କନକ ବ୍ୟୁରୋ : ଜୀବନ ସହ ସଂଘର୍ଷ କରୁଛନ୍ତି ଯୁବତୀ । ପରିବାର କହିଲେ କେହି ନାହିଁ । ଦିନ ଥିଲା ଘର ବୋଝ ସମ୍ଭାଳୁଥିଲେ । ଘରର ରୋଜଗାରକ୍ଷମ ଥିଲେ ସୀମା, ହେଲେ ମାଆ ଓ ଭଉଣୀଙ୍କ ବିୟୋଗ ପରେ ଚିନ୍ତାଗ୍ରସ୍ତ ହୋଇ ଦୁର୍ବଳ ହୋଇପଡିଲେ । ଏବେ ଶଯ୍ୟାଶାୟୀ ହୋଇପଡଛନ୍ତି ବୌଦ୍ଧ କଂଟାମାଳ ଗୁଡଭେଲିପଦରର ସୀମା ସାହୁ । ଆତ୍ମନିଭରଶୀଳ ଯୁବତୀ ଜଣକ ଏବେ ସାହାଯ୍ୟ ସହଯୋଗ ପାଇଁ ଅନୁରୋଧ କରିଛନ୍ତି । ପାଖରେ ଥିବା ବିଦ୍ୟାଳୟରେ ପାଚିକା ଭାବେ କାମ କରୁଥିଲେ । ହେଲେ ଅସୁସ୍ଥତା ଯୋଗୁ ଶଯ୍ୟାଶାୟୀ ହୋଇପଡିଛନ୍ତି । ୪ବର୍ଷ ହେଲା ଜୀବନ ସହ ସଂଘର୍ଷ କରିଚାଲିଛନ୍ତି । ନାଁ ତାଙ୍କର ଦେଖାଶୁଣା କରିବାକୁ କିଏ ଅଛି ନା ଖାଇବାକୁ ଦେବାକୁ କିଏ ଅଛି? ଅଭାବ ଅନଟନ ସାଙ୍ଗକୁ ଅଜଣା ରୋଗ ଦାଉ । ସନ୍ତୁଳି ହେଉଛି ସୀମାଙ୍କ ଜୀବନ । ଏହିଭଳି ପରିସ୍ଥିତିରେ ତାଙ୍କୁ କିଛି ସାହାଯ୍ୟ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ପ୍ରଶାସନ ପକ୍ଷରୁ ଅସହାୟ ଗରିବଙ୍କ ପାଇଁ ଅନେକ ଯୋଜନା କରାଯାଉଛି । ହେଲେ ସୀମାଙ୍କ ପାଇଁ ଯେମିତି କିଛି ନାହିଁ । ବିଭିନ ସ୍ଥାନରେ ସାହାଯ୍ୟ ସହଯୋଗ ପାଇଁ ଅନୁରୋଧ କରାଯାଇଥିଲେ ବି ଏଯାଏଁ କୌଣସି ପ୍ରକାରର ସହଯୋଗ ମିଳିପାରିନି । ଦିନକୁ ଦିନ ସୀମାଙ୍କ ଆର୍ଥିକ ସ୍ଥିତି ସାଙ୍ଗକୁ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି । ଖାଇବାକୁ ନଥିବା ବେଳେ ଚିକିତ୍ସା ହେବ କେମିତି? ଏନେଇ କୌଣସିି ସ୍ୱେଚ୍ଛାସେବୀ ପକ୍ଷରୁ ହେଉ କି ପ୍ରଶାସନ ପକ୍ଷରୁ ସାହାଯ୍ୟ କରିବାକୁ ଦାବି କରିଛନ୍ତି ଗାଁର ଲୋକମାନେ ।

ଅସହାୟ ହୋଇପଡିଥିବା ସୀମାଙ୍କୁ ସାହାଯ୍ୟ କରି ଉପଯୁକ୍ତ ଚିକତ୍ସା କରାଯାଇପାରିଲେ ତାଙ୍କୁ ଏକ ନୂଆ ଜୀବନ ମିଳିପାରିବ ।