ଦୁଃଖ ଉପରେ ରୋଗର ବୋଝ…ରୋଗୀଣା ପିଉସୀ କାନ୍ଧରେ ରୋଗୀଣା ପୁତୁରାର ଭାର…ଛେଳି ଗୁହାଳେ ଭବିଷ୍ୟତର ଚିନ୍ତା

419

କନକ ବ୍ୟୁରୋ: ଥାଲାସେମିଆରେ ଆକ୍ରାନ୍ତ ୬ ବର୍ଷର ବାପାମାଆ ଛେଉଣ୍ଡ ବାଳକକୁ ପାଳୁଛନ୍ତି କିଡନୀ ରୋଗରେ ଆକ୍ରାନ୍ତ ଥିବା ପିଉସୀ । ଘର କହିଲେ ଭଙ୍ଗାଦଦରା ଛେଳି ଗୁହାଳ । ସରକାରୀ ସହାୟତାରୁ ସଂପୂର୍ଣ୍ଣ ବଞ୍ôଚତ ଥିବା ଏହି ପରିବାରଙ୍କ ପାଇଁ ଅର୍ଥ ବାଧକ ସାଜିଥିବାବେଳେ ଜୀବନ ବିତାଉଛନ୍ତି ଭଗବାନଙ୍କ ଭରସାରେ । ଏଭଳି ଏକ ଚିତ୍ର ସାମାନାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲାଣ୍ଡିବନ୍ଧ ଗାଁରୁ ।

ବାପା ମାଆ ଆରପାରିକୁ ଚାଲିଗଲା ପରେ ୬ ବର୍ଷର ଚନ୍ଦନର ପୂରା ଦାୟିତ୍ୱ ପିଉସୀ ପ୍ରମିଳା ବେହେରାଙ୍କ କାନ୍ଧରେ । ତେବେ ବାରମ୍ବାର ପୁତୁରାର ଦେହ ଖରାପ ହେବାପରେ ରକ୍ତ ନମୁନାରୁ ଜଣାପଡିଥିଲା କି ଚନ୍ଦନ ଥାଲାସେମିଆରେ ଆକ୍ରାନ୍ତ । ଆଉ ଡାକ୍ତରଙ୍କଠାରୁ ଏକଥା ଶୁଣି ପ୍ରମିଳାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଖାଲି ଏତିକିରେ ପ୍ରମିଳାଙ୍କ ଦୁଃଖ ସରିନଥିଲା ତାଙ୍କ ଦେହ ବି ଧୀରେ ଧୀରେ ବିଗିଡିବାରେ ଲାଗିଥିଲା ଆଉ ପରିକ୍ଷା ନୀରିକ୍ଷା କଲା ପରେ ଜଣାପଡିଲା କି ସେ ମଧ୍ୟ କିଡନୀ ରୋଗରେ ଆକ୍ରାନ୍ତ ଅଛନ୍ତି ।

ତେବେ ନିଜ ଦେହ ଅପେକ୍ଷା ଚନ୍ଦନକୁ ନେଇ ବହୁତ ଚିନ୍ତାରେ ଅଛନ୍ତି ପ୍ରମିଳା । କାରଣ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏହି ଅଭାବୀ ପରିବାର ପାଖରେ ନା ଚିକିତ୍ସା କରିବାକୁ ଟଙ୍କା ଅଛି ନା ହିଁ ଦାନା ମୁଠେ ଯୋଗାଡ କରିବାକୁ ସାମର୍ଥ ଅଛି । ଏଭଳି ସ୍ଥିତିରେ ମୋତେ ନହେଲେବି ମୁଁ ମରିବା ପୂର୍ବରୁ ମୋ ପୁତୁରାକୁ ଚିକିତ୍ସା କରିବା ସହିତ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ଯୋଗାଇ ଦେବାପାଇଁ କୋହଭରା କଣ୍ଠରେ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପ୍ରମିଳା ।

ସେପଟେ, ଅସୁସ୍ଥତା କାରଣରୁ ପ୍ରମିଳା ଆଉ ଆଗ ଭଳି କାମଦାମ କରିପାରୁ ନଥିବା ବେଳେ ଖାଲି ଅସୁସ୍ଥ ପୁତୁରାକୁ କୋଳରେ ଧରି ଗୋଟିଏ ଜାଗାରେ ବସିରହିଛନ୍ତି । ସେପଟେ ପ୍ରମିଳାଙ୍କ ଏକ ମାତ୍ର ପୁଅ ପ୍ରଦୀପ ମୁଲ ଲାଗି ଯାହା ରୋଜଗାର କରୁଛନ୍ତି ସେଥିରେ ସେ ନା ଚିକିତ୍ସା କରାଇପାରୁଛନ୍ତି ନା ହିଁ ପେଟକୁ ଭଲରେ ଦାନା ମୁଠେ ଯୋଗାଡ କରିପାରୁଛନ୍ତି । ଧାର ଉଧାର କରି ଘରେ ଯାହାଥିଲା ବିକି ଭାଙ୍ଗି ନିଜ ରୋଗିଣୀ ମାଆ ଆଉ ଚନ୍ଦନକୁ ନେଇ ମେଡିକାଲ ଧାଇଁ ଧାଇଁ ସର୍ବସ୍ୱାନ୍ତ ହୋଇପଡିଛନ୍ତି ପ୍ରଦୀପ । ଏପରି ସ୍ଥତିରେ ଏହି ଅସହାୟ ପରିବାରକୁ ଉପଯୁକ୍ତ ଚିକିତ୍ସା ସହିତ ସମସ୍ତ ସରକାରୀ ସହୟତା ଯୋଗାଇଦେବା ସହ ଚନ୍ଦନର ଭବିଷ୍ୟତକୁ ଦୃଷ୍ଟି ଆଗରେ ରଖି ପାଠପଢା ଏବଂ ଥଇଥାନ କରିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।