ବୌଦ୍ଧରେ ଜଳୁଛି ଜଙ୍ଗଲ : ହେକ୍ଟର ହେକ୍ଟର ଜଙ୍ଗଲରେ ବ୍ୟାପିଲା ନିଆଁ

27

କନକ ବ୍ୟୁରୋ : ବୌଦ୍ଧରେ ଜଳୁଛି ଜଙ୍ଗଲ । ନିଆଁରେ ଜଳିପୋଡି ପାଉଁଶ ହେଉଛି ସବୁଜ ବନାନୀ । ଏହି ଦୃଶ୍ୟ ଦିନେ କି ଦୁଇଦିନର ନୁହେଁ । ଆଜିକୁ ୪ ଦିନ ହେଲା ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ପୁରୁଣାକଟକ ଏବଂ ମାଧପୁର ରେଞ୍ଜର ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି । ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ଦେଖାଦେଇଛି ।

ଏହାସହ ଓøଷଧୀୟ ଗଛ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ପୁରୁଣାକଟକ ରେଞ୍ଜର ବାଙ୍କାର୍ଜୁନ, ଭାଲୁ ମୁଣ୍ଡିଆ, ବାହାଲି ଜଙ୍ଗଲ ଏବଂ ଖରଭୁଇଁ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ ପରିମାଣରେ ଜଙ୍ଗଲ ନଷ୍ଟ ହେଉଛି । ସେହିପରି ମାଧପୁର ରେଞ୍ଜର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଗତ ଚାରିଦିନ ହେବ ନିଆଁ ଲାଗିଛି । ଆଗକୁ ତାପମାତ୍ରା ଆହୁରୀ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଅପରପକ୍ଷରେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ଆହୁରି ବଢିବା ଆଶଙ୍କା କରାଯାଉଛି । ତେବେ କେନ୍ଦୁପତ୍ର ବିଭାଗର ମନମୁଖି କାରବାର ଯୋଗୁଁ ବୁଶ୍ କଟିଂ ନାଁରେ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ଧ୍ୱଂସ ହେଉଥିବା ଅଭିଯୋଗ ହୋଇଛି । ସେହିପରି ଜଙ୍ଗଲ ସୁରକ୍ଷା ତଥା ନିଆଁ ଲିଭାଇବା ନାଁରେ କେବଳ କାଗଜ କଲମରେ ସ୍କ୍ୱାଡ ଗଠନ ଚାଲିଛି । ଏବଂ କୋଟି କୋଟି ଟଙ୍କାର ଅର୍ଥ ହଡପ କରି ଜଙ୍ଗଲ ବିଭାଗ ଚୁପଚାପ୍ ବସିପଡିଥିବା ଅଭିଯୋଗ ହୋଇଛି । ସେପଟେ ଯଦି କେନ୍ଦୁପତ୍ର ବିଭାଗ ଦ୍ୱାରା ଏଭଳି କିଛି ଘଟିଥାଏ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୌଦ୍ଧ ବନଖଣ୍ଡ ଅଧିକାରୀ କହିଛନ୍ତି  ।