ୍କ ସଫଳତା ପାଇଁ ଆସାମ ସରକାର ତରଫରୁ ତାଙ୍କୁ ଦିଆଯାଇଛି ଖାସ ଉପହାର । ଲଭଲିନାଙ୍କ ଘର ନିକଟକୁ ପକ୍କା ରାସ୍ତା କରିଛନ୍ତି ଆସାମ ସରକାର ।

ଟୋକିଓ ଅଲିମ୍ପିକ୍ସରେ ଦେଶକୁ ମିଳିଲା ଆଉ ଏକ ମେଡାଲ । ବ୍ରୋଂଜ ପଦକ ଜିତି ଆଉ ଏକ ଇତିହାସ ରଚିଛନ୍ତି ବକ୍ସର ଲଭଲିନା ବୋର୍ଗୋହେଁ । ଏକନମ୍ବର ମାନ୍ୟତା ପ୍ରାପ୍ତ ତୁର୍କୀର ବୁସେନାଜ ସୁରମେନେଲିଙ୍କ ଠାରୁ ସେମିଫାଇନାଲରେ ହାରିବା ପରେ ବ୍ରୋଂଜ ପଦକରେ ଲଭଲିନାଙ୍କୁ ସନ୍ତୁଷ୍ଟ ହେବାକୁ ପଡିଛି । ୬୯ କିଲୋଗ୍ରାମ୍ ବର୍ଗରେ ଅଲିମ୍ପିକ୍ସ ମେଡାଲ ଜିତିବାରେ ଲଭଲିନା ହେଉଛନ୍ତି ଭାରତର ପ୍ରଥମ ମହିଳା ବକ୍ସର ।

ସେପଟେ ଅଲିମ୍ପିକ୍ସରେ ପଦକ ପକ୍କା କରିବା ପରେ ଲଭଲିନାଙ୍କୁ ଖାସ ଉପହାର ଦେଇଛନ୍ତି ଆସାମ ସରକାର । ତାଙ୍କ ଗାଁକୁ କରାଯାଇଛି ପକ୍କା ରାସ୍ତା । ଆସାମ ବାରମୁଠିଆରେ ଜନ୍ମିତ ଲବଲିନାଙ୍କ ଗାଁକୁ ଭଲ ରାସ୍ତା ନଥିଲା । ତେବେ ତାଙ୍କ ସ୍ୱାଗତ ପାଇଁ ବାରମୁଠିଆରେ ସାଢ଼େ ୩ କିଲୋମିଟର ରାସ୍ତାକୁ ପିଡବ୍ଲୁଡି ପକ୍ଷରୁ ପକ୍କା କରାଯାଇଛି ।

ଏପଟେ ହାଇଦ୍ରାବାଦରେ ବ୍ରୋଂଜ ବିଜୟିନୀ ପିଭି ସିନ୍ଧୁଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ମଙ୍ଗଳବାର ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ତରଫରୁ ସିନ୍ଧୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।ବୁଧବାର ହାଇଦ୍ରାବାଦ ପହଁଚିବା ପରେ ସିନ୍ଧୁଙ୍କ ଉପରେ ଫୁଲ ବର୍ଷା କରି ସ୍ୱାଗତ କରାଯାଇଛି । ଏକକ ପ୍ରତିଯୋଗିତାରେ ଦ୍ୱିତୀୟ ଥର ଅଲମ୍ପିକ୍ସରେ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ପିଭି ସିନ୍ଧୁ ।

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ଖେଳାଳୀଙ୍କ ପ୍ରଦର୍ଶନ ମନଜିଣି ନେଇଛି । ବ୍ୟାଡମିଟନ୍ରେ ପିଭି ସିନ୍ଧୁ, ବକ୍ସିଂରେ ଲଭଲିନା ବୋର୍ଗୋହେଁ ବ୍ରୋଂଜ ପଦକ ପାଇଥିବା ବେଳେ ଭାରଉତୋଳନରେ ମୀରାବାଇ ଚାନୁ ରୌପ୍ୟପଦକ ଜିତି ଦେଶ ପାଇଁ ଆଣିଛନ୍ତି ଗୌରବ ।