ପୋକ ଖାଇଗଲା ଧାନଫସଲ: ବୌଦ୍ଧ ହରଭଙ୍ଗା ବ୍ଲକରେ ଜଳିଯାଉଛି ଧାନଗଛ; ପତ୍ରପୋଡା ରୋଗରେ ଏକର ଏକର ଜମିରେ ଫସଲ ନଷ୍ଟ

କୃଷି ବିଭାଗ ନୀରବ, ଚିନ୍ତାରେ ଚାଷୀ

61

କନକ ବ୍ୟୁରୋ: ଚାଷୀଙ୍କ ପିଛା ଛାଡୁନି ଦୁର୍ଦ୍ଦଶା । କେତେ ସ୍ୱଳ୍ପ ବୃଷ୍ଟିପାତ, ତ କେବେ ବନ ୍ୟା । ଆଫ ଏବେ ଚାଷୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ରୋଗପୋକ । ଅଜଣା ରୋଗରେ ନଷ୍ଟ ହୋଇଗଲାଣି ଏକର ଏକର ଧାନ ଫସଲ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ଚାଷୀ । ଯେଉଁ ସମୟରେ ଧାନ ଗଛରୁ କେଣ୍ଡା ବାହାରିଥାନ୍ତା, ସେତେବେଳେ ଜଳି ଯାଉଛି ଗଛ । ଗଛର ଅଗ୍ରଭାଗ ପୋଡି ଯାଉଛି । ନଷ୍ଟ ହୋଇଯାଉଛି ପୁରା ଗଛ । ହରଭଙ୍ଗା ବ୍ଲକର ତିଲେଶ୍ୱର ପଂଚାୟତ ଅନ୍ତର୍ଗତ କୁଟୁଣିଆପଡା ଓ ବଙ୍କପଡା ଗ୍ରାମର ଶତାଧିକ ଏକର ଧାନ ଜମିରେ ଏବେ ଏମିତି ଅବସ୍ଥା । ପତ୍ରପୋଡା ରୋଗ କବଳରେ ଧାନ ଚାଷ ।

ଯିଏ ଯାହା ଧାର କରଜ କରି ଚାଷ କରିଥିଲେ , ଧାନ ଜମିରେ ଏପରି ରୋଗକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏପରି ସ୍ଥିତିରେ କିଛି ଔଷଧ କିଣି ଜମିରେ ପ୍ରୟୋଗ କରିଥିଲେ ବି ରୋଗ ନିୟନ୍ତ୍ରଣ ହେଉନଥିବା ଚାଷୀ କହିଛନ୍ତି । କୃଷି ବିଭାଗକୁ ଏନେଇ ଅଭିଯୋଗ କରିଥିଲେ ମଧ୍ୟ , କୌଣସି ସହାୟତା ମିଳୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଘଟଣାକୁ ସ୍ୱୀକାର କରିଛନ୍ତି ଜିଲ୍ଲା କୃଷି ଅଧିକାରୀ । କହିଛନ୍ତି ଧାନ ଚାଷରେ ପତ୍ରପୋଡା ରୋଗ ପାଇଁ ଏପରି ହୋଇଛି । କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ ସଠିକ୍ ପରାମର୍ଶ ଦେବାକୁ କୁହାଯାଇଥିବା ସେ କହିଛନ୍ତି ।