ସରିଲା ବିଧାନସଭାର ଶେଷ ଅଧିବେଶନ । ଏକାଠି ଫଟୋ ଉଠାଇଲେ ଶାସକ-ବିରୋଧୀ, ଭାବବିହ୍ୱଳ ହେଲେ ବିଧାୟକ ।

665

କନକ ବ୍ୟୁରୋ : ସରିଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ । ବିଧାନସଭା ଶେଷ ହେବା ପରେ ଗୋଟିଏ ଫ୍ରେମରେ ଉଭୟ ଶାସକ-ବିରୋଧୀଙ୍କୁ ଦେଖିବାକୁ ମିଳିଛି । ଶାସକ-ବିରୋଧୀ ଏକାଠି ହୋଇ ଫଟୋସୁଟ୍ କରିଛନ୍ତି ଏବଂ ପରସ୍ପରକୁ ଆଗାମୀ ରାଜନୈତିକ ଯାତ୍ରା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହି ଫଟୋସୁଟ୍ ସମୟରେ ଅନେକ ବିଧାୟକ ଭାବବିହ୍ୱଳ ହୋଇଥିବାର ଦେଖିବାକୁ ମିଳିଛି । ସୁର ରାଉତରାୟ, ନରସିଂହ ମିଶ୍ରଙ୍କ ଭଳି ନେତାଙ୍କର ଏହା ଶେଷ ବିଧାନସଭା ଅଧିବେଶନ ଥିଲା । କାରଣ ଉଭୟ ୨୦୨୪ ନିର୍ବାଚନରେ ଆଉ ପ୍ରତିଦ୍ୱନ୍ଦ୍ୱିତା କରିବେନି ବୋଲି ପୂର୍ବରୁ ଘୋଷଣା କରିଛନ୍ତି । ସେହିଭଳି ୨୦୨୪ ନିର୍ବାଚନରେ ଅନେକ ବିଧାୟକ ଟିକେଟରୁ ମଧ୍ୟ ବଞ୍ଚିତ ହୋଇପାରନ୍ତି । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ଭାବବିହ୍ୱଳ ହୋଇଛନ୍ତି ବିଧାୟକ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ମୋ ପାଇଁ ବିଧାନସଭା ସବୁବେଳେ ସ୍ମରଣୀୟ ହୋଇ ରହିବ । ଆସନ୍ତା ନିର୍ବାଚନରେ ମୁଁ ଲଢିବିନି । ବିଧାନସଭାରୁ ବହୁତ କିଛି ଶିଖିଛି । ତେଣୁ ଏହି ଶେଷ ଅଧିବେଶନ ସବୁବେଳେ ସ୍ମରଣୀୟ ହୋଇ ରହିବ । ସେହିଭଳି ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି, ଫଟୋ ସେସନରେ ସବୁ ବିଧାୟକ ଏକତ୍ରୀତ ହୋଇଥିଲୁ । ସମସ୍ତେ ଉତ୍ସାହିତ ଥିଲେ । ଲୋକଙ୍କ ମତ ଅନୁଯାୟୀ କିଏ ଆସନ୍ତା ଅଧିବେଶନରେ ଗୃହକୁ ଆସିବ ତାହା ତ ସମୟ କହିବ । କିନ୍ତୁ ଏହି ଅଧିବେଶନ ସ୍ମରଣୀୟ ହୋଇ ରହିବ । ପ୍ରଥମ ମହିଳା ବାଚସ୍ପତି ଭାବେ ଭଲ ଅନୁଭୂତି ପାଇଛି ।