କନକ ବ୍ୟୁରୋ : ଜଣେ ଅଧିକାରୀ ଗିରଫ ହେବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ଏଭଳି ଖୁସି ମନାଇବାର ଚିତ୍ର ବୋଧହୁଏ ପ୍ରଥମଥର ଦେଖିବାକୁ ମିଳିଛି । ବାଜା ବଜାଇ ବୌଦ୍ଧ ଜିଲ୍ଲା ପରିବହନ କାର୍ଯ୍ୟଳୟ ଆଗରେ ନାଚିଛନ୍ତି ବିଭିନ୍ନ ସଂଗଠନର ସଦସ୍ୟ । ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ଏହି ଚିତ୍ର ସାମ୍ନାକୁ ଆସିଛି । ଦାଗି ଅଫିସର ଜଣକ ବେଆଇନ ଭାବେ ବିଭିନ୍ନ ଗାଡିରୁ ମୋଟା ଅଙ୍କର ଫାଇନ୍ କାଟୁଥିବା ଅଭିଯୋଗ କରିଛନ୍ତି କିଛି ଡ୍ରାଇଭର ।

Advertisment

ଗୋଟିଏ ପରେ ଗୋଟିଏ ବିଳାସପୂର୍ଣ୍ଣ ଆପାର୍ଟମେଂଟ, ମଲରେ ସପିଂ କମ୍ପେ୍ଲକ୍ସ, ବେଙ୍ଗାଳୁରୁରେ ଆପାର୍ଟମେଂଟ ବୁକିଂ, ବ୍ୟାଙ୍କ ଆକାଉଂଟରେ ପୁଳାପୁଳା ଟଙ୍କା ଓ ଘରେ ସୁନା ଗହଣା । ଚଢାଉ ବେଳେ ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କ ଆୟବହିର୍ଭୂତ ସଂପତି ଦେଖି ତାଜୁବ ହୋଇଯାଇଛି ଭିଜିଲାନ୍ସ । ପ୍ରାୟ ୧୫ କୋଟିର ଫ୍ଲାଟ୍, ସାଢେ ୪ କୋଟିର ସୁନା ଗହଣା, ଗାଡି ଓ ଆସବାବପତ୍ର ଠାବ କରିଛି ତଦନ୍ତକାରୀ ସଂସ୍ଥା ।

ଦାଗି ଆରଟିଓଙ୍କ ବେଆଇନ ସଂପତ୍ତି
- ଭୁବନେଶ୍ୱରରେ ୫ଟି ଦାମୀ ଫ୍ଲାଟ ସାଙ୍ଗକୁ ଗୋଟିଏ ସପିଂ କମ୍ପେ୍ଲକ୍ସ
- ବେଙ୍ଗାଳୁରୁର ଓଜୋନ ଏଲିଗାଂଟରେ ଫ୍ଲାଟ ପାଇଁ ୮୮ ଲକ୍ଷ ଅଗ୍ରୀମ
- ବିଭିନ୍ନ ବ୍ୟାଙ୍କରେ ୩ କୋଟିରୁ ଅଧିକ ଟଙ୍କାର ଜମା ରାଶି
- ଘରୁ ନଗଦ ୧ ଲକ୍ଷ ୧୬ ହଜାର ୭୦୦ ଟଙ୍କା
- ୫୯୦ ଗ୍ରାମ ସୁନା ଓ ୩୧୮ ଗ୍ରାମ ରୁପା ଅଳଙ୍କାର
- ପ୍ରାୟ ୯ ଲକ୍ଷ ଟଙ୍କାର ଆସବାବପତ୍ର
ବର୍ତମାନ ସୁଦ୍ଧା ମିଳିଥିବା ସଂପତିଠାରୁ ଆରଟିଓ ବସନ୍ତ ମହାପାତ୍ରଙ୍କ ଆୟବହିର୍ଭୂତ ସମ୍ପତିର ପରିମାଣ ଆହୁରି ଅଧିକ ହେବ ବୋଲି ଆକଳନ କରାଯାଉଛି ।

ବଡକଥା ହେଉଛି ୨୦୧୨ରେ ଜୁନିୟର ଏମଭିଆଇ ଥିବାବେଳେ ସମ୍ବଲପୁର ଲକ୍ଷ୍ମୀଡୁଙ୍ଗୁରି ଚେକ ଗେଟ୍ରେ ୩୯ ହଜାର ଟଙ୍କା ସହ ଧରାପଡିଥିଲେ ବସନ୍ତ ମହାପାତ୍ର, ଯାହାର ସେ ହିସାବ ଦେଇପାରିନଥିଲେ । ସେଥିପାଇଁ ପରିବହନ ବିଭାଗ ତାଙ୍କୁ ନିଲମ୍ବନ ମଧ୍ୟ କରିଥିଲା । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସତ୍ୱେ ସୁଧୁରି ନଥିଲେ ବସନ୍ତ ମହାପାତ୍ର ।