ଭୁଲ ସୁଧାରିଲା ପଡୋଶୀ ରାଜ୍ୟ : ଓଡ଼ିଶା ସୀମା ଭିତରେ ନିଜେ ତିଆରି କରିଥିବା ପାଚେରି ଭାଙ୍ଗିଲା ପଶ୍ଚିମବଙ୍ଗ

୧୪୪ ଧାରା ଲାଗୁ ହୋଇଥିବାରୁ ବେଆଇନ୍ ନିର୍ମାଣ ବନ୍ଦ କରିଥିଲେ ଭୋଗରାଇ ତହସିଲଦାର

139

କନକ ବ୍ୟୁରୋ : ଭୁଲ ସୁଧାରିଲା ପଶ୍ଚିମବଙ୍ଗ । ଉଦୟପୁର-ଦିଘା ବିଚ ଓଡ଼ିଶା ସୀମା ଭିତରେ ନିଜେ ତିଆରି କରିଥିବା ପାଚେରି ଭାଙ୍ଗିଲା ପଶ୍ଚିମବଙ୍ଗ । ୧୪୪ ଧାରା ଲାଗୁ ହୋଇଥିବାରୁ ବେଆଇନ୍ ନିର୍ମାଣ କରିଥିଲା ପଶ୍ଚିମବଙ୍ଗ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଭୋଗରାଇ ତହସିଲଦାର ଓ ପୋଲିସ ପହଂଚି ବେଆଇନ ନିର୍ମାଣ ବନ୍ଦ କରାଯାଇଥିଲା ।

ସୂଚନା ମୁତାବକ ଚଳିତ ମାସ ୭ ତାରିଖ ଦିନ ପଶ୍ଚିମବଙ୍ଗର ପ୍ରଶାସନ ଓଡିଶାର ଉଦୟପୁର ମନୋରମ ବେଳାଭୂମି ଉପରେ ଲୋଲୁପ ଦୃଷ୍ଟି ପକାଇ ଓଡିଶା ଭିତରକୁ ପଶି ପାଚେରୀ ନିର୍ମାଣ କରୁଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକ ପ୍ରତିବାଦ କରିବା ସହିତ ପ୍ରଶାସନକୁ ଅବଗତ କରିଥିଲେ । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହିତ ୧୪୪ ଧାରା ଲାଗୁ କରିଥିଲେ । ୨୧ ତାରିଖ ୧୪୪ ଧାରାକୁ ଉଲ୍ଲଙ୍ଘନ କରି ପୁଣି ଥରେ ପାଚେରୀ ନିର୍ମାଣ କରିବାକୁ ଉଦ୍ୟମ କରିଥିଲା । ଘଟଣାସ୍ଥଳରେ ପ୍ରଶାସନ ଅଧିକାରୀ ପହଞ୍ଚି ପଶ୍ଚିମବଙ୍ଗ ପ୍ରଶାସନକୁ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହିତ ପାଚେରୀ ଭାଙ୍ଗି ନେବାକୁ ଚେତାବନୀ ଦେବା ପରେ ରାତି ଅଧିଆ ପଶ୍ଚିମବଙ୍ଗ ପ୍ରଶାସନ ନିର୍ମାଣଧୀନ ପାଚେରୀକୁ ଭାଙ୍ଗି ନେଇଛନ୍ତି ।

୨୦୧୫ରେ ଉଦୟପୁରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଥାନା ଏବଂ ଶୌଚାଳୟ ନିର୍ମାଣକୁ ବିରୋଧ କରିଥିଲା ପଶ୍ଚିମବଙ୍ଗ ସରକାର । ସେବେଠୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ସୀମାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ୨୦୧୮ରେ ପଶ୍ଚିମବଙ୍ଗ ସରକାର ଉଦୟପୁର ରାସ୍ତାରେ ଫଳକ ଲଗାଇବା ପରେ ଓଡ଼ିଶା ପ୍ରଶାସନ ଏହାକୁ ହଟାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ୨୦୨୦ରେ ସାହାବଜୀପୁର ରାସ୍ତାରେ ଥିବା କାଜୁ ଜଙ୍ଗଲକୁ ନିଜ ଅଧିକାରକୁ ନେବାକୁ ଚେଷ୍ଟା ବିଫଳ ହୋଇଥିଲା । ଏବେ ଦିଘା ବିଚ୍ରେ ବେଆଇନ ଭାବେ ପାଚେରୀ ନିର୍ମାଣ ଚଳାଇଥିଲା ପଶ୍ଚିମବଙ୍ଗ ।